ଅକ୍ସାଇ ଚୀନରେ ଡ୍ରାଗନର ଦାଦାଗିରିକୁ ଭାରତର ଜବାବ, ରାତିସାରା ଚକ୍କର ମାରିଲା ଚିନୁକ ହେଲିକପ୍ଟର

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: ପୂର୍ବ ଲଦାଖର ଗଲଓ୍ଵାନ ଘାଟିରେ ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରଠୁ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଅନେକ ପର୍ଯ୍ୟାୟରେ ଆଲୋଚନା ପରେ ବି ଚୀନ ନିଜର ମନ୍ଦ ବୁଦ୍ଧିରୁ ଓହରୁ ନାହିଁ। ଚୀନର ପିପୁଲ୍ସ ଲିବେରେସନ  ଆର୍ମିର ବାସ୍ତବିକ ନିୟନ୍ତ୍ରଣ ରେଖାରେ ସୈନ୍ୟ ମୃତୟନ କରିବା ଏବଂ ସଡକ ନିର୍ମାଣ ଗତିବିଧି ପରେ ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର ରାତିରେ ଦଉଲତ ବେଗ ଓଲଡି, କାରାକରୋମ ପାସ୍ ନିକଟରେ ୧୬  ହଜାର ଫୁଟ୍ ଦୂରତାରେ ଉଡାଣ ଭରିଛି।

ଅଧିକାରୀ ସୂତ୍ର ଅନୁଯାୟୀ, ଅକ୍ସାଇ ଚୀନର ଅଧିକୃତ ତିନଓ୍ଵେଇଣ୍ଡେନ(TWD)ରେ ଗ୍ରୁପ କମାଣ୍ଡରସ୍ତରୀୟ ବୈଠକରେ ଭାରତୀୟ ସେନା ଦ୍ଵାରା ଡେପସାଙ୍ଗ ପ୍ଲେଗରେ ପାଟ୍ରୋଲିଂ କରିବାକୁ ଅନୁମତି ମଗାଯାଇଥିଲା। ଏଲଏସିରେ ଚୀନର ଗତିବିଧିକୁ ଦୃଷ୍ଟିରେ ରଖି ଚିନୁକ ହେଲିକପ୍ଟର ସୀମା ସଂଲଗ୍ନ ଅଞ୍ଚଳରେ ୧୬୦୦ ଫୁଟ୍ ଉଚ୍ଚତାରେ ଉଡାଣ ଭରିଥିବା ଦେଖିବାକୁ ମିଳିଛି। ଉଲ୍ଲେଖନୀୟ ଗୋଟିଏ ଦିନ ପୂର୍ବେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଦୁଇ ଦେଶର ସେନାର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ପୂର୍ବ ଲଦାଖର ଦଉଲତ ବେଗ ଓଲଡିରେ ବୈଠକ ହୋଇଥିଲା।  

ଏହି ବାର୍ତ୍ତାର ମୁଖ୍ୟ ଏଜେଣ୍ଡା ଡେପସାଙ୍ଗର ବର୍ତ୍ତମାନ ସ୍ଥିତିର ଆକଳନ କରିବାର ଥିଲା। ଗତ ଦିନରେ ଏଠାରେ ଚୀନ ସୈନିକଙ୍କ ଗତିବିଧି ଦେଖିବାକୁ ମିଳିଥିଲା। ଡେପସାଙ୍ଗର ଅନ୍ୟ ପଟେ ପ୍ରାୟ ୧୫୦୦୦ରୁ ଅଧିକ ଚୀନ ସୈନିକଙ୍କ ମୃତୟନ ପରେ ଭାରତ ମଧ୍ୟ ଉକ୍ତ ଇଲାକାରେ ସୈନିକ ସଂଖ୍ୟା ବୃଦ୍ଧି କରିଥିଲା। କେବଳ ଏତିକି ନୁହେଁ ଭାରତ ଟି-୯୦ ଟ୍ୟାଙ୍କ ମଧ୍ୟ ମୁତୟନ କରିଥିଲା।

ଡେପସାଙ୍ଗ ଅଞ୍ଚଳରେ ଚୀନର ସଦ୍ୟତମ ଗତିବିଧି ପରେ ଚିନୁକ ହେଲିକପ୍ଟର ମଧ୍ୟ ଚୁସୁଲ କ୍ଷେତ୍ରରେ କ୍ରମାଗତ ପାଟ୍ରୋଲିଂ କରୁଛି। କୌଣସି ପ୍ରକାରର ଜଟିଳ ପରିସ୍ଥିତିରେ ବିବାଦୀୟ ସ୍ଥାନ ପର୍ଯ୍ୟନ୍ତ ସୈନିକଙ୍କ ପରିବହନ ପାଇଁ ଏହି ଅଭ୍ୟାସ୍ ଜାରି ରହିଛି। ଅପରପକ୍ଷେ ଲଢୁଆ ହେଲିକପ୍ଟର ଆପାଚେ ମଧ୍ୟ ଏହି ଅଞ୍ଚଳରେ ଚକ୍କର କାଟୁଛି।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବେ ଯେବେ ଦୁଇ ଦେଶର ଶୀର୍ଷ କମାଣ୍ଡରସ୍ତରୀୟ ବୈଠକ  ହୋଇଥିଲା ତେବେ ଭାରତ ନିଜ କ୍ଷେତ୍ରରେ ପାଟ୍ରୋଲିଂ କରିବା ପ୍ରସଙ୍ଗ ଉଠାଇଥିଲା। ଏହି ଅଞ୍ଚଳରେ ଚୀନ ସେନା ଭାରତୀୟ ସୈନିକଙ୍କ ପାଟ୍ରୋଲିଂରେ ବାଧା ଦେବାକୁ ଚେଷ୍ଟା କରି ଆସିଛନ୍ତି। ଚୀନ ସେନା ଡେପସାଙ୍ଗର ଅପରପାର୍ଶ୍ଵରେ ବଡ ପରିମାଣରେ ସୈନିକ ମୁତୟନ କରିବା ସହିତ ଟ୍ୟାଙ୍କ, ତୋପାଖାନା ମୁତୟନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.