ଭିମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଡାକ୍ତର ଅଶ୍ବିନୀ ପୂଜାହାରୀ ୧୫ତାରିଖରେ ବିଜେପିରେ ଦେବେ ଯୋଗ !

Published By : Prameya-News7 Bureau | February 09, 2019 IST

ସମ୍ବଲପୁର ୯|୨: ବୁର୍ଲା ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଇସ୍ତଫା  ଦେଇଛନ୍ତି । ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ତରର ରାଜନୈତିକ ଦଳରେ ଯୋଗଦେବେ ବୋଲି ସଙ୍କେତ ଦେଇଛନ୍ତି । ସମ୍ଭବତଃ ଆସନ୍ତା ୧୫ତାରିଖରେ ଅମିତ ଶାହାଙ୍କ ସମ୍ବଲପୁର ଗସ୍ତ ବେଳେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଜଣେ ବରିଷ୍ଠ ନେତା ମଧ୍ୟ ଏହି ସୂଚନା ଦେଇଛନ୍ତି । ବିଜେପିରେ ଯୋଗଦେବା ପରେ ଆସନ୍ତା ବିଧାନସଭା ନିର୍ବାଚନରେ ସେ ସୋନପୁରରୁ ପ୍ରାର୍ଥୀ ହୋଇପାରନ୍ତି । ସୂଚନାଯୋଗ୍ୟ ଯେ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ନିଜ ଘର ସୋନପୁରର ରାଜାସାହିରେ । ଆଜି ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପୂଜାହାରୀ କହିଛନ୍ତି ଯେ, ଏ ସଂପର୍କରେ ସେ ଦିନେ ଦୁଇ ଦିନ ଭିତରେ ସବୁକଥା ସ୍ପଷ୍ଟ କରିବେ ।

ସୂଚନାଯୋଗ୍ୟ ଯେ, ଚିକିତ୍ସା ତ୍ରୁଟି ନେଇ ଭିମସାରର ତତ୍କାଳୀନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ  ବିରୋଧରେ ସଂଗୀନ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା । ତଦନ୍ତ ରିପୋର୍ଟ ଆଧାରରେ ଗତ ଡିସେମ୍ବର ୭ତାରିଖରେ ଅଶ୍ବିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ କହିଥିଲେ ରାଜ୍ୟ ସରକାର । ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ଜୁନିଅର ଡାକ୍ତରମାନେ ମଧ୍ୟ ଅଭିଯୋଗ ଆଣିଥିଲେ । ଏସବୁକୁ ନେଇ ଅଶ୍ବିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା । ଏହାପରେ ସେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାଙ୍କର ଜବାବ ଦେଇଥିଲେ । ତେବେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲେ । ଏପରିକି ତାଙ୍କ ଉତ୍ତର ମିଳିଥିବା ନେଇ ମଧ୍ୟ କୌଣସି ସୂଚନା ଆସିନଥିଲା ।

ରାଜ୍ୟ ସରକାରଙ୍କ ଉଦାସୀନତାକୁ ନଜରରେ ରଖି ଡାକ୍ତର ପୂଜାହାରୀ ବାରମ୍ବାର ରିମାଇଣ୍ଡର ଦେଇଥିଲେ । କିନ୍ତୁ ଏଥିରୁ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗତ ଜାନୁଆରୀ ୧୫ତାରିଖରେ ଡାକ୍ତର ପୂଜାହାରୀ ରାଜ୍ୟ ସରକାରଙ୍କୁ ଏକ ଚେତାବନୀ ପତ୍ର ଲେଖିଥିଲେ । ତାଙ୍କ ସଂପର୍କରେ ୧୫ଦିନ ଭିତରେ କୌଣସି ନିଷ୍ପତ୍ତି ନନେଲେ ସେ ଚାକିରୀରୁ ଇସ୍ତଫା ଦେବେ ବୋଲି ଏହି ପତ୍ରରେ ଦର୍ଶାଇଥିଲେ । ଫେବୃଆରୀ ୧ତାରିଖରେ ସମୟ ପୁରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆହୁରି ୭ଦିନ ଅପେକ୍ଷା କରି ଗତକାଲି ରାଜ୍ୟପାଳଙ୍କ ନିକଟକୁ ଇମେଲ୍ ଯୋଗେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗତକାଲି ଇସ୍ତଫା ଦେବା ପରେ ଡାକ୍ତର ପୂଜାହାରୀ ଆଜି ତାଙ୍କ ସରକାରୀ କ୍ବାର୍ଟର ମଧ୍ୟ ଖାଲି କରିଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭିମସାରର ଉନ୍ନତି କରିବା ପାଇଁ ସେ ଉଦ୍ୟମ କରୁଥିବାରୁ ବହୁ ଲୋକଙ୍କର ଅସୁବିଧା ହେଲା । ଏହି ଲୋକମାନେ ତାଙ୍କ ବିରୋଧରେ ଷଡଯନ୍ତ୍ର କଲେ । ଷଡଯନ୍ତ୍ରରେ ଖୋଦ୍ ରାଜ୍ୟ ସରକାର ମଧ୍ୟ ପକ୍ଷଭୁକ୍ତ ହେଲେ । ଭିମସାରର ସିଟ୍ ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରିବା ଲାଗି ସେ ଉଦ୍ୟମ କରିଥିଲେ । ଡାକତମାନଙ୍କ ଘରୋଇ ଚିକିତ୍ସା ଉପରେ ଅଙ୍କୁଶ ଲଗାଇଥିଲେ । ପିଜି ପରୀକ୍ଷା ହସ୍ପିଟାଲ ଭିତରେ କରିବା ପାଇଁ ପଦକ୍ଷେପ ନେଇଥିଲେ । ଏସବୁ ଜୁନିୟର ଡାକ୍ତର ଓ ତାଙ୍କର ସହଯୋଗୀମାନଙ୍କୁ ଅଡୁଆରେ ପକାଇଲା ।

ଆର୍ମି ହସ୍ପିଟାଲରୁ ଇସ୍ତଫା ଦେଇ ନିଜ ଅଞ୍ଚଳରେ ଥିବା ହସ୍ପିଟାଲର ଉନ୍ନତି କରିବା ଲାଗି ସେ ଆସିଥିଲେ । କିନ୍ତୁ ତାହା କରାଇ ଦିଆଗଲାନାହିଁ ବୋଲି ଡାକ୍ତର ପୂଜାହାରୀ ଆଜି ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ସେ ଯେକୌଣସି କ୍ଷେତ୍ରରେ ରହିଲେ ମଧ୍ୟ ଭିମସାରର ଉନ୍ନତି ପାଇଁ  କାମ କରିବେ ବୋଲି କହିଛନ୍ତି ।ମୁଖ୍ୟତଃ ରାଜ୍ୟ ସରକାରଙ୍କ ଅବହେଳା ଓ ଅଣଦେଖା କାରଣରୁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ।

{"id":83496}
{"id":83497}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.