ଇଞ୍ଜେକ୍ସନ୍ ଦେବାର ୧୦ ମିନିଟ୍ ପରେ ଶୀତରେ ଥରିଲେ ବ୍ଲାକ୍ ଫଙ୍ଗସ୍ ରୋଗୀ: ଜ୍ୱର ଓ ଝାଡାବାନ୍ତି ଅଭିଯୋଗ

Published By : Prameya-News7 Bureau | June 07, 2021 IST

ଇନ୍ଦୋର ୦୭/୦୬ : ମଧ୍ୟପ୍ରଦେଶରେ ଲଗାତାର ବୃଦ୍ଧି ପାଉଥିବା ବ୍ଲାକ୍ ଫଙ୍ଗସ୍ ରୋଗ ମଧ୍ୟରେ ଚକିତ କଲାଭଳି ଏକ ଖବର ସାମ୍ନାକୁ ଆସିଛି । ବ୍ଲାକ୍ ଫଙ୍ଗସରେ ପୀଡିତ ଲୋକଙ୍କୁ ଆମ୍ଫୋଟେରାଇସିନ୍-ବି (amphotericin b) ଇଞ୍ଜେକ୍ସନ ଦେବାପରେ ରୋଗୀଙ୍କୁ ଭୀଷଣ ଶୀତ, ଜ୍ୱର ଓ ଝାଡା-ବାନ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଇନ୍ଦୋର, ସାଗର ଓ ଜବଲପୁରରେ ଇଞ୍ଜେକ୍ସନର ଏହିସବୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପାର୍ଶ୍ୱ ପ୍ରତିକ୍ରିୟା ପରେ ସାଗର ମେଡିକାଲ କଲେଜ ଏହି ଇଞ୍ଜେକ୍ସନ ବ୍ୟବହାର ଉପରେ ରୋକ ଲଗାଇଛି ।

ସୂଚନା ଅନୁଯାୟୀ, ବ୍ଲାକ୍ ଫଙ୍ଗସ୍ ରୋଗୀ ଇଞ୍ଜେକ୍ସନ ଦେବାପରେ ଶୀତରେ ଥରିବାକୁ ଲାଗିଥିଲେ । ସେ ଏତେ ଜୋରରେ ଥରୁଥିଲେ ଯେ ତାଙ୍କୁ ୬ଟି କମ୍ବଳ ଦେବା ପରେ ବି କାମ କରିନଥିଲା । ଇନ୍ଦୋରର ମହାରାଜା ଯଶବନ୍ତରାଓ ହସ୍ପିଟାଲର ୨୧ ୱାର୍ଡ ସମେତ ଅନେକ ହସ୍ପିଟାଲରେ ଏହିଭଳି ମାମଲା ଦେଖିବାକୁ ମିଳିଛି । ସାଗର ଓ ଜବଲପୁର ମେଡିକାଲରେ ବି ଏହିଭଳି ମାମଲା ନଜର ଆସିଥିଲା ।

ମହାରାଜା ଯଶବନ୍ତରାଓ ହସ୍ପିଟାଲ୍ ମ୍ୟାନେଜମେଣ୍ଟ କହିଛି ଯେ ବ୍ଲାକ୍ ଫଙ୍ଗସ