ଆମେରିକା ଓ ବ୍ରାଜିଲ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ

Published By : Prameya-News7 Bureau | May 23, 2021 IST

ନୂଆଦିଲ୍ଲୀ ୨୩।୦୫: ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ ମାମଲାରେ ବ୍ରେକ ଲାଗୁନି। ଏହି ମାରାତ୍ମକ ଭାଇରସ୍‌ ଯୋଗୁଁ ଭାରତ କରୋନାଜନିତ ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ପ୍ରଥମରେ ଆମେରିକା ରହିଥିବା ବେଳେ ବ୍ରାଜିଲ ଦ୍ଵିତୀୟରେ ରହିଛି। ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନାରେ ଦେଶରେ ୨,୯୯, ୨୬୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ରାଜ୍ୟଗୁଡିକର ସଦ୍ୟତମ ତଥ୍ୟକୁ ଯୋଡି ଦେଲେ ଏହା ତିନି ଲକ୍ଷ ଅତିକ୍ରମ କରିବ। ମେ ୨୩ ତାରିଖ ସନ୍ଧ୍ୟାରେ ରାଜ୍ୟଗୁଡିକ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୫୯୪, ଦିଲ୍ଲୀରେ ୧୮୯, ରାଜସ୍ଥାନରେ ୧୧୩, ପୁଡୁଚେରୀରେ ୩୪, ଛତିଶଗଡରେ ୯୨ ଓ ଓଡିଶାରେ ୨୮ ଜଣଙ୍କ କୋଭିଡ୍-୧୯ରେ ପ୍ରାଣହାନୀ ଘଟିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବିଶ୍ଵ ମହାମାରୀରେ ଯେଉଁ ରାଜ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି ସେଥିରେ  ମହାରାଷ୍ଟ୍ରରେ ୮୭,୩୦୦ , କର୍ଣ୍ଣାଟକରେ ୨୪,୬୫୮, ଦିଲ୍ଲୀରେ ୨୩,୦୧୩, ତାମିଲନାଡୁରେ ୨୦,୦୪୬, ଉତ୍ତର ପ୍ରଦେଶରେ ୧୮,୯୭୮, ପଶ୍ଚିମବଙ୍ଗରେ ୧୪,୨୦୮, ପଞ୍ଜାବରେ ୧୩,୦୮୯ ଓ ଛତିଶଗଡରେ ୧୨,୪୯୪ ଜଣଙ୍କ ପ୍ରାଣହାନୀ ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ଅନ୍ୟ ରୋଗରେ ପୀଡିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.