୯ ବର୍ଷ ପରେ ଆମେରିକାରୁ ପୁଣି ମାନବ ମିଶନ୍, ସ୍ବଦେଶୀ ରକେଟ୍‌ରେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌କୁ ଯିବେ ଦୁଇ ମହାକାଶଚାରୀ

Published By : Prameya-News7 Bureau | April 20, 2020 IST

ଓ୍ବାଶିଂଟନ୍ ୨୦।୪: ୨୧ ଜୁଲାଇ ୨୦୧୧ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ମେ ମାସରେ ଆମେରିକା ପୃଷ୍ଠରୁ କୌଣସି ମାନବ ମିଶନ ମହାକାଶକୁ ଯିବ । ତାହା ମଧ୍ୟ ଆମେରିକୀୟ ରକେଟ୍ ରୁ । ଅର୍ଥାତ୍ ୯ ବର୍ଷ ପରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ତାର ମହାକାଶ କେନ୍ଦ୍ରରୁ ସ୍ବଦେଶୀ ରକେଟରେ ମହାକାଶଚାରୀଙ୍କୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ପଠାଇବ । ନାସା ଏହାର ତାରିଖ ସ୍ଥିର କରିଛି ।

୨୭ ମେ ୨୦୨୦ରେ ନାସା ଆମେରିକାର ମାଟିରୁ ଦୁଇ ଜଣ ଆମେରିକୀୟ ମହାକାଶଚାରୀଙ୍କୁ ଆମେରିକୀୟ ରକେଟରେ ଆଇଏସଏସକୁ ପଠାଇବ । ଏହି ମିଶନରେ ସ୍ପେସ୍ ଷ୍ଟେସନକୁ ଯାଉଥିବା ଆମେରିକୀୟ ମହାକାଶଚାରୀଙ୍କ ନାମ ରବର୍ଟ ବେନକେନ୍ ଏବଂ ଡଗଲାସ୍ ହର୍ଲି । ଆମେରିକୀୟ କମ୍ପାନୀ ସ୍ପେସ୍-ଏକ୍ସର ମହାକାଶଯାନ ଡ୍ରାଗନ୍‌ରୁ ଏହି ଦୁଇ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ପଠାଯିବ । ସ୍ପେସ୍-ଏକ୍ସ ହେଉଛି ଆମେରିକୀୟ ଶିଳ୍ପପତି ଏଲନ୍ ମସ୍କଙ୍କ କମ୍ପାନୀ । ଏହା ନାସା ସହିତ ମିଶି ଭବିଷ୍ୟତ ପାଇଁ ଅନେକ ସ୍ପେସ୍ ମିଶନରେ କାମ କରୁଛି ।

ସ୍ପେସ୍-ଏକ୍ସ ଡ୍ରାଗନ୍ ମହାକାଶଯାନ ଆମେରିକାର ସବୁଠାରୁ ବିଶ୍ବସ୍ତ ରକେଟ୍ ଫାଲକନ୍ -୯ ଉପରେ ସ୍ଥାପନ କରାଯିବ । ଏହାପରେ ଫ୍ଲୋରିଡାର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଫାଲକନ୍ -୯ ରକେଟ୍ ଉତକ୍ଷେପଣ କରାଯିବ । ଏହି ମିଶନର ନାମ ଡେମୋ-୨ ମିଶନ୍ ଦିଆଯାଇଛି । ଡେମୋ-୧ ମିଶନରେ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟ ସଫଳତାର ସହିତ ସ୍ପେସ୍ ଷ୍ଟେସନକୁ ସାମଗ୍ରୀ ପରିବହନ କରିଥିଲା ।

୯ ବର୍ଷ ପରେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ବ୍ୟବସାୟିକ କ୍ରୁ ପ୍ରୋଗ୍ରାମ ଆରମ୍ଭ କରୁଛି । ଏହି ମିଶନର ସଫଳତା ପରେ ଆମେରିକାକୁ ସେମାନଙ୍କ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଋଷ ଏବଂ ୟୁରୋପୀୟ ଦେଶମାନଙ୍କ ନିକଟକୁ ଯିବାକୁ ପଡିବ ନାହିଁ ।

