୨୦୧୯ ବିଶ୍ବକପ୍ ସେମିଫାଇନାଲରେ ଭାରତ ହାରିବା ପରେ ଏହି ଖେଳାଳିଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ବ
14/07/2019 at 1:42 PM

ବିଶ୍ବକପ୍ ୨୦୧୯ରୁ ବାହାରିଯିବା ପରେ ଏବେ ଭାରତୀୟ ଟିମ୍ ର ଲକ୍ଷ ରହିଛି ଓ୍ବେଷ୍ଟଇଣ୍ଡିଜ୍ ଖେଳାଯିବାଜକୁ ଥିବା ସିରିଜ୍ ଉପରେ। ଭାରତୀୟ ଦଳର ଓ୍ବେଷ୍ଟଇଣ୍ଡିଜ୍ ଗସ୍ତକୁ ନେଇ ଏବେ ବଡ ଖବର ସାମ୍ନାକୁ ଆସିଛି । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ୍ ରେ ଟିମ୍ ର କିଛି ସିନିୟର ଖେଳାଳିଙ୍କୁ ଆରାମ ମିଳିପାରେ । ଏହି ଖେଳାଳିମାନଙ୍କ ମଧ୍ୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ଓ୍ବିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ, ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ଏବଂ ଭୁବନେଶ୍ବର କୁମାରଙ୍କ ନାଁ ସାମିଲ ରହିଛି ।
ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅନୁଭବି ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଟିମ୍ ର ଦାୟିତ୍ବ ସମ୍ଭାଳିବେ । ଏହା ପୂର୍ବରୁ ମଧ୍ୟ ରୋହିତ ଶର୍ମା ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ର ଅଧିନାୟକ ରହିସାରିଛନ୍ତି । ଏହାସହ ତାଙ୍କ ପାଖରେ ଆଇପିଏଲ ମ୍ୟାଚ୍ ରେ ଅଧିନାୟକତ୍ବର ଅନୁଭବ ରହିଛି ।
ଆଇସିସି ବିଶ୍ବକପ୍ ୨୦୧୯ର ପ୍ରଥମ ସେମିଫାଇନାଲରେ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡଠାରି ମାତ୍ର ୧୮ରନ୍ ରେ ପରାସ୍ତ ହୋଇଥିଲା । ଏହି ପରାଜୟ ସହ ୮ବର୍ଷ ପରେ ବିଶ୍ବକପ୍ ଜିତିବାର ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୩ତାରିଖରୁ ଓ୍ବେଷ୍ଟଇଣ୍ଡିଜ୍ ସହ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍, ୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ ।