ଲିଙ୍ଗରାଜ ମନ୍ଦିର ଉଚ୍ଛେଦକୁ ନେଇ ବଢୁଛି ଅସନ୍ତୋଷ : ଆନ୍ଦୋଳନ ପରେ ବନ୍ଦ ହେଲା ଉଚ୍ଛେଦ କାମ
10/12/2019 at 4:39 PM

ଭୁବନେଶ୍ବର ୧୦/୧୨: ଆନ୍ଦୋଳନ ପରେ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ କାମ । ବୁଧବାର ବିଏମସି କମିଶନରଙ୍କ ସହ ଆଲୋଚନା ପରେ ଉଚ୍ଛେଦ କାମ ଜାରି ରହିବ କି ବନ୍ଦ ହେବ ସେ ନେଇ ନିଷ୍ପତ୍ତି ନିଆଯିବ । ଥଇଥାନ ଦାବିରେ ମଙ୍ଗଳବାର ବ୍ୟବସାୟୀ ସଂଘ ଲିଙ୍ଗରାଜ ଥାନା ସମ୍ମୁଖରେ ଆନ୍ଦୋଳନରେ ବସିଥିଲା । ଏହି ଆନ୍ଦୋଳନକୁ ସମର୍ଥନ କରି ବିଜେପି କଂଗ୍ରେସ ବି ଧାରଣାରେ ବସିଥିଲା ।

ଲିଙ୍ଗରାଜ ମନ୍ଦିର ଚାରିପାଖ ଉଚ୍ଛେଦକୁ ନେଇ ବଢୁଛି ଅସନ୍ତୋଷ । ଆଗେ ଥଇଥାନ ପରେ ଉଛେଦ- ଏହି ଦାବି ନେଇ ମଙ୍ଗଳବାର ଆନ୍ଦୋଳନ ବ୍ୟାପକ ହେବା ପରେ ଭଙ୍ଗା କାର୍ଯ୍ୟ ସ୍ଥଗିତ ରଖିଛି ପ୍ରଶାସନ । ସକାଳ ୮ଟା ବେଳକୁ ବୁଲଡୋଜର ଧରି ବିଏମସି, ବିଡିଏ ଅଧିକାରୀ ପହଞ୍ଚିବା ପୂର୍ବରୁ ଥଇଥାନ ଦାବିରେ ଲିଙ୍ଗରାଜ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ବ୍ୟବସାୟୀ । ଏହାକୁ ସମର୍ଥନ କରି କଂଗ୍ରେସ, ବିଜେପି ନେତା ଓ କର୍ମୀ ଧାରଣାରେ ସାମିଲ ହୋଇଥିଲେ । ଥଇଥାନ ସହ ଉଚ୍ଛେଦ ପରେ କଣ ସବୁ କାର୍ଯ୍ୟକ୍ରମ କରାଯିବ ସେ ନେଇ ସବିଶେଷ ତଥ୍ୟ ଦେବାକୁ ଦାବି କରିଥିଲେ । ଯାହାକୁ ନେଇ ପ୍ରଶାସନ ଅଡୁଆରେ ପଡିଥିଲା ।

ଆନ୍ଦୋଳନକାରୀ ଓ ପ୍ରଶାସନ ମଧ୍ୟରେ ପାଖାପାଖି ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା । ତେବେ ବୁଧବାର ବିଏମସି କମିଶନରଙ୍କ ସହ ଆଲୋଚନା ପରେ ଉଚ୍ଛେଦ କାମ ଜାରି ରହିବ କି ବନ୍ଦ ହେବ ସେ ନେଇ ନିଷ୍ପତ୍ତି ନିଆଯିବ । ବିଏମସି କମିଶନରଙ୍କ ସହ ୧୦ ଜଣିଆ ପ୍ରତିନିଧି ଦଳ ଆଲୋଚନା କରିବେ । ସେପଟେ ଏକାମ୍ର ବିଧାୟକ କହିଛନ୍ତି ୭୮ ଜଣ ଦୋକାନୀଙ୍କୁ ଥଇଥାନ କରାଯାଇଛି । ଉଚ୍ଛେଦ ହୋଇଥିବା ଅନ୍ୟ ଦୋକାନୀଙ୍କ ତାଲିକା ଦେବାକୁ ବ୍ୟବସାୟୀ ସଂଘକୁ କୁହାଯାଇଛି । ତେବେ ଏତେ ସବୁ ପରେ ବି କାହିଁକି ବ୍ୟବସାୟୀ ସଂଘ ଧାରଣା ଦେଲା ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।
