‘ରାମାୟଣ’, ‘ମହାଭାରତ’ ପରେ ଏବେ ସୁପରହିରୋ ‘ଶକ୍ତିମାନ’ ପାଳି, ଶୀଘ୍ର ଆସିବ ସିକ୍ୟୁଏଲ
30/03/2020 at 6:31 PM

ନୂଆଦିଲ୍ଲୀ ୩୦।୦୩: ଦେଶର ପ୍ରଥମ ଧାରାବାହିକ ସୁପରହିରୋ ‘ଶକ୍ତିମାନ’ ୯୦ ଦଶନ୍ଧିରେ ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ଥିଲା। ଏମିତି ଏକ ସୁପରହିରୋ ଯାହାକୁ ଦେଖିବା ପାଇଁ ଦେଶର ପ୍ରତ୍ୟେକ ପିଲା ଚାତକ ପରି ଚାହିଁ ରହୁଥିଲେ। ସେ ହେଉଛି ଶକ୍ତିମାନ। ଯିଏ ନିଜର ଶକ୍ତି ଜରିଆରେ ସଭିଙ୍କୁ ଚକିତ କରିବା ସହ ଲୋକଙ୍କୁ ଜରୁରୀ ସନ୍ଦେଶ ଦେଉଥିଲେ। ଯଦି ଆପଣ ଲକ୍ଡାଉନ୍ରେ ବୋର ହୋଇ ଯାଉଛନ୍ତି ଏବଂ ଆପଣ ଶକ୍ତିମାନର ପ୍ରଶଂସକ ତେବେ ଆପଣଙ୍କ ପାଇଁ ଏହା ଭଲ ଖବର।

ଲକ୍ଡାଉନ୍ କାରଣରୁ ଘରେ କଏଦ ଲୋକଙ୍କ ବୋରିଂକୁ ଦୂର କରିବା ପାଇଁ ନିକଟରେ ଟେଲିଭିଜନର ଦୂରଦର୍ଶନ ଚ୍ୟାନେଲରେ ‘ରାମାୟଣ’ ଓ ‘ମହାଭାରତ’ର ପ୍ରସାରଣ ଆରମ୍ଭ ହୋଇ ସାରିଛି। କେବଳ ଏତିକି ନୁହଁ ଶାହରୁଖ ଖାନଙ୍କ ‘ସର୍କସ’ ଓ ‘ବ୍ୟୋମକେଶ ବକ୍ସି’ ମଧ୍ୟ ଟିଭିରେ ପ୍ରସାରଣ ହେଉଛି। ଏହି ସମୟରେ କୁହାଯାଉଛି ଯେ ଶୀଘ୍ର ଶକ୍ତିମାନ ସିକ୍ୟୁଏଲ ଆସିବାକୁ ଯାଉଛି। କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ବନ୍ଦ ପଡିଥିବା ସୁଟିଂ ଆରମ୍ଭ ହେବା ପରେ ସିକ୍ୟୁଏଲ ଆରମ୍ଭ ହେବ।

ଶକ୍ତିମାନରେ ଗଙ୍ଗାଧର ଓ ଶକ୍ତିମାନର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଓ ସୋ ର ସହ ନିର୍ମାତା ମୁକେଶ ଖନ୍ନା ଶକ୍ତିମାନର ସିକ୍ୟୁଏଲ ଆସିବାର ସୂଚନା ଦେଇଛନ୍ତି। ମୁକେଶ ଖନ୍ନା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ଶକ୍ତିମାନର ସିକ୍ୟୁଏଲ ଉପରେ କାମ ଜାରି ରହିଛି। ଆମେ ଶକ୍ତିମାନର ସିକ୍ୟୁଏଲ ଏଥିପାଇଁ ତିଆରି କରୁଛୁ କାରଣ ଲୋକେ ଜାଣିବାକୁ ଚାହୁଁଛନ୍ତି ଯେ, ଶେଷ କଣ ଘଟିଲା। ମୋତେ ଲାଗୁଛି ଯେ ଯେମିତି ପରିସ୍ଥିତିରେ ପରିବର୍ତ୍ତନ ଆସିବ ଆମେ ବହୁତ ଶୀଘ୍ର ସୋକୁ ପରଦାକୁ ନେଇ ଆସିବୁ। କାରଣ ଏହି ସମୟରେ ଶକ୍ତିମାନର ଚାହିଦା ଅଧିକ ରହିଛି।

ମୁକେଶ ଖନ୍ନା ନିଜର ଟୁଇଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି ଯେ, ଲୋକଙ୍କୁ ଏବେ ଏକ ସଙ୍ଗେ ରାମାୟଣ ଓ ମହାଭାରତ ଦେଖିବାକୁ ମିଳୁଛି। ତାଙ୍କ ମୁତାବକ ଏହି ଦୁଇଟି ସୋ ସହିତ ସେ ଶୀଘ୍ର ଶକ୍ତିମାନକୁ ମଧ୍ୟ ନେଇକି ଆସିବେ। ଉଲ୍ଲେଖନୀୟ ମହାଭାରତରେ ମୁକେଶ ଖନ୍ନା ମହତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ। ସେ ମହାଭାରତରେ ଭୀଷ୍ମ ପିତାମହ ହୋଇଥିଲେ। ତାଙ୍କର ନିଖୁଣ ଅଭିନୟ ଦେଖି ସମସ୍ତେ ତାଙ୍କର ଦିଓ୍ଵାନା ହୋଇ ଯାଇ୍ଥିଲେ। ଏହା ପରେ ଶକ୍ତିମାନ ଚରିତ୍ରରେ ଆସି ସେ ଟେଲିଭିଜନରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଥିଲେ।