Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାହୁଲଙ୍କ ପରେ ମମତାଙ୍କ ତୃଣମୂଳ ଆଣିଲା ସମାନ ଅଭିଯୋଗ, କହିଲା ବିଜେପି-ଫେସବୁକ୍ ମିଳିତ ମଞ୍ଚ

17/08/2020 at 5:37 PM

କୋଲକାତା ୧୭।୮: ରାହୁଲ ଗାନ୍ଧିଙ୍କ ଟ୍ୱିଟ୍‌ କେନ୍ଦ୍ରରେ ବିଜେପିକୁ ଏବେ ଏକଗୋଡିଆ କରିଛି। ସବୁ ବିରୋଧୀ ଦଳଙ୍କ ନଜର କେନ୍ଦ୍ର ସରକାରଙ୍କ ଉପରକୁ ଉଠିଥିବା ବେଳେ ଫେସ୍‌ବୁକ୍‌ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲେଣି। ଏଥିରେ ପଶ୍ଚିମବଙ୍ଗର ତୃଣମୂଳ ସାଂସଦ ସୌଗତ ରାୟ ବିଜେପି ଓ ଫେସ୍‌ବୁକ୍‌ ମିଳିତମଞ୍ଚ ବୋଲି କହିବା ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି।

ଫେସବୁକ୍ ବିଜେପି ସରକାରଙ୍କ ପ୍ରଭାବରେ ଅଛି। ଏଣୁ ନେତାମାନଙ୍କ ହେଟ୍‌ ସ୍ପିଚ୍‌ ରୋକିପାରିବେନି ବୋଲି ପୂର୍ବରୁ  ସୋସିଆଲ ମିଡିଆ ସଂସ୍ଥାର କର୍ମଚାରୀମାନେ କହିସାରିଛନ୍ତି। କାରଣ ଏପରି କିଛି କଲେ ସୋସିଆଲ ମିଡିଆର ବ୍ୟବସାୟ ପ୍ରଭାବିତ ହେବ। ଏଣୁ ଦେଶରେ ବିଜେପି-ଫେସବୁକ୍‌ ମିଳିତ ମଞ୍ଚ କୁହାଗଲେ କିଛି ଅତ୍ୟୁକ୍ତି ହେବନି ବୋଲି ରାୟ କହିଛନ୍ତି।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରବିବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ବିଜେପି ଓ ଆରଏସଏସ୍ ଫେସବୁକ୍ ଓ ହ୍ୱାଟସ୍‌ଆପକୁ ନିୟନ୍ତ୍ରିତ କରୁଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ। ଏହାର ପ୍ରମାଣ ଲାଗି ଏକ ଆମେରିକୀୟ ସମ୍ବାଦପତ୍ରର ରିପୋର୍ଟ କ୍ଲିପ୍‌ ମଧ୍ୟ ସେୟାର କରିଥିଲେ। ଦେଶରେ ସମ୍ପୃକ୍ତ ଅନୁଷ୍ଠାନ ଓ ଏହାର ରାଜନୈତିକ ଦଳ ମିସି ଏହି ସୋସିଆଲ ମିଡିଆ ଟୁଲକୁ ଘୃଣାର ପ୍ରସାର ଲାଗି ବ୍ୟବହାର କରୁଥିବାର ରାହୁଲ ଅଭିଯୋଗ କରିଥିଲେ। ଟ୍ୱିଟ୍‌ ପରେ ବିଜେପି ପକ୍ଷରୁ ରାହୁଲଙ୍କ ପୋଷ୍ଟର ଜବାବ ରଖିଥିଲେ ରବିଶଙ୍କର ପ୍ରସାଦ। ହେଲେ ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ।

ତେବେ ଆମେରିକାର ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ବିଜେପି ନେତା ଟି.ରଜାଙ୍କ ଫେସ୍‌ବୁକ ପୋଷ୍ଟକୁ ନେଇ ଏହି ଝଡ ଉଠିଛି। ଯେଉଁଥିରେ ରଜା ରୋହିଙ୍ଗ୍ୟା ମୁସଲମାନଙ୍କୁ ଗୁଳିକରିବା ଦରକାର ଓ ମୁସଲମାନମାନେ ଦେଶଦ୍ରୋହୀ ଏବଂ ସେମାନଙ୍କ ମସଜିଦ୍ ଭାଙ୍ଗିଦେବାକୁ ଧମକ୍ ଦେଇଥିଲେ। ଫେସବୁକ୍‌ କର୍ମଚାରୀମାନେ ଏହା ଦେଖି ବିରୋଧ କରିବା ସହ କମ୍ପାନୀର ନୀତି ବିରୋଧୀ ବୋଲି କହିଥିଲେ। ହେଲେ ଭାରତରେ ବସିଥିବା ଫେସବୁକ୍‌ ଅଧିକାରୀମାନେ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କରିନଥିଲେ ବୋଲି କର୍ମଚାରୀମାନେ କହିଥିବା ରିପୋର୍ଟରେ କୁହାଯାଇଛି। 

ଏହି ରିପୋର୍ଟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଫେସବୁକ୍ ସିଇଓ ମାର୍କ ଜୁକେରବର୍ଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।  ତେବେ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ମୁତାବକ ଏ ନେଇ ଅଧିକାରୀମାନେ ଫେସବୁକ୍‌ର ପବ୍ଲିକ ପଲିସି ଡାଇରେକ୍ଟର ଅଂଖୀ ଦାସଙ୍କୁ ଅଭିଯୋଗ ମଧ୍ୟ କରିଥିଲେ। ତେବେ ବିଜେପି ନେତାଙ୍କ ପୋଷ୍ଟ ଉପରେ ଆକ୍ସନ ନେଲେ ଭାରତରେ ସୋସିଆଲ ମିଡିଆ କମ୍ପାନୀର ବିଜନେସ୍‌ ପ୍ରଭାବିତ ହେବବୋଲି ଡାଇରେକ୍ଟର କହିଥିବା ରିପୋର୍ଟରେ ଉଲ୍ଲେଖ ଅଛି। 

   Related Posts