ରେସନ୍ ହୋମ ଡେଲିଭରି କରିବେ ଅନଲାଇନ୍ ଫୁଡ ଆପ୍ Swiggy, ୪୫ ମିନିଟ୍ରେ ଘରେ ପହଞ୍ଚିବ ସଉଦା ଓ ପରିବା
10/08/2020 at 6:45 PM

ନୂଆଦିଲ୍ଲୀ ୧୦।୮: କରୋନା ଭାଇରସ ମହାମାରୀ ଲୋକଙ୍କୁ ଘରେ ବନ୍ଦୀ କରିଦେଇଛି। ସେତେ ଜରୁରି ନ ପଡିଲେ ଲୋକେ ଘରୁ ବାହରକୁ ବାହାରିବାକୁ ଚାହୁଁନାହାନ୍ତି। ଏଣୁ ଅନଲାଇନ୍ କାରବାର ଦେଶରେ ବଢିବାରେ ଲଗିଛି। ଲୋକେ ଘରେ ବସି ଅନଲାଇନରେ ସେମାନଙ୍କ ଅର୍ଡର ଦେଉଛନ୍ତି ଓ ସେହି ମୁତାବକ ଖାଦ୍ୟଠୁ ଆରମ୍ଭ କରି ସଉଦା ଓ ପନିପରିବା ମଧ୍ୟ ଘର ଦୁଆରେ ପହଞ୍ଚୁଛି। ଏଣୁ ଲୋକଙ୍କୁ ଦୋକାନ ବଜାର ଯିବାକୁ ପଡୁନାହିଁ।

ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏପର୍ଯ୍ୟନ୍ତ ଅନଲାଇନ୍ ଫୁଡ ଡେଲିଭରି କରୁଥିବା ‘ସ୍ୱିଗି’ ଏବେ ଘର ଦୁଆରେ ସଉଦା ଡେଲିଭରି ଦେବାର ବ୍ୟବସ୍ଥା କରୁଛନ୍ତି। ଏଥିରେ ଗ୍ରାହକ ଅନଲାଇନ୍ରେ ଅର୍ଡର ପ୍ଲେସ କରିବାର ମାତ୍ର ୪୫ ମିନିଟ୍ରେ ଘର ଦୁଆରେ ସଉଦା ପହଞ୍ଚାଇ ଦେଉଛନ୍ତି। କମ୍ପାନୀ ତାଙ୍କର ଗ୍ରୋସରୀ ହୋମ ଡେଲିଭରିକୁ ‘ସ୍ୱିଗି ଇନଷ୍ଟାମାର୍ଟ’ ନାମକରଣ କରିଛନ୍ତି।

ସକାଳ ୭ରୁ ରାତି ୧୨ ପର୍ଯ୍ୟନ୍ତ କରିପାରିବେ ଅର୍ଡର
ଏହି ସେଗମେଣ୍ଟରେ ସ୍ୱିଗିର ପ୍ରତିଦ୍ୱନ୍ଦ୍ୱୀତା ଫ୍ଲିପକାର୍ଟ କ୍ୱିକ୍, ବିଗ୍ ବାସ୍କେଟ୍, ଡନଜୋ ଓ ଗ୍ରୋଫର୍ସ ସହିତ ହେବ। ଅର୍ଡର ମିଳିବାର ମାତ୍ର ୩୦ରୁ ୪୫ ମିନିଟ୍ ମଧ୍ୟରେ ସାମଗ୍ରୀର ହୋମ ଡେଲିଭରି ଦେଇ ଦିଆଯିବ। ଗ୍ରାହକଙ୍କୁ ଅର୍ଡର କରିବାର ସୁବିଧା ସକାଳ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ମିଳିବ। ସ୍ୱିଗି ଇନଷ୍ଟାମାର୍ଟ ଜରିଆରେ ଆପଣ ସ୍ନାକ୍ସ, ଆଇସ୍କ୍ରିମ, ଫଳ, ପନିପରିବା ଓ ଗ୍ରୋସରି ସାମଗ୍ରୀ ମଧ୍ୟ ମଗାଇପାରିବେ।

ଡାର୍କ ଷ୍ଟୋରର ୨,୫୦୦ରୁ ଅଧିକ ସାମଗ୍ରୀର ହେବ ହୋମ ଡେଲିଭରି
ସ୍ୱିଗି ଡାର୍କ ଷ୍ଟୋର ଜରିଆରେ ନିଜ ଗ୍ରାହକଙ୍କ ନିକଟତର ହେବାକୁ ଯୋଜନା କରିଛି। ଯେଉଁଥିରେ ୨ହଜାର ୫୦୦ରୁ ଅଧିକ ସାମଗ୍ରୀ ଉପଲବ୍ଧ ହେବ। ଏଥିଲାଗି ସ୍ୱିଗି ଭର୍ଚୁଆଲ ଷ୍ଟୋରମାନଙ୍କ ସହ ପାର୍ଟନର ହୋଇ କାରବାର କରିବେ। ଭାରତରେ ଏହି କାରବାର ସ୍ୱିଗି ଗୁରୁଗ୍ରାମରେ ଆରମ୍ଭ କରିଦେଲେଣି। କ୍ରମଶଃ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ସେବା ଉପଲବ୍ଧ ହେବ।