ମହାରାଷ୍ଟ୍ରରେ ନୂଆ କଟକଣା ପରେ ଲୋକଙ୍କ ଘର ବାହୁଡା, ଷ୍ଟେସନ ବାହାରେ ଜମିଲା ପ୍ରବଳ ଭିଡ

Published By : Prameya-News7 Bureau | April 14, 2021 IST

ମୁମ୍ବାଇ ୧୪।୦୪: ଦେଶରେ କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। କରୋନା ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଅନେକ କଟକଣା ଲଗାଇଛନ୍ତି। ଏହା ମଧ୍ୟରେ ଆଜି ରାତି ୮ଟାରୁ ମହାରାଷ୍ଟ୍ରରେ ୧୫ ଦିନ ପାଇଁ ୧୪୪ ଧାରା ଜାରି ହେଉଛି। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁ କିଛି ବନ୍ଦ ରହିବ। ବିନା କାରଣରେ ଲୋକଙ୍କୁ ବାହାରକୁ ଆସିବା ଉପରେ କଟକଣା ଲଗାଯାଇଛି।

ରାଜ୍ୟ ସରକାରଙ୍କ କଡା କଟକଣା ଘୋଷଣା ହେବାର ଗୋଟିଏ ଦିନ ପରେ ମମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ ଷ୍ଟେସନ ବାହାରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏହି ସବୁ ଲୋକେ ନିଜ ଘରକୁ ଫେରିଯିବା ପାଇଁ ଟ୍ରେନର ଅପେକ୍ଷାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ଓ ବିହାର ଲୋକଙ୍କ ସଂଖ୍ୟା ଅଧିକ ରହିଛି।

ଷ୍ଟେସନ ବାହାରେ ପ୍ରବଳ  ଭିଡକୁ ଦେଖି ସେଣ୍ଟ୍ରାଲ ରେଲଓ୍ଵେ ଯାତ୍ରୀଙ୍କୁ ଚିନ୍ତା ନକରିବା ଏବଂ ଭିଡ ନକରିବାକୁ ଅପିଲ୍ କରିଛନ୍ତି। ଭିଡ ନିୟନ୍ତ୍ରଣ ପାଇଁ ରେଳ ସୁରକ୍ଷା ବଳ(ଆରପିଏଫ) ଓ ରାଜକୀୟ ରେଳ ପୋଲିସ(ଜିଆରପି)କୁ ଷ୍ଟେସନ ବାହାରେ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୫ ଦିନପାଇଁ  କଡା କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ମେ ୧ ସକାଳ ୭ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ସମଗ୍ର ରାଜ୍ୟରେ ୧୪୪ ଧାରା ଲାଗୁ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.