ଜନ୍ମଦେବା ପୂର୍ବରୁ ଆରପାରିକୁ ଚାଲିଗଲା ମା’, ଦ୍ବିତୀୟ ଭଗବାନଙ୍କ ପାଇଁ ଏମିତି ବଞ୍ଚିଲା ଶିଶୁ କନ୍ୟାର ଜୀବନ

Published By : Prameya-News7 Bureau | November 13, 2021 IST

ବେଙ୍ଗାଲୁରୁ ୧୩/୧୧:  ଜନ୍ମ ଦେବା ପୂର୍ବରୁ ମା’ ଛାଡ଼ି ଚାଲିଗଲା। ତଥାପି ଗର୍ଭରେ ଥିବା ଶିଶୁର ନିଶ୍ବାସ ଚାଲିଥିଲା। ମାକୁ ଭଗବାନ ନେଇଗଲେ କିନ୍ତୁ କୁନି ଝିଅକୁ ବଞ୍ଚାଇବା ପାଇଁ ଲାଗିଥିଲେ ଦ୍ବିତୀୟ ଭଗବାନ ।  କର୍ଣ୍ଣାଟକର ଗାଡକ ଜିଲ୍ଲାରେ ଡାକ୍ତରମାନେ ଜଣେ ମୃତ ଗର୍ଭବତୀ ମହିଳାଙ୍କ ଗର୍ଭରୁ ଏକ ଶିଶୁ କନ୍ୟାକୁ ଜୀବିତ ଅବସ୍ଥାରେ ବାହାରକୁ ଆଣିଛନ୍ତି ।

ମିଳିଥିବା ସୂଚନା ଅୁନୁସାରେ,  ଜିଲ୍ଲାର ମଶିଗିରି ଗାଁର ଗର୍ଭବତୀ ମହିଳା ଅନପୂର୍ଣ୍ଣାଙ୍କୁ ହଠାତ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନେଇଯାଇଥିଲେ । ସେଠାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମଝି ରାସ୍ତାରେ ରକ୍ତ ଚାପ ଖସିଯିବା କାରଣରୁ ଅନପୂର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା। ମୃତ ଅନପୂର୍ଣ୍ଣଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରେ ଡାକ୍ତରମାନେ ପରୀକ୍ଷା କରାଇଥିଲେ।

ଏଥିରୁ ଜଣାପଡ଼ିଥିଲା ତାଙ୍କ ପେଟରେ ଥିବା ଶିଶୁର ହୃଦ ସ୍ପନ୍ଦନ ଚାଲୁ ଅଛି । ଏହା ପରେ ଏକ ଡାକ୍ତରୀ ଦଳ ପରିବାର ପାଖରୁ ଅନୁମତି ନେଇ ୧୫ ମିନିଟ୍‌ ମଧ୍ୟରେ ଅପରେସନ ଆରମ୍ଭ କରିବା ସହ ମୃତ ମାର ପେଟରୁ ଶିଶୁ କନ୍ୟାକୁ ଜୀବିତ ଅବସ୍ଥାରେ ବାହାରକୁ ଆଣିଥିଲେ। ତେବେ ଏହାକୁ ମେଡିକାଲ ସାଇନ୍ସରେ ଏକ ଚମତ୍କାର ବୋଲି ମଧ୍ୟ କୁହାଯାଉଛି। ସେପଟେ ସ୍ତ୍ରୀକୁ ହରାଇ ତାଙ୍କ ସ୍ବାମୀ ଦୁଃଖି ହୋଇଥିବା ବେଳେ କୁନି ଝିଅକୁ ପାଇ ଖୁସି ଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.