ଦଳରୁ ଇସ୍ତଫା ଦେବା ପରେ ଏବେ ବିଧାୟକ ପଦରୁ ବି ଇସ୍ତଫା ଦେବେ ନବଦାସ

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର୧୬|୧: କଂଗ୍ରେସ ରାଜନୀତିରେ ଘମାସାନ । ଦଳରୁ ଇସ୍ତଫା ଦେଇଥିବା  ବିଧାୟକ ନବ ଦାସ ବିଧାୟକ ପଦରୁ ମଧ୍ୟ ଖୁବଶୀଘ୍ର ଇସ୍ତଫା ଦେବେ ବୋଲି କହିଛନ୍ତି । ସେପଟେ ବିଧାୟକ ଯୋଗେଶ ସିଂ ବି ହାତ ଛାଡି ଶଙ୍ଖ ଫୁଙ୍କିବେ ବୋଲି ଆଭାସ ଛାଡ଼ିଛନ୍ତି। ସେପଟେ କିନ୍ତୁ ନବଦାସଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି । ନବଙ୍କ ପରେ ଆଉ କିଛି କଂଗ୍ରେସ ବିଧାୟକ ବି ପାଇପ୍ ଲାଇନରେ ଅଛନ୍ତି ।  ଯାହାକୁ ନେଇ ଜିଲ୍ଲା ଠାରୁ ରାଜ୍ୟ ରାଜନୀତି ହଲଚଲ ହେଉଛି।

ଇସ୍ତଫା ଦେବା ପରେ ବହିଷ୍କାର। ନବଦାସ କଂଗ୍ରେସରୁ ଇସ୍ତଫା ଦେବାର ମାତ୍ର କେଇ ମିନିଟ ଭିତରେ ଦଳ ତାଙ୍କୁ ବହିଷ୍କାର କରିଛି। ଝାରସୁଗୁଡା ବିଧାୟକ ନବ ଦାସ । ୨୪ ତାରିଖରେ ନବୀନଙ୍କ ଝାରସୁଗୁଡା ଗସ୍ତ ବେଳେ ବିଜେଡିରେ ମିଶିବେ । ଆଜି ତାଙ୍କ ଇସ୍ତଫା ବାବଦରେ ସେ ସିଧା ରାହୁଲ ଗାନ୍ଧିଙ୍କୁ ଜଣାଇଛନ୍ତି ।  ଝାରସୁଗୁଡାର ବିକାଶ ପାଇଁ ସ୍ଥାନୀୟ ଲୋକ ଓ ଭୋଟରଙ୍କ ଚାପରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେ୍ଡିରେ ମିଶିବେ ବୋଲି ନବ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ।

ଠିକ୍ ଏତିକି ବେଳେ କଂଗ୍ରେସର ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ବି ଦଳ ଛାଡିବା ନେଇ ଇଙ୍ଗିତ ଦେଇଛନ୍ତି । ୨୫ ତାରିଖରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି । ଫେବୃଆରୀ ମାସରେ ସେ ବି ଶଙ୍ଖ ଫୁଙ୍କିବେ ବୋଲି ସଂଙ୍କେତ ଦେଇଛନ୍ତି । ସେପଟେ କିନ୍ତୁ ପ୍ରଫୁଲ୍ଲ ମାଝି କହିଛନ୍ତି ସେ ନବଙ୍କ ସହିତ ଯିବେନି।

ପ୍ରଫୁଲ୍ଲ କହିଲେ ସେ ନବଙ୍କ ସହ ଯିବେନି। ଅର୍ଥ ବି ଏୟା ହୋଇପାରେ ସେ ପରେ ନିଜ ଥାଟପାଟରେ ବିଦାୟ ନେବେ । ତେବେ ଏ ଦଳଡିଆଁଙ୍କୁ ନେଇ କଂଗ୍ରେସ ଖୁବ ଟେନସନରେ।   ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେନି ବୋଲି ନବ ଦାସ କହିଥିଲେ । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରିବା ଯୋଜନା ହୋଇସାରିଥିଲା। ଆଜି କଂଗ୍ରେସର ଶୃଙ୍ଖଳା କମିଟି ବୈଠକ ବସିଥାନ୍ତା । ହେଲେ ତା ଆଗରୁ ନବ ଦାସ ଇସ୍ତଫା ଦେଇଦେଲେ । ନବଙ୍କ ଇସ୍ତଫା ଖବର ଶୁଣି ଏଆଇସିସି ଅନୁମତି କ୍ରମେ ପିସିସି ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବ୍ୟାବସାୟିକ ସ୍ବାର୍ଥ ପାଇଁ ଏହି ନେତାମାନେ ଦଳ ଛାଡିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ପିସିସି ସଭାପତି ।

ତେବେ ନବ ଦାସ କଂଗ୍ରେସରେ ମିଶିଲେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି କେଉଁ ମୋଡ ନେବ, ତାକୁ ନେଇ ବି ତର୍ଜମା ଆରମ୍ଭ ହେଲାଣି । କାରଣ ଝାରସୁଗୁଡାରେ ନବଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ କିଶୋର ମହାନ୍ତିଙ୍କୁ ଦଳ କିଭଳି ଖୁସ୍ କରିବ ତାହା ବଡ ପ୍ରଶ୍ନ ହୋଇଛି। କୁହାଯାଉଛି ୩-୪ ଦିନ ପୂର୍ବରୁ ନବ ଦାସଙ୍କ ବିଜେଡିରେ ମିଶ୍ରଣ ନେଇ ବିଜେଡି ସୁପ୍ରିମୋ କୁଆଡେ କିଶୋର ମହାନ୍ତିଙ୍କୁ ଡାକି ଅବଗତ କରାଇସାରିଛନ୍ତି ।

ନିର୍ବାଚନ ପୂର୍ବରୁ ଏବେ ଦଳ ଡିଆଁ ଜୋର ଧରିଛି। ଆଗକୁ ଏଭଳି ଧାରା ଚର୍ଚାକୁ ଆହୁରି ଖୋରାକ ଯୋଗାଇବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.