ଆଇପିଏଲ୍ ୨୦୨୧ ସ୍ଥଗିତ ହେବା ପରେ ଏହି ମାସରେ ହୋଇପାରେ ଲିଗ୍‌ର ବଳକା ମ୍ୟାଚ୍

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ ୦୪।୦୫: ଟି-୨୦ ଲିଗ୍ ଆଇପିଏଲ୍‌ର ଚଳିତ ସଂସ୍କରଣକୁ କରୋନା ସଂକ୍ରମଣ କାରଣରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଏଥିରେ ବିସିସିଆଇକୁ ଶକ୍ତ  ଝଟକା ଲାଗିଛି। ୧୪ଶ ସଂସ୍କରଣରେ ଏବେ ମଧ୍ୟ ୩୧ ମ୍ୟାଚ୍ ଖେଳାଯିବାର ବାକି ରହିଛି। ବଳକା ମ୍ୟାଚ୍‌ର ଆୟୋଜନ ଚଳିତ ବର୍ଷ ହୋଇ ପାରିବ କି ନାହିଁ କଳ୍ପନାଜଳ୍ପନା ଜାରି ରହିଛି। ହେଲେ ବାକି ମ୍ୟାଚ୍‌ ସେପ୍ଟେମ୍ବରରେ ଆୟୋଜିତ ନେଇ ବିଚାର କରାଯାଉଛି। ବର୍ତ୍ତମାନ ଯାଏ ବିସିସିଆଇ ପକ୍ଷରୁ ଏହି ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଆଇପିଏଲ୍ ୨୦୨୧ର ୬୦ ମୁକାବିଲା ମଧ୍ୟରୁ ୨୯ ମ୍ୟାଚ୍‌ ସରିଥିବା ବେଳେ ବାକି ୩୧ ମୁକାବିଲା ସେପ୍ଟେମ୍ବର ମାସରେ ଆୟୋଜନ ନେଇ ବିସିସିଆଇ ସମ୍ଭାବନା ଖୋଜୁଛି। ଏକ ଆଇପିଏଲ୍ ଫ୍ରାଞ୍ଚାଇଜିର ଅଧିକାରୀ କହିଛନ୍ତି, ସେପ୍ଟେମ୍ବରର ଓ୍ଵିଣ୍ଡୋ ଉପରେ ବିଚାର କରାଯାଉଛି। ସେତେ ବେଳକୁ ଇଂଲଣ୍ଡ-ଭାରତ ସିରିଜ୍ ସମାପ୍ତ ହୋଇ ସାରିଥିବ ଏବଂ ବିଦେଶୀ ଖେଳାଳି ଟି-୨୦ ବିଶ୍ଵ କପ୍ ପାଇଁ ପ୍ରସ୍ତୁତି କରୁଥିବେ। ଏହି ସମୟରେ ବିସିସିଆଇ ଛୋଟ ଓ୍ଵିଣ୍ଡୋ ଉପରେ ବିଚାର କରୁଛି।

ଆଇପିଏଲ୍ ଅଧ୍ୟକ୍ଷ ବୃଜେଶ ସିଂହ ଏହି ସମ୍ଭାବନାକୁ ମଧ୍ୟ ଏଡାଇ ନାହାନ୍ତି। ସେ କହିଛନ୍ତି, ଏବେ ଆମେ ଏକ ଛୋଟ ଓ୍ଵିଣ୍ଡୋର ସୁଯୋଗର ସନ୍ଧାନରେ ଅଛୁ। ଯଦି ଆମକୁ ମିଳିଯାଏ ତେବେ ବଳକା ମ୍ୟାଚ୍‌ ଆୟୋଜନ କରିବୁ। ଆମକୁ ଏହା ଦେଖିବାକୁ ପଡିବ ଯେ, କଣ ଏହା ସେପ୍ଟେମ୍ବରରେ ସମ୍ଭବ।  ଆମକୁ ଆଇସିସି ଓ ଅନ୍ୟ ବୋର୍ଡର ଯୋଜନାକୁ ଦେଖିବାର ଆବଶ୍ୟକତା ରହିଛି। ପଟେଲ୍‌ଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇ ଅନ୍ୟ ଏକ ଫ୍ରାଞ୍ଚାଇଜିର ଅଧିକାରୀ କହିଛନ୍ତି, ସେପ୍ଟେମ୍ବର ବହୁତ ଲମ୍ବା ଅବଧି। ସେହି ସମୟରେ ଦେଖିବାକୁ ପଡିବ ଯେ, ଦେଶରେ କରୋନା ସ୍ଥିତି କେମିତି ରହିଛି।

କରୋନା ପ୍ରକୋପ କାରଣରୁ ଭାରତରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ଵକପ୍‌ ମଧ୍ୟ ସନ୍ଦେହ ଘେରରେ ରହିଛି। ହେଲେ ୟୁଏଇକୁ ଏକ ଷ୍ଟାଣ୍ଡ ବାଇ ବିକଳ୍ପ ଭାବେ ରଖାଯାଇଛି। ଏହା ପୂର୍ବରୁ କିଛି ଆଇପିଏଲ୍ ଓ ବିସିସିଆଇ ଅଧିକାରୀ କିଛି ଫ୍ରାଞ୍ଚାଇଜିକୁ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଉପରେ ସେମାନଙ୍କର ବିଚାର ଜାଣିବା ପାଇଁ ଫୋନ୍ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଫ୍ରାଞ୍ଚାଇଜି ଚଳିତ ଆଇପିଏଲ୍‌କୁ ସଂପୂର୍ଣ୍ଣ ରଦ୍ଦ କରିବା ସପକ୍ଷରେ ଅଛନ୍ତି।

ସଂପ୍ରତି ବିସିସିଆଇ ଓ ଫ୍ରାଞ୍ଚାଇଜି ନିଜ ନିଜର ଟିମ୍ ସଦସ୍ୟଙ୍କୁ ସୁରକ୍ଷିତ ସେମାନଙ୍କ ଘର ପଠାଇବା ଦିଗରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା, ରାଞ୍ଚି ଓ ଦିଲ୍ଲୀ ପାଇଁ ଚାର୍ଟର ବିମାନକୁ ବୁକ୍ କରାଯାଉଛି।  ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବା ପାଇଁ ବିସିସିଆଇ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.