ଇସ୍ତଫା ପରେ ଅନୀଲ ଦେଶମୁଖଙ୍କ କ୍ୟାରିୟରକୁ ନେଇ ଚର୍ଚ୍ଚା, ୨ ଦଶନ୍ଧୀ ଧରି ମହାରାଷ୍ଟ୍ର ରାଜନୀତିରେ ଥିଲେ ବିଚକ୍ଷଣ ନେତା

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୫।୪: ଶେଷରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଏନସିପି ନେତା ଅନିଲ ଦେଶମୁଖ ଇସ୍ତଫା ଦେଇଛନ୍ତି। ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରଠାରୁ ସେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ।  ପୂର୍ବତନ କମିଶନର ମାର୍ଚ୍ଚ ୨୫ ତାରିଖ ଦିନ ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାୟର କରିଥିଲେ। ଯେଉଁଥିରେ ଦେଶମୁଖ ବାର ଓ ରେଷ୍ଟୁରାଣ୍ଟମାନଙ୍କଠାରୁ ୧୦୦ କୋଟି ଟଙ୍କା ଅସୁଲି ଲାଗି ମହାରାଷ୍ଟ୍ରର ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ସିଂହ ଅଭିଯୋଗ ଆଣିଥିଲେ।

ତେବେ ସିଂହଙ୍କ ଅଭିଯୋଗକୁ ସେ ପ୍ରଥମରୁ ଅସ୍ୱୀକାର କରିଆସୁଥିଲେ। ସେ ସେପରି କୌଣସି ଭୁଲ କାମ କରିନଥିବା କହୁଥିଲେ। ହେଲେ  ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଇସ୍ତଫାପତ୍ର ଦେବା ପରେ ଏବେ ଏନସିପି ନେତାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହୁଏତ ସିବିଆଇ ତଦନ୍ତ ତାଙ୍କର ରାଜନୈତିକ ଭବିଷ୍ୟତରେ ଜବନିକା ଟାଣିପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ଅନିଲ ଦେଖମୁଖ କିଏ ଓ ରାଜ୍ୟ ରାଜନୀତିରେ କିପରି ନିଜ ଲାଗି ସ୍ଥାନ ସୃଷ୍ଟି କରିଥିଲେ ଆସନ୍ତୁ ଜାଣିବା। 

{"id":433696,"width":835,"height":469,"sizeSlug":"large","linkDestination":"none"}

୭୦ ବର୍ଷ ବୟସ୍କ ଅନିଲ ଦେଶମୁଖଙ୍କ ରାଜନୈତିକ କ୍ୟାରିୟର ୧୯୯୫ରେ ଆରମ୍ଭ ହୋଇଥିଲା। ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନଗପୁର କଟୋଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ସେବେଠାରୁ ସେ କେବେ ପଛକୁ ଫେରି ଚାହିଁ ନଥିଲେ। ୯୫ ମସିହାରେ ରାଜ୍ୟରେ ଶିବସେନା ଓ ବିଜେପି ମେଣ୍ଟ ସରକାର ଗଢିଥିଲେ। ଏଥିରେ ସେ ଶିବସେନା ପ୍ରତି ତାଙ୍କର ସମର୍ଥନ ଜଣାଇ ରାଷ୍ଟ୍ରମନ୍ତ୍ରୀ ପଦ ଯୋଗାଡ କରିବାରେ ସକ୍ଷମ ହୋଇଥିଲେ। ତେବେ ୧୯୯୯ ମସିହାରେ ସେ ଶିବସେନା-ବିଜେପି ମେଣ୍ଟରୁ ଓହରି ଯାଇ ନବଗଠିତ ଏନସିପିରେ ଯୋଗ ଦେଇଥିଲେ। ଦେଶମୁଖ୍  କଟୋଲ ଜିଲ୍ଲା ୱାଡବିହିରାର ମୂଳ ବାସିନ୍ଦା। ୨୦୦୧ ବିଧାନସଭା ନିର୍ବାଚନରେ ସେ ଏନସିପି ପ୍ରାର୍ଥୀ ଭାବେ କଟୋଲରୁ ବିଧାନସଭାକୁ ନିର୍ବାଚିତ ହେବା ସାଙ୍ଗକୁ କଂଗ୍ରେସ ଓ ଏନସିପି ମେଣ୍ଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।

୨୦୦୯ ମସିହା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ୱ ଦିଆଯାଇଥିଲା। ତେବେ ୨୦୧୪ ବିଧାନସଭା ନିର୍ବାଚନରେ ନିଜେ ନ ଲଢି ତାଙ୍କ ଭଣାଜାଙ୍କୁ ପ୍ରାର୍ଥୀ କରି ହାରି ଯାଇଥିଲେ। ୨୦୧୯ ନିର୍ବାଚନରେ ସେ ପୁଣି ରାଜନୀତିକୁ ଲମ୍ପ ପ୍ରଦାନ କରିବା ସହ  ନିଜ ପାରମ୍ପରିକ ଆଶନ କଟୋଲକୁ ପୁଣି ହାତମୁଠାକୁ ଆଣିବାରେ ସଫଳ ହେବା ସହ ରାଜ୍ୟରେ ଗଠିତ ମହାବିକାଶ ଅଘାଡ଼ି ସରକାରରେ ଗୃହମନ୍ତ୍ରୀ ଦାୟିତ୍ୱ ହାତେଇଥିଲେ। ଦୀର୍ଘ ଦୁଇ ଦଶନ୍ଧୀ ଧରି ରାଜ୍ୟ ରାଜନୀତିରେ ସେ ଜଣେ ବିଚକ୍ଷଣ ନେତା ଥିଲେ। ଏପରିକି ରାଜ୍ୟରେ ୨୦୧୪-୧୯ ଦେବେନ୍ଦ୍ର ପଡନବୀଶଙ୍କ ସରକାରରେ ସେ ନିଜ ଲାଗି ସ୍ଥାନଟିଏ ହାତେଇବାରେ ସଫଳ ଥିଲେ।

ତେବେ ପରମବୀର ସିଂହ ପ୍ରଥମ ଅଧିକାରୀ ନୁହନ୍ତି ଯିଏ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ପୂର୍ବରୁ ମହାରାଷ୍ଟ୍ର ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଆନନ୍ଦ କୁଲକର୍ଣ୍ଣି ମଧ୍ୟ ତାଙ୍କୁ ଗୁଡ଼  ଦୁର୍ନୀତି ଓ ଅବକାରୀ ଅଧିକାରୀଙ୍କ ବଦଳି ପୋଷ୍ଟିଂ ରେ ତାଙ୍କ ଭୂମିକା ଉପରୁ ପର୍ଦ୍ଦା ହଟାଇ ଦେବାକୁ ଧମକ ଦେଇଥିଲେ। ହେଲେ ମହା ବିକାଶ ଅଘାଡ଼ି ସରକାରରେ ତାଙ୍କ ବିରୋଧରେ ଦିଆଯାଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ହୁଏତ ତାଙ୍କ ରାଜନୈତିକ କ୍ୟାରିୟରକୁ ଏବେ ଅନ୍ତ କରିପାରେ ବୋଲି ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.