‘ତୁମହାରା ଟାଇମ୍ ଆଏଗା’, ସିରିଜ୍ ଜିତିବା ପରେ ଏହି ଖେଳାଳିଙ୍କୁ ପ୍ରଶଂସା କରି ଏମିତି କହିଲେ ଆଜିଙ୍କ୍ୟ ରାହାଣେ, ଦେଖନ୍ତୁ ଭିଡିଓ…
23/01/2021 at 10:50 PM

ନୂଆଦିଲ୍ଲୀ ୨୩।୦୧: ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇ ୨-୧ରେ ଟେଷ୍ଟ ସିରିଜ୍ ଜିତି ଭାରତ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଭାରତୀୟ ଅଧିନାୟକ ଆଜିଙ୍କ୍ୟ ରାହାଣେ କୋଚ୍ ରବି ଶାସ୍ତ୍ରୀଙ୍କ ପରି ଡ୍ରେସିଂ ରୁମରେ ଖେଳାଳିଙ୍କୁ ସମ୍ବୋଧିତ କରିଥିଲେ। ଏହାର ଭିଡିଓ ବିସିସିଆଇ ଏବେ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି। ଏହି ଭିଡିଓରେ ରାହାଣେ ଆଡିଲେଡ୍ରେ ଶୋଚନୀୟ ପରାଜୟ ପରେ ମେଲବୋର୍ଣ୍ଣରେ ଦଳର ପ୍ରତ୍ୟାବର୍ତ୍ତନ କଥା କହିଛନ୍ତି। ଏଥି ସହ ଏହି ସମୟରେ ତୁମର ଟାଇମ୍ ଆସିବ ବୋଲି ରାହାଣେ କୁଲଦୀପ ଯାଦବଙ୍କୁ କହିଛନ୍ତି।
ଭିଡିଓରେ ରାହାଣେ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ ମୁହୂର୍ତ୍ତ। ଆଡିଲେଡ୍ରେ ଯାହା ଘଟିଲା ଏବଂ ଏହାପରେ ଦଳ ମେଲବୋର୍ଣ୍ଣରେ ଯେମିତି ପ୍ରତ୍ୟାବର୍ତ୍ତନ କଲା ଏହା ଦେଖି ବହୁତ ଭଲ ଲାଗୁଛି। ଏଥିରେ ଜଣେ କି ଦୁଇ ଜଣ ନୁହେଁ ବରଂ ସଭିଙ୍କ ଯୋଗଦାନ ରହିଛି। ମୁଁ ଏଠାରେ କୁଲଦୀପ ଯାଦବ ଓ କାର୍ତ୍ତିକ ତ୍ୟାଗୀଙ୍କ ନାଁ ନେବାକୁ ଚାହୁଁଛି।
ରାହାଣେ କହିଛନ୍ତି, କୁଲଦୀପ ଯାଦବ ମୁଁ ଜାଣିଛି ଯେ ଏହା ତୁମ ପାଇଁ କଠିନକର ସମୟ, ତୁମକୁ ଏଠାରେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଲା ନାହିଁ। ମାତ୍ର ତୁମର ଦଳ ପ୍ରତି ଆଭିମୁଖ୍ୟ ବାସ୍ତବରେ ବହୁତ ଭଲ ଥିଲା। ତୁମ ଟାଇମ୍ ଆସିବ, ବାସ୍ କଡା ପରିଶ୍ରମ କରି ଚାଲ। କାର୍ତ୍ତିକ ଆପଣ ମଧ୍ୟ ଚମତ୍କାର ଥିଲେ।
As we draw curtains on our historic triumph and start our preparations for the home series, here’s Captain @ajinkyarahane88‘s address to #TeamIndia from the Gabba dressing room.
— BCCI (@BCCI) January 23, 2021
Full 🎥https://t.co/Sh2tkR5c7j pic.twitter.com/l7wr6UXSxq
ଉଲ୍ଲେଖଯୋଗ୍ୟ, କୁଲଦୀପ ଯାଦବ ଓ କାର୍ତ୍ତିକ ତ୍ୟାଗୀ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ରେ ଦୁଇ ଜଣ ଏମିତି ଖେଳାଳି ରହିଛନ୍ତି ଯାହାଙ୍କୁ ଗୋଟିଏ ହେଲେ ଟେଷ୍ଟରେ ଖେଳିବାର ସୁଯୋଗ ମିଳିନଥିଲା। କାର୍ତ୍ତିକ ତ ନେଟ୍ ବୋଲର ରୂପେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ, କିନ୍ତୁ କୁଲଦୀପ ଯାଦବ ଦଳର ସଦସ୍ୟ ଥିଲେ।
ଗାବା ଟେଷ୍ଟ ପୂର୍ବରୁ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ଵିନ ଆହତ ହେବା କାରଣରୁ ଦଳ ପ୍ରବନ୍ଧକ କୁଲଦୀପ ଯାଦବଙ୍କ ସ୍ଥାନରେ ସ୍ପିନର ଓ୍ଵାଶିଂଟନ ସୁନ୍ଦରଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ସୁନ୍ଦର ମଧ୍ୟ ନଟରାଜନଙ୍କ ପରି ନେଟ୍ସ ବୋଲର ଭାବେ ଅଷ୍ଟ୍ରେଲିଆରେ ଥିଲେ।
ଉଲ୍ଲେଖଯୋଗ୍ୟ, କୁଲଦୀପ ଯାଦବ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଅଷ୍ଟ୍ରେଲିଆର ବିଗତ ଗସ୍ତରେ ଖେଳିଥିଲେ। ଗତ ଗସ୍ତରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା। କୁଲଦୀପ ସିଡନୀ ଟେଷ୍ଟରେ ଖେଳିବାର ସୁଯୋଗ ପାଇଥିଲେ। ଉକ୍ତ ମ୍ୟାଚ୍ରେ ସେ ୫ ଓ୍ଵିକେଟ୍ ହାସଲ କରିଥିଲେ। ଏହା ବ୍ୟତୀତ ସେ ଗୋଟିଏ ଦିନିକିଆ ଓ ଅଭ୍ୟାସ୍ ମ୍ୟାଚ୍ରେ ମଧ୍ୟ ଖେଳିଥିଲେ।