ସିନ୍ଧିଆଙ୍କ ପରେ ଜିତିନ ଧରିଲେ ପଦ୍ମ, ଏବେ ପାଇଲଟ୍‌ଙ୍କୁ ନେଇ ଚର୍ଚ୍ଚା ଜୋର, ଚାପରେ କଂଗ୍ରେସ ହାଇକମାଣ୍ଡ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୦୯।୦୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଟିମ୍‌ରୁ ଗୋଟିଏ ପରେ ଗୋଟିଏ ଓ୍ଵିକେଟ୍ ଖସି ଚାଲିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ଏବେ  ଜିତିନ ପ୍ରସାଦ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଏହା ଏବେ ରାଜନୈତିକ ମହଲରେ ସଚିନ ପାଇଲଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଏହା ପରେ ସଚିନଙ୍କ ପାଳି ? ଏହାକୁ ନେଇ ରାଜନୈତିକ ମହଲଠୁ ନେଇ ସାମାଜିକ ଗଣମାଧ୍ୟମ ସବୁଠି ଏହି ଆଲୋଚନା ଜୋରଦାର ଚାଲିଛି। କାରଣ ସଚିନ ପାଇଲଟ୍‌ ମଧ୍ୟ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ସଚିନ ପାଇଲଟ୍‌ଙ୍କୁ ପାର୍ଟି ଦେଇଥିବା ୧୦ ପ୍ରତିଶ୍ରୁତି ଏ ଯାଏଁ ପୂରଣ ହୋଇନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ସମର୍ଥନରେ ପାର୍ଟି ସାଧାରଣ ସଂପାଦକ ଭଅଁର ଜିତେନ୍ଦ୍ର ସିଂହ ମଧ୍ୟ ସାମ୍ନାକୁ ଆସିଛନ୍ତି। ଜିତିନ ହାତ ଛାଡିବା ପରେ କଂଗ୍ରେସ ଏବଂ ପାର୍ଟି ହାଇକମାଣ୍ଡ ଚାପର ବଶବର୍ତ୍ତୀ ହୋଇଛନ୍ତି। ଜିତିନଙ୍କ ଖବର ଆସିବା ପରେ ସଚିନ ପାଇଲଟ୍‌ ଟ୍ଵିଟରରେ ଟ୍ରେଣ୍ଡ ହେବାରେ ଲାଗିଛନ୍ତି। ସଚିନ ପାଇଲଟ୍‌ଙ୍କୁ ପାର୍ଟି କେମିତି ମନାଇ ରଖୁଛି ତାହା ଦେଖିବା ବାକି ରହିଲା।

{"id":463713,"sizeSlug":"large","linkDestination":"none"}

ଜିତିନ ପ୍ରସାଦ ବିଜେପିରେ ସାମିଲ ହେବା ପରେ ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀର  ବିଧାୟକ ବେଦ ପ୍ରକାଶ ସୋଲାଙ୍କି କହିଛନ୍ତି, କଂଗ୍ରେସ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଉପରେ କୌଣସି ଶୁଣାଣି ହେଉ ନାହିଁ। ସଚିନ ପାଇଲଟ୍‌ଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଆଜି ପର୍ଯ୍ୟନ୍ତ ପୂରା ହୋଇ ନାହିଁ। ସମାଧାନ ପାଇଁ ଯେଉଁ କମିଟି ଗଠନ ହୋଇଥିଲା, ସେହି କମିଟି ଅଦ୍ୟାବଧି କୌଣସି ବୈଠକ ମଧ୍ୟ କରି ନାହିଁ। ଆମେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଥିଲୁ, ସେହି ସମୟରେ ଆମ କଥା ବିଚାର କରାଯିବ ବୋଲି କୁହାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ଆମକୁ ଡକାଗଲା ନାହିଁ। ଆମେ ଖୋଦ୍ ଦିଲ୍ଲୀ ଯାଇ ନିଜର ଯନ୍ତ୍ରଣା ବଖାଣିଲୁ, ତଥାପି କୌଣସି ଫରକ ପଡିଲା ନାହିଁ।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ ସଚିନ ପାଇଲଟଙ୍କ ନେତୃତ୍ଵରେ ରାଜସ୍ଥାନରେ ଅନେକ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହର ସ୍ଵର ଉଠାଇଥିଲେ। ସେହି ସମୟରେ ଦୁଇ ଗୋଷ୍ଠୀର ନେତା ଅନେକ ଦିନ ଧରି ହୋଟେଲ୍‌ରେ ନିଜ ସମର୍ଥକ ବିଧାୟକଙ୍କୁ ଗୃହବନ୍ଦୀ କରି ରଖିଥିଲେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ସମର୍ଥକ ବିଶ୍ଵେନ୍ଦ୍ର ସିଂହ ଓ ରମେଶ ମୀଣାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ। ଗେହଲଟ ସରକାର ଅସ୍ଥିର ହେବା ଦେଖି ବିଜେପି ମଧ୍ୟ ସକ୍ରିୟ ହୋଇ ଉଠିଥିଲା, ମାତ୍ର ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ସଚିନ ପାଇଲଟ୍ ଶାନ୍ତ ପଡିଥିଲେ।

