Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଫୋନି’ ଯିବା ପରେ ଯନ୍ତ୍ରଣା : ଦୁର୍ଦ୍ଦଶାରେ ପୂରା ଜଟଣୀ, ଉଜୁଡ଼ା ଜୀବନ ଭିତରୁ ଜୀଇଁବାକୁ ସଂଘର୍ଷ

5/05/2019 at 2:22 PM

ଜଟଣୀ (କିଶନ ବାରାଇ) ୫|୫: ଫୋନି ତାହାର ତାଣ୍ଡବ ରଚି ବାଂଲାଦେଶ ଚାଲି ଯାଇଛି । ହେଲେ ଯିବା ପରେ ଅକଥନୀୟ ଯନ୍ତ୍ରଣାରେ ପୂରା ଉପକୂଳ ଓଡ଼ିଶା । ଫୋନି ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ପୁରୀ ଓ ଖୋର୍ଦ୍ଧା । ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଫୋନିର ପ୍ରଭାବ ଜାଣିବାକୁ ନ୍ୟୁଜ୭ ଟିମ୍ ପହଞ୍ଚିଥିଲା ରେଳଷ୍ଟେସନ ନିକଟ ଲୋକ କଲୋନୀରେ । ଆଉ ଲୋକ କଲୋନୀର ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ । ଏହି କଲୋନୀରେ ଥିବା ୨୦୦ରୁ ଅଧିକ ଘରର ଛାତ ଆଜବେଷ୍ଟସ ଥିଲା । ଫୋନିର ପ୍ରଳୟରେ ପ୍ରାୟ ସମସ୍ତଙ୍କ ଘର ଉପର ଉଡ଼ି ଯାଇଛି । ଖୋଲା ଆକାଶ ତଳେ ହଜାର ହଜାର ଲୋକେ ।

କଲୋନୀରେ ଥିବା ବଡ଼ ବଡ଼ ଗଛ ସଂପୂର୍ଣ୍ଣ ଉପୁଡ଼ି ଯାଇଛି । କେତେକ ଗଛ ଲୋକଙ୍କ ଘର ଉପରେ ପଡ଼ିଛି । ସେ ଗଛଗୁଡ଼ିକ ଏ ଯଆଇଁ ହଟା ଯାଇ ପାରି ନାହିଁ । ଭୟ ଓ ହାହାକାରରେ ଅଛନ୍ତି ଏଠାକାର ଲୋକେ । ଅନେକଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଘର ତ ନାହିଁ, ତାହା ସହ ନା ଅଛି ଖାଇବାର ସୁବିଧା ନା ପିଇବାକୁ ଟୋପାଏ ପାଣି । ପିଲା ଛୁଆଙ୍କୁ ଧରି ରାସ୍ତାରେ ବସି କେତେକ ମହିଳାଙ୍କୁ କାନ୍ଦୁଥିବାର ଆମେ ଦେଖିଲୁ । ଫୋନିର ୪୮ ଘଣ୍ଟା ପରେ ବି ମ୍ୟୁନିସିପାଲିଟି ଅଞ୍ଚଳର ଏହି କଲୋନୀରେ କେହି ବି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି କି କୌଣସି ବ୍ୟବସ୍ଥା କରି ନାହାନ୍ତି ।

ତେବେ ଖାଲି ଲୋକ କଲୋନୀ ନୁହେଁ, ଜଟଣୀ ଗେଟରୁ ଜଟଣୀ ଯିବା ଯାଏଁ ବାଟ ସାରା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ରହିଛି । ପୂରା ଅଞ୍ଚଳ ଏକ ଶ୍ମଶାନ ଭଳି ଲାଗୁଛି । କ୍ଷେତରେ ଫସଲ ସବୁ ଉଜୁଡ଼ି ଯାଇଛି । ଅନେକ ଗୃହପାଳିତ ପଶୁପକ୍ଷୀଙ୍କ ଶବ ପଡ଼ି ରହିଛି । ବିଦ୍ୟୁତ ଖୁଣ୍ଟ, ଗଛ ଉପୁଡ଼ି ରାସ୍ତା କଡ଼ରେ ଶୋଇ ରହିଛି । ଗାଁ ଗଣ୍ଡାର ସ୍ଥିତି ଆହୁରି ଭୟାନକ । ଲୋକେ ବଞ୍ଚିବାକୁ ସଂଘର୍ଷ ଚଳାଇଛନ୍ତି । ଉଜୁଡ଼ା ଜୀବନ ଭିତରୁ ଖୋଜୁଛନ୍ତି, କାଳେ କିଛି ବର୍ତ୍ତିଯାଇଛି କି । ବତୁରା ମାଟି ଭିତରୁ ପୁଣି ଥରେ ସ୍ୱପ୍ନ ଖୋଜିବାର ପ୍ରୟାସ ଆରମ୍ଭ ହୋଇଛି । ଅଣ୍ଟା ସଳଖି ଠିଆ ହେବାକୁ ଲୋକେ ଚେଷ୍ଟା କରୁଛନ୍ତି । କିନ୍ତୁ ଏଠାରେ ଫୋନିର ଧ୍ୱଂସ ଲୀଳା ଦେଖିଲେ ଯେମିତି ଲାଗୁଛି, ପୂରା ଜଟଣୀ ୫୦ ବର୍ଷ ପଛକୁ ଫେରି ଯାଇଛି । ତେବେ ଟୋପାଏ ପାଣି ଓ ଖାଦ୍ୟ ଲାଗି ଡହଳବିକଳ ହେଉଥିବା ଲୋକଙ୍କ ପାଖେ ପ୍ରଶାସନିକ ସହାୟତା ତୁରନ୍ତ ପହଞ୍ଚିବାର ଆବଶ୍ୟକତା ରହିଛି ।

   Related Posts