ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନ ପ୍ରକାଶ କଲେ ତାଙ୍କ ଇଚ୍ଛା : କହିଲେ କରିବାକୁ ଚାହୁଁଛି ଏହି କାମ
5/03/2019 at 12:14 PM

ନୂଆଦିଲ୍ଲୀ ୫/୩: ପାକିସ୍ତାନରୁ ଭାରତ ଫେରିଥିବା ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିକଟରେ ନିଜର ଏକ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଭାରତର ଏହି ବୀର ପୁତ୍ର ଖୁବ୍ ଶୀଘ୍ର ନିଜ କର୍ମକ୍ଷେତ୍ରକୁ ଫେରିବେ ବୋଲି କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିଜର ଇଚ୍ଛାକୁ ବାୟୁସେନାର ଶୀର୍ଷ ଅଧିକାରୀଙ୍କୁ କହିଛନ୍ତି ଏବଂ ଖୁବ୍ ଶୀଘ୍ର ଲଢ଼ୁଆ ବିମାନ ଉଡ଼ାଇବାକୁ ଚାହୁଁଛନ୍ତି। ରବିବାର ବାୟୁସେନାର ଶୀର୍ଷ ଅଧିକାରୀ ତାଙ୍କୁ ଦେଖିବାକୁ ହସ୍ପିଟାଲ୍ ଯାଇଥିବାବେଳେ ସେ ସେମାନଙ୍କୁ ତାଙ୍କ ମନ କଥା କହିଥିଲେ। ବାୟୁସେନାର ଅଧିକାରୀ ତାଙ୍କୁ କହିଥିଲେ ଯେ ସେମାନେ ଉଦ୍ୟମ କରିବେ ଯେ ତାଙ୍କୁ ଖୁବ୍ ଶୀଘ୍ର ଲଢ଼ୁଆ ବିମାନ ଉଡ଼ାଇବାର ସୁଯୋଗ ମିଳୁ।

ପାକିସ୍ତାନରୁ ଭାରତ ଫେରିବା ପରେ ଅଭିନନ୍ଦନଙ୍କୁ ସିଧା ଦିଲ୍ଲୀ ଅଣାଯାଇଥିଲା ଏବଂ ଦିଲ୍ଲୀ ଆଣି ତାଙ୍କୁ ସେନାଙ୍କ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ହସ୍ପିଟାଲରେ ଅଭିନନ୍ଦନଙ୍କ ଚିକିତ୍ସା ଚାଲିଛି। ଏବଂ ଡାକ୍ତର ଯାଞ୍ଚ କରିବାରେ ଲାଗିଛନ୍ତି ପାକିସ୍ତାନୀ ସେନା ଅଭିନନ୍ଦନଙ୍କ ଶରୀରରେ କୈାଣସି ପ୍ରକାରର ଔଷଧ ପ୍ରୟୋଗ କରିଛନ୍ତି କି ନାହିଁ। ଡାକ୍ତରଙ୍କ ଏହି ଯାଞ୍ଚ ପ୍ରକ୍ରିୟାକୁ କୁଲିଙ୍ଗ୍ ଡାଉନ୍ ପ୍ରକ୍ରିୟା କୁହାଯାଏ। ଏହି ପ୍ରକ୍ରିୟାରେ ଅନେକ ପ୍ରକାରର ଟେଷ୍ଟ କରାଯାଇଥାଏ। ଏଠାରେ ଅଭିନନ୍ଦନଙ୍କୁ ଭେଟିବା ପାଇଁ ନିକଟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ହସ୍ପିଟାଲକୁ ଯାଇଥିଲେ। ସେଠାକୁ ଯାଇ ନିର୍ମଳା ଅଭିନନ୍ଦନ ଏବଂ ତାଙ୍କ ପରିବାରକୁ ଭେଟିଥିଲେ। ଅଭିନନ୍ଦନ ତାଙ୍କୁ କହିଥିଲେ ସେଠାରେ ପାକିସ୍ତାନୀ ସେନା ତାଙ୍କ ସହ କିପରି ବ୍ୟବହାର କରିଥିଲେ।

ଅଭିନନ୍ଦନଙ୍କ ପରାକ୍ରମ ପାଇଁ ତାଙ୍କୁ ଭଗବାନ ମହାବୀର ଅହିଂସା ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ତାଙ୍କୁ ଏହି ପୁରସ୍କାର ଅପ୍ରେଲ୍ ୧୭ତାରିଖ ମିଳିବ। ସେ ଏହି ପୁରସ୍କାର ପାଉଥିବା ପ୍ରଥମ ବ୍ୟକ୍ତି। ଏହି ପୁରସ୍କାର ସହିତ ତାଙ୍କୁ ୨.୫୧ ଲକ୍ଷ ଟଙ୍କା ନଗଦ ରାଶି ଏବଂ ପ୍ରଶାସ୍ତି ଦିଆଯିବ।