{"id":463714,"sizeSlug":"large","linkDestination":"none"}

ପାଇଲଟ୍‌-ଗେହଲଟଙ୍କ ମଧ୍ୟରେ ପ୍ରାଧ୍ୟାନ୍ୟ ବିସ୍ତାର ନେଇ ଜାରି ଶୀତଳ ଯୁଦ୍ଧର ଅନ୍ତ କରିବା ପାଇଁ ଏକ ସମାଧାନ କମିଟି ଗଠନ ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ନା ପାଇଲଟ୍‌ଙ୍କ ଯେଉଁ ସହଯୋଗୀଙ୍କୁ ମନ୍ତ୍ରୀ ପଦରୁ  ହଟାଯାଇଥିଲା, ସେମାନଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଗଲା ନା କମିଟି ସାମ୍ନାରେ ରଖାଯାଇଥିବା ଦାବିର କୌଣସି ସମାଧାନ ହେଲା। ଏମିତିରେ ପାଇଲଟ୍ ଏବଂ ତାଙ୍କ ସମର୍ଥକଙ୍କ ଧୈଯ୍ୟ ବିଚ୍ୟୁତ୍ ହେବାରେ ଲାଗିଛି। ରାଜସ୍ଥାନ ରାଜନୀତିରେ ୧୦ ମାସର ନିରବତା ପରେ ପୁଣି ଥରେ ବିଦ୍ରୋହର ସ୍ଵର ତେଜି ଉଠିଛି।

ସଚିନ ପାଇଲଟ୍‌ ମଧ୍ୟ ମଙ୍ଗଳବାର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ୧୦ ମାସ ସମୟ ବିତିଗଲା କିନ୍ତୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇ ନାହିଁ। ମୋତେ ବୁଝାଇ ଦିଆଯାଇଥିଲା ଯେ, ସମାଧାନ କମିଟି ଶୀଘ୍ର  କାର୍ଯ୍ୟାନୁଷ୍ଠାନ ନେବେ , ହେଲେ ସରକାରଙ୍କୁ ଅଧା କାର୍ଯ୍ୟକାଳ ପୂରା ହୋଇ ସାରିଛି ଏବଂ ପ୍ରସଙ୍ଗ ଗୁଡିକ ଏବେ ମଧ୍ୟ ଅସମାହିତ ହୋଇ ରହିଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଯେଉଁ କାର୍ଯ୍ୟକର୍ତ୍ତା ପାର୍ଟିକୁ କ୍ଷମତାସୀନ କରିବାରେ ଦିନ ରାତି ଏକ କରି ଦେଇଥିଲା ଏବଂ ନିଜର ସବୁ କିଛି ତ୍ୟାଗ କରି ଦେଇଥିଲା, ସେହି କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗର ସମାଧାନ କରାଯାଉ ନାହିଁ ବୋଲି କ୍ଷୋଭଭରା କଣ୍ଠରେ କହିଛନ୍ତି ସଚିନ ପାଇଲଟ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.