ପ୍ରେମ ବିବାହର ୨ଦିନ ପରେ ଘରୁ ପଳାଇଲେ ସ୍ବାମୀ, ଶାଶୁଘର ଲୋକ କହିଲେ- 'ସ୍ବାମୀ ସହ ରହିବାକୁ ହେଲେ ବାପଘରୁ ଆଣେ ୨୦ଲକ୍ଷ ଟଙ୍କା'

Published By : Prameya-News7 Bureau | January 02, 2021 IST

ସୁରଟ ୨।୧: ସୁରଟ ବେସୁ ଅଞ୍ଚଳରେ ରହୁଥିବା ପରିଣୀତି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ବିବାହର ଦୁଇ ଦିନ ପରେ ହିଁ ଛାଡିଦେଲେ । ସବୁଠୁ ଅଶ୍ଚର୍ଯ୍ୟଜନକ କଥା ଯେ, ଉଭୟ ପ୍ରେମ ବିବାହ କରିଥିଲେ । ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ ସେ କେଉଁଠିକୁ ଯାଉଛନ୍ତି ଏବଂ ୧୦ ମିନିଟ୍ ରେ ଫେରିଆସିବେ । ମାତ୍ର ସେ ଆଉ ଫେରିନଥିଲେ । ସେ ତାଙ୍କ ମୋବାଇଲ ମଧ୍ୟ ସ୍ବିଚ୍ଅଫ୍ କରିଦେଇଥିଲେ । ଯେତେବେଳେ ପରିଣୀତି ତାଙ୍କ ସ୍ବାମୀଙ୍କୁ ଖୋଜିବାକୁ ଘରୁ ଯାଉଥିଲେ ସେତେବେଳେ ତାଙ୍କ ଶାଶୁଘରଲୋକ ତାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଇଥିଲେ । ଏହାସହ ତାଙ୍କୁ ଘରୁ ମଧ୍ୟ ବାହାର କରିଦେଇଥିଲେ ଏବଂ କହିଥିଲେ ଯଦି ସେ ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତାଙ୍କ ବାପା-ମାଆଙ୍କଠାରୁ ୨୦ ଲକ୍ଷ ଟଙ୍କା ଆଣିବାକୁ ପଡିବ ।

ସୂଚନା ଅନୁସାରେ ୨୦୨୦ ମସିହା ଡିସେମ୍ବର ୧୧ ତାରିଖରେ ପରିଣୀତିଙ୍କର ଆଶାନଗର ନିବାସୀ ଜୟ ନୀରଜ ଜଗାନୀଙ୍କ ସହ ପ୍ରେମ ବିବାହ କରିଥିଲେ । ଶାଶୁଘର ଲୋକ ବିବାହ ପରେ ପରେ ହିଁ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଏହାପରେ ଶାଶୁ-ଶ୍ବଶୁର ତାଙ୍କୁ ଘରୁ ଧକ୍କା ମାରି ବାହାର କରିଦେଇଥିଲେ ।

ବିବାହର ଦୁଇ ଦିନ ପରେ ସ୍ବାମୀ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ପରିଣୀତଙ୍କ ବାପା-ମା ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲେ । ସେ ଅସହାୟ ଥିଲେ । ସ୍ବାମୀଙ୍କୁ ଖୋଜିବାକୁ ବାହାରିବାରୁ ଶାଶୁଘର ଲୋକଙ୍କ ନିର୍ଯାତନାର ଶିକାର ହେଲେ । ପରିଣୀତି ଶେଷରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.