ଉଇଗରଙ୍କ ପରେ ଉତ୍ସୁଲ ମୁସଲମାନଙ୍କ ଉପରେ ଦାଉ ସାଜିଲା ଚୀନ, ହିଜାବ ସମେତ ପାରମ୍ପରିକ ପୋଷାକ ପିନ୍ଧା ଉପରେ ଲଗାଇଲା କଟକଣା

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ ୨୮।୦୯: ଚୀନର ସିନଜିୟାଙ୍ଗରେ ଉଇଗର ମୁସଲମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ପରେ ଡ୍ରାଗନ ଏବେ ଉତ୍ସୁଲ ମୁସଲିମଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛି। ମାତ୍ର ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଉତ୍ସୁଲ ମୁସଲମାନଙ୍କୁ ଚୀନରେ ଅନେକ ପ୍ରକାରର କଟକଣା ସାମ୍ନା କରିବାକୁ ପଡିଛି। ଉତ୍ସୁଲ ମହିଳାଙ୍କୁ ହିଜାବ ସମେତ ଅନେକ ପ୍ରକାରର ପାରମ୍ପରିକ ପୋଷାକ ପରିଧାନ ଉପରେ ରୋକ୍ ଲଗାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଚୀନର ଅସଲ ମୁଖା ପୁଣିଥରେ ଦୁନିଆ ସାମ୍ନାରେ ଖୋଲି ଯାଇଛି।

ହେମାନ ପ୍ରାନ୍ତର ସାନ୍ୟା ସହରରେ ବସବାସ କରୁଥିବା ଉତ୍ସୁଲ ମୁସଲମାନଙ୍କୁ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟରେ ପାରମ୍ପରିକ ପୋଷାକ ପିନ୍ଧି ଆସିବାରୁ ସେମାନଙ୍କୁ ଟାର୍ଗେଟ୍ କରାଯାଇଛି। ଅଧିକାରୀ ଏହି ସଂପ୍ରଦାୟର ଲୋକଙ୍କ ଉପରେ ଏହି ଧରଣର ପୋଷାକ ପିନ୍ଧା ଉପରେ ରୋକ୍ ଲଗାଇଛନ୍ତି।

ସାଉଥ ଚାଇନ ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଉତ୍ସୁଲ ସମୁଦାୟର ଜଣେ କର୍ମଚାରୀ ନାମ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି, ସରକାରୀ ଆଦେଶ ଅନୁଯାୟୀ କୌଣସି ବି ସଂଖ୍ୟାଲଘୁ ସ୍କୁଲକୁ ପାରମ୍ପରିକ ପୋଷାକ ପିନ୍ଧି ଆସି ପାରିବେ ନାହିଁ। ସାନ୍ୟାରେ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ପାରମ୍ପରିକ ପୋଷାକ ପିନ୍ଧୁ ନାହାନ୍ତି। ସେମାନଙ୍କ ଉପରେ ଏହି ଆଦେଶର କୌଣସି ପ୍ରଭାବ ପଡୁନାହିଁ କିନ୍ତୁ ଆମ ଉପରେ ପଡୁଥିବା ସେ କହିଛନ୍ତି। ହିଜାବ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ। ଯଦି ଆମେ ଏହାକୁ ଓହ୍ଲାଇ ଦେବା ତେବେ ଆମ ପୋଷାକ ଖୋଲି ଦେବା ପରି ସମାନ ହେବ।

ହିଜାବ ଉପରେ କଟକଣା ଲାଗୁ ଆଦେଶ ବିରୋଧରେ ଯୁବତୀମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ବିରୋଧ କରୁଥିବା ଏହି ଯୁବତୀଙ୍କୁ ପୋଲିସ ଘେରି ରଖିଥିଲା। ହିଜାବ ବ୍ୟତୀତ ଉତ୍ସୁଲ ମହିଳାଙ୍କ ଦ୍ଵାରା ପିନ୍ଧା ଯାଉଥିବା ଲମ୍ବା ସ୍କର୍ଟ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.