ପିଆଜ ପରେ କନ୍ଦାଉଛି ଆଳୁ, ଚିନ୍ତାରେ ଖାଉଟି...

Published By : Prameya-News7 Bureau | January 06, 2020 IST

ଭୁବନେଶ୍ବର୬/୧ : ପିଆଜ ପରେ ଏବେ କନ୍ଦାଉଛି ଆଳୁ । କାରଣ ଆଳୁ ଦର ଏବେ ଆକାଶ ଛୁଆଁ । ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହା ଆଗକୁ ଆହୁରି ବଢିପାରେ।କୋରାପୁଟ ଜିଲ୍ଲାରେ ଆଳୁ ଉତ୍ପାଦନ ହେଉଥିଲେ ବି ଦର କିନ୍ତୁ ଏଠି କିଲୋ ପିଛା ୩୦ ଟଙ୍କା ତଳକୁ ଖସୁନି। ଯାହାକୁ ନେଇ ଚିନ୍ତାରେ ଖାଉଟି।

{"id":207817,"sizeSlug":"large"}

ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର ।୧୫ ଦିନ ମଧ୍ୟରେ ଦର କିଲୋ ପିଛା ୨୦ରୁ ବଢି ୩୦ରେ ପହଞ୍ଚିଲାଣି । ଜୟପୁର ବଜାରକୁ ପୂର୍ବରୁ ରାୟପୁର ଓ କଲିକତାରୁ ଆଳୁ ଆସୁଥିଲା।ପ୍ରତିଦିନ ଜୟପୁର ସହର ଓ ଆଖପାଖ ଅଂଚଳ ପାଇଁ ୨ ଟ୍ରକ ଆଳୁ ଆବଶ୍ୟକ।କିନ୍ତୁ ସେହି ଅନୁସାରେ ବଜାରକୁ ଆଳୁ ଆସୁନି।ରାୟପୁରରୁ ଆଳୁ ଆମଦାନୀ ବନ୍ଦ ହୋଇଥିବା ବେଳେ କେବଳ କଲିକତା ବଜାର ଉପରେ ନିର୍ଭରଶୀଳ ସ୍ଥାନୀୟ ବ୍ୟବସାୟୀ।ଯାହାକି ଦର ବୃଦ୍ଧିର କାରଣ ବୋଲି କୁହାଯାଉଛି । ଯାହାକୁ ନେଇ ଚିନ୍ତାରେ ଖାଉଟି ।

ସେପଟେ କୋରାପୁଟ ଭଳି ଜିଲ୍ଲା ଯେଉଁଠି ଆଳୁ ଉତ୍ପାଦନ ହୋଇଥାଏ ସେଠାରେ ଏପରି ଦର ବୃଦ୍ଧିକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପଟ୍ଟାଙ୍ଗୀ,ସେମିଳିଗୁଡା  ଆଦି ସ୍ଥାନରେ ଆଳୁ ଚାଷ ହୋଇଥାଏ।ଆଉ ଏହାକୁ ଆଖି ଆଗରେ ରଖି କିଛି ବର୍ଷ ତଳେ ଆଳୁ ମିଶନ ସରକାର ଘୋଷଣା କରିଥିଲେ।

ଏହି ମିଶନରେ  ଆଳୁ ଚାଷୀଙ୍କୁ ରାଜ୍ୟ ସରକାର ଆଳୁ ଚାଷ ପାଇଁ ପ୍ରୋତ୍ସାହନ ଦେବା ସହ ନୂଆଁ ଶୀତଳ ଭଣ୍ଡାର କରିବାକୁ ପ୍ରସ୍ତାବ ରଖିଥିଲେ।ହେଲେ ଏହା ଫେଲ୍ ଫେରିଲା।ଫଳରେ ଆଳୁ ଚାଷ ପ୍ରତି ଜିଲ୍ଲାର ଚାଷୀ ବିମୁଖ ହେଉଥିବା ଅଭିଯୋଗ ହୋଇଛି। ଆଳୁ ନ ହେଲେ ନ ଚଳେ । ତେଣୁ ପିଆଜ ଦର ସାମାନ୍ୟ ହ୍ରାସ ପାଇଥିଲେ ବି ଆଳୁ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.