Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୟାଗଡ଼ ପରେ କୋରାପୁଟର ଝିଅ ଦେଖାଇଲେ ଜଲଓ୍ବା…

12/07/2020 at 6:38 PM

କୋରାପୁଟ୧୨/୭: ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ କୋରାପୁଟର ଆଉ ଏକ ଝିଅ।ଜିରୋନ୍‌ ପ୍ରଡକ୍ସନ ଦ୍ବାରା ଆୟୋଜିତ ମିସ୍‌ ଇଣ୍ଡିଆ -୨୦୨୦ ପ୍ରତିଯୋଗିତାରେ ଫାଇନାଲ୍‌ ରାଉଣ୍ଡରେ ପହଁଞ୍ଚିଛନ୍ତି କୋଟପାଡର ଝିଅ ପ୍ରାଂଜଲ ପାତ୍ର। ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲ ରାଉଣ୍ଡରେ ପହଞ୍ଚିଥିବାରୁ ପ୍ରାଂଜଲଙ୍କ ନିକଟକୁ ଏବେ ଛୁଟୁଛି ପ୍ରଶଂସାର ସୁଅ।ସେପଟେ ଫାଇନାଲ ରାଉଣ୍ଡରେ ବିଜୟୀ ହୋଇ ବଲଉଡ୍‌ ଏଣ୍ଟ୍ରି ଲକ୍ଷ୍ୟରେ ପ୍ରାଂଜଲ।

କୋରାପୁଟ ଜିଲ୍ଲା କୋଟପାଡ ସହରର ପ୍ରାଂଜଲ ପାତ୍ର। ଛୋଟିଆ ସହରର ଏହି ଝିଅକୁ ନେଇ ଏବେ ଜିଲ୍ଲା ସାରା ଚର୍ଚ୍ଚା ।ଆଉ ଶୁଭେଚ୍ଛୁଙ୍କ ଠାରୁ ଛୁଟୁଛି ପ୍ରଶଂସାର ସୁଅ। କାରଣ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ପ୍ରାଂଜଲ ଦେଖାଇଛନ୍ତି ନିଜର ଜଲଓ୍ବା। ଜିରୋନ ପ୍ରଡକ୍ସନ ହାଉସ ଦ୍ବାରା ଆୟୋଜିତ ମିସ୍‌ ଓ ମିଷ୍ଟର ଇଣ୍ଡିଆ -୨୦୨୦ ପ୍ରତିଯୋଗିତାରେ ଶହ ଶହ ପ୍ରତିଯୋଗୀଙ୍କୁ  ପଛରେ ପକାଇ ଏବେ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ସେ।

ଫଟୋ ସେସନ,ପ୍ରଶ୍ନ ଉତ୍ତର ରାଉଣ୍ଡ ସହ ରାମ୍ପ ଓ୍ବାର୍କ ରାଉଣ୍ଡରେ ସେ ଉନ୍ନତ ମାନର ପ୍ରଦର୍ଶନ କରିଛନ୍ତି।ଖୁବଶୀଘ୍ର ଏହାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବେ ଓ ଏଥିରେ ସେ ବିଜୟୀ ହୋଇ ସାରା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି କୋରାପୁଟର ଏହି ସୁନା ଝିଅ। ସେପଟେ ଝିଅର ଏପରି ସଫଳତାକୁ ନେଇ ପ୍ରାଂଜଲଙ୍କ ପରିବାରର ଖୁସି କହିଲେ ନସରେ।

ପ୍ରାଂଜଲ ଏବେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ। ତେବେ ପିଲାଟି ଦିନରୁ ମଡେଲିଂ ପ୍ରତି ତାଙ୍କର ରୁଚି ରହିଛି।ଆଉ ମଡେଲିଂ ସହ ଅଭିନୟ ଜଗତରେ ପାଦ ଥାପିବା ଲକ୍ଷ୍ୟରେ ସେ।ଏଥିପାଇଁ ଅନୁପମ ଖେରଙ୍କ ତାଲିମ କେନ୍ଦ୍ରରେ ବି ସେ ନାମ ଲେଖାଇଛନ୍ତି।ବଲିଉଡ ଅଭିନେତ୍ରୀଙ୍କୁ ନିଜର ଆଦର୍ଶ  ଭାବେ ଗ୍ରହଣ କରିଥିବା ପ୍ରାଂଜଲ ଆଗାମୀ ଦିନରେ ବଲିଉଡରେ ଅଭିନୟ କରିବା ନେଇ ଲକ୍ଷ୍ୟ ରଖିଛନ୍ତି।

ଜାତୀୟ ସ୍ତରର ଏହି ପ୍ରତିଯୋଗିତାରେ କୋରାପୁଟର ଝିଅ ସଫଳତା ପାଇବା କିଛି କମ କଥା ନୁହେଁ।ଆଉ ପ୍ରାଂଜଲଙ୍କ ଏହି ସଫଳତା ମଡେଲିଂରେ ରୁଚି ରଖୁଥିବା ଅନେକ ଝିଅଙ୍କ ମନରେ ନୂଆଁ ଆଶା ସଂଚାର କରିଛି। ସେହିପରି ନୟାଗଡ଼ର ଝିଅ ଅପସରା ବିଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

   Related Posts