Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାମମନ୍ଦିର ଶିଳାନ୍ୟାସ ପରେ ଏବେ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ନେଇ ଆସିଲା ବଡ଼ ଖବର

6/08/2020 at 5:26 PM

ଅଯୋଧ୍ୟା ୬।୮: ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆଧାରଶିଳା ରଖିଛନ୍ତି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଐତିହାସିକ କାର୍ଯ୍ୟକ୍ରମ ପରେ ଏବେ ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି। ଏଥିଲାଗି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ  ଦ୍ୱାରା ଗଠିତ ଇଣ୍ଡୋ ଇସ୍ଲାମ କଲଚରାଲ ଫାଉଣ୍ଡେସନ (ଆଇଆଇସିଏଫ)ର କାର୍ଯ୍ୟାଳୟ ନିମନ୍ତେ ରାଜଧାନୀରେ ଘର ଚୂଡାନ୍ତ କରାଯାଇଛି। ଯାହା  ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ କାର୍ଯ୍ୟାଳୟରେ କାର୍ଯ୍ୟ  ଆରମ୍ଭ ହେବ ବୋଲି ବୋର୍ଡର କାର୍ମକର୍ତ୍ତା କହିଛନ୍ତି।

ଆଇଆଇସିଏଫ ସାଧାରଣ ସମ୍ପାଦକ ଅତହର ହୁସୈନଙ୍କ ଅନୁସାରେ ମସଜିଦ୍ ନିର୍ମାଣ ଲାଗି ଟ୍ରଷ୍ଟ ଗଠିତ ହୋଇସାରିଛି ଓ ଏବେ ଆମେ ନିୟମାନୁସାରେ ପାନ୍ କାର୍ଡ ଲାଗି ଆବେଦନ ମଧ୍ୟ କରିଛୁ। ପାନ୍‌ କାର୍ଡ ଆସିବା ପରେ ଅନଲାଇନ୍‌ ବୈଠକ କରି ବ୍ୟାଙ୍କ ପାସ୍‌ବୁକ୍ ଖୋଲିବା ଲାଗି ପ୍ରସ୍ତାବ ଗୃହୀତ କରାଯିବ। ଗତମାସରେ ମଧ୍ୟ ଅନଲାଇନ୍‌ ବୈଠକ ଯୋଗେ ଟ୍ରଷ୍ଟର ଗଠନ କରାଯାଇଥିଲା ବୋଲି ହୁସୈନ କହିଛନ୍ତି।

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟ ସରକାର ମସଜିଦ୍ ନିର୍ମାଣ ଲାଗି  ଅଯୋଧ୍ୟାର ଧନ୍ନିପୁରରେ  ୫ ଏକର ଜମି ଆବଣ୍ଟିତ କରିଦେଇଛନ୍ତି। ଟ୍ରଷ୍ଟଙ୍କ ସଦସ୍ୟଙ୍କ ଅନୁସାରେ ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା ମସଜିଦ୍ ଲାଗି ଟ୍ରଷ୍ଟ ସଦସ୍ୟଙ୍କୁ ଭୂମି ଅଧିକାର ପ୍ରଦାନ କରିଛନ୍ତି। ଏହା ସହ ଜିଲ୍ଲାପାଳ ରାଜସ୍ୱ ଅଭିଲେଖର ପ୍ରମାଣିତ କପି ମଧ୍ୟ ସେମାନଙ୍କୁ ପ୍ରଦାନ କରିଛନ୍ତି।

ସେପଟେ ଗାଁରେ ମସଜିଦ୍ ନିର୍ମାଣ ହେବ ବୋଲି ଖବର ପ୍ରଚାରିତ ହେବା ପରେ ଧନ୍ନିପୁରରେ ଖୁସିର ଲହରି ଖେଳିଯାଇଛି। ଇଣ୍ଡୋ ଇସ୍ଲାମ କଲଚରାଲ ଟ୍ରଷ୍ଟ ୫ ଏକର ଜମିରେ ଭବ୍ୟ ମସଜିଦ୍ ସମେତ ଇଣ୍ଡୋ ଇସ୍ଲାମିକ୍ ସେଣ୍ଟର, ଗ୍ରନ୍ଥାଗାର ଓ ଏକ ହସ୍ପିଟାଲ ମଧ୍ୟ ସ୍ଥାପନ କରିବାର ଯୋଜନା ରଖିଛି। ଏଣୁ ଧନ୍ନିପୁର ଗାଁ ଲୋକଙ୍କ ଖୁସି ଏବେ କହିଲେ ନସରେ। ଏଥିରେ ଗାଁର ମୁସଲମାନ ଲୋକେ ସବୁଠୁ ଅଧିକ ଖୁସିଥିବାର ଜଣାପଡିଛି।  ଗାଁର ମହମ୍ମଦ ଇଜହାର ମସଜିଦ୍ ଲାଗି ଅଯୋଧ୍ୟା ଜିଲ୍ଲା ପ୍ରଶାସନ ତାଙ୍କ ଗାଁର ଜମିକୁ ଚିହ୍ନଟ କରିଥିବାରୁ ସେ ନିଜକୁ ଅଶେଷ ଭାଗ୍ୟବାନ ମନେ କରୁଥିବା କହିଛନ୍ତି।

ସେହିପରି ଗାଁର ମହମ୍ମଦ ଇମ୍ରାନ ମନ୍ଦିର ଭଳି ମସଜିଦ୍‌ ନିର୍ମାଣ ଲାଗି ମଧ୍ୟ ଏକ ସଙ୍ଗରେ କାମ ଆରମ୍ଭ ହେବା କଥା। ହେଲେ ଟ୍ରଷ୍ଟ ଗଠନ, ସଦସ୍ୟ ମନୋନୟନ ଓ ଅନ୍ୟ କାର୍ଯ୍ୟ ଲାଗି ଏଥିରେ ବିଳମ୍ବ ହେଉଥିବା କହିଛନ୍ତି। ଟ୍ରଷ୍ଟରେ ମୋଟ ୧୫ ଜଣ ସଦସ୍ୟ ରହିବେ। ତେବେ ଏପର୍ଯ୍ୟନ୍ତ ୯ ଜଣଙ୍କ ନାମ ଘୋଷଣା ହୋଇଛି। ବାକି ୬ ଜଣଙ୍କ ନାମ ନୂଆ କାର୍ଯ୍ୟାଳୟ ସ୍ଥାପନା ସହ ଘୋଷଣା  କରାଯାଇପାରେ ବୋଲି ଇମ୍ରାନ  ଆଶାବ୍ୟକ୍ତ କରିଛନ୍ତି।

   Related Posts