ଏହି ମିଶନରେ ରୋବର୍ଟ ବେନକେନ୍ ମହାକାଶଯାନର ଡକିଂ ଅଥବା ସ୍ପେସ୍ ଷ୍ଟେସନ୍ ସହିତ ସଂଯୋଗ, ଅନ୍ ଡକିଂ ଅଥବା ସ୍ପେସ୍ ଷ୍ଟେସନରୁ ଅଲଗା ହେବା ଏବଂ ଏହାର ପଥ ନିର୍ଣ୍ଣୟ କରିବେ । ବେନକେନ୍ ପୂର୍ବରୁ ୨୦୦୮ ଏବଂ ୨୦୧୦ରେ ସ୍ପେସ୍ ଷ୍ଟେସନ୍ ପରିଦର୍ଶନ କରିଛନ୍ତି ।

ସେହିଭଳି ଡଗଲସ୍ ହର୍ଲି ଡ୍ରାଗନ୍ ମହାକାଶଯାନର କମାଣ୍ଡର ହେବେ । ଉତକ୍ଷେପଣ, ଅବତରଣ ଏବଂ ପୁନରୁଦ୍ଧାର ପାଇଁ ସେ ଦାୟୀ ରହିବେ । ୨୦୦୯ ଏବଂ ୨୦୧୧ରେ ଡଗଲସ୍ ସ୍ପେସ୍ ଷ୍ଟେସନକୁ ଯାଇସାରିଛନ୍ତି । ସେ ଜଣେ ସିଭିଲ୍ ଇଞ୍ଜିନିୟର ଥିଲେ । ପରେ ୨୦୦୦ରେ ସେ ନାସା ସହିତ ଜଡିତ ହୋଇଥିଲେ । ଏହା ପୂର୍ବରୁ ସେ ଆମେରିକାର ମେରାଇନ୍ କର୍ପସରେ ଯୁଦ୍ଧ ବିମାନ ପାଇଲଟ୍ ଥିଲେ ।

ମେ ମାସରେ ଆରମ୍ଭ ହେବାକୁ ଥିବା ଏହି ମିଶନ ପରେ ଉଭୟ ମହାକାଶଚାରୀ ୧୧୦ ଦିନ ସ୍ପେସ୍ ଷ୍ଟେସନରେ ରହିବେ । ସ୍ପେସ୍-ଏକ୍ସ ଡ୍ରାଗନ୍ କ୍ୟାପସୁଲ୍ ଏକ ସମୟରେ ୨୧୦ ଦିନ ସ୍ପେସ୍ ରେ ସମୟ ବିତାଇପାରେ । ଏହାପରେ ତାର ମରାମତି ପାଇଁ ପୃଥିବୀକୁ ଫେରିବାକୁ ପଡିବ ।

୨୭ ଜୁଲାଇ ୨୦୧୧ରେ ନାସା ଏହାର ସଫଳ ସ୍ପେସ୍ ସଟଲ୍ ପ୍ରୋଗ୍ରାମ ବନ୍ଦ କରିଦେଇଥିଲା । ସେହି ଦିନ ସ୍ପେସ୍ ସଟଲ୍ ଆଟଲାଣ୍ଟିସ୍ ପୃଥିବୀକୁ ଫେରିଥିଲା । ସ୍ପେସ୍ ସଟଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ସ୍ପେସ୍ ଷ୍ଟେସନକୁ ୧୩୫ ଉଡାଣ କରାଯାଇଥିଲା । ୩୦ ବର୍ଷ ଧରି ଚାଲିଥିବା ଏହି ପ୍ରୋଗ୍ରାମରେ ୩ଶହରୁ ଅଧିକ ମହାକାଶଚାରୀଙ୍କୁ ମହାକାଶକୁ ପଠାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.