ବିଶ୍ୱକପରେ ଇଣ୍ଡିଆନ ମିଡିଲ ଅର୍ଡରକୁ ନେଇ କେବଳ ଦର୍ଶକେ ନୁହନ୍ତି ଏବେ ସଚ୍ଚିନ ବି ଚିନ୍ତିତ
23/06/2019 at 4:26 PM

ଶନିବାର ସାଉଥମ୍ପଟନ ରୋଜ ବାୱେଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ ର ୨୮ତମ ଲିଗ୍ ମ୍ୟାଚ୍ ରେ ଭାରତ ବିଜୟୀ ହୋଇଛି। ହେଲେ ଆଫଗାନିସ୍ତାନ ବିପକ୍ଷରେ ଭାରତର ଏହି ବିଜୟରେ କିନ୍ତୁ ଖୁସି ନୁହନ୍ତି କ୍ରିକେଟ ପ୍ରେମୀ। ମିଡିଲ ଅର୍ଡରରେ ଧିମା ରନ୍ ସଂଗ୍ରହ ସାଙ୍ଗକୁ ରନ ରେଟ ହ୍ରାସ କ୍ରିଡାପ୍ରେମୀଙ୍କୁ ହତାସ କରିଛି। ତେବେ କେବଳ କ୍ରିକେଟପ୍ରେମୀ ନୁହନ୍ତି ପୂର୍ବତନ କ୍ରିକେଟର ସଚ୍ଚିନ ତେନ୍ଦୁଲକର ମଧ୍ୟ ବିଶ୍ୱକପ୍ ରେ ଟିମ ଇଣ୍ଡିଆର ଏଭଳି ପ୍ରଦର୍ଶନକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଭାରତୀୟ ମିଡିଲ ଅର୍ଡରର ପ୍ରଦର୍ଶନ ନେଇ ସେ ଖୁସି ନୁହନ୍ତି ବୋଲି କହିଛନ୍ତି ।

ଏକ ପ୍ରତିଷ୍ଠିତ ଗଣମାଧ୍ୟମ ସହ କଥୋପକଥନରେ ସଚ୍ଚିନ ଭାରତୀୟ ମିଡିଲ ଅର୍ଡରକୁ ନେଇ ଅସୋନ୍ତାଷ ପ୍ରକାଶ କରିବା ସହ ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବଙ୍କ ଇନିଂସକୁ ନିରାଶାଜନକ କହିଛନ୍ତି। ଉଭୟଙ୍କ ପାର୍ଟନରସିପ୍ କୁ ସଚ୍ଚିନ ସ୍ଲୋ ପାର୍ଟନର ସିପ୍ କହିଥିବା ବେଳେ ୩୪ ଓଭର ସ୍ପିନ ବୋଲିଂରୁ ଟିମ୍ ଇଣ୍ଡିଆ ମାତ୍ର ୧୧୯ ରନ ସଂଗ୍ରହ କରିବା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ସଚ୍ଚିନ । ସେ ଏଥିପାଇଁ ଖେଳାଳିମାନଙ୍କ ମାନସିକତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।

ସାଉଥମ୍ପଟନ ମ୍ୟାଚ୍ ରେ ଧୋନୀ ଓ କେ.ଯାଦବଙ୍କ ପାର୍ଟନରସିପ୍ କୁ ଏବେ ଫ୍ୟାନମାନଙ୍କ ସମେତ ପୂର୍ବ କ୍ରିକେଟର ମଧ୍ୟ ଟାର୍ଗେଟ୍ କରୁଛନ୍ତି। ଆଫଗାନ ସ୍ପିନରମାନେ ଭାରତୀୟ କ୍ରିକେଟରଙ୍କୁ ଯେଉଁଭଳି ଅଟକାଇ ରଖିଥିଲେ ସେ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ତେବେ ଆଫଗାନ ସ୍ପିନରଙ୍କ ବିପକ୍ଷରେ ଉଭୟ ଧୋନୀ ଓ କେଦାରଙ୍କ ଆପ୍ରୋଚକୁ ନାପସନ୍ଦ କରିଛନ୍ତି ସଚ୍ଚିନ୍। ସେହି ୩୪ ଓଭରରେ ଅନେକ କିଛି ହୋଇପାରିଥାନ୍ତା ବୋଲି ସଚ୍ଚିନ କହିଛନ୍ତି। ସଚ୍ଚିନଙ୍କ କହିବା ଅନୁସାରେ ବିରାଟ କୋହଲି ଆଉଟ୍ ହେବା ପରେ ପ୍ରତି ଓଭରରେ ୨ରୁ ୩ଟି ଓ ଅଧିକ ବଲ ଖାଲିଯାଉଥିଲା। ଏଣୁ ଟିମ୍ ଅଧିକ ରନ ସ୍କୋର କରିବାରେ ବିଫଳ ହୋଇଥିଲା। ଏପର୍ଯ୍ୟନ୍ତ ମିଡିଲଅର୍ଡର ଉପରେ ଏତେ ଚାପ ପଡୁନଥିଲା। ତେବେ ଶନିବାର ମ୍ୟାଚ୍ ରେ ମିଡିଲ ଅର୍ଡର ଉପରେ ପୁରା ଚାପ ବାରିହୋଇପଡୁଥିଲା ବୋଲି କହିଛନ୍ତି ସଚ୍ଚିନ। ହେଲେ ଗତ ମ୍ୟାଚ୍ ରେ ଆଫଗାନ କ୍ରିକେଟରଙ୍କ ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଛନ୍ତି କ୍ରିକେଟ ପ୍ରେମୀ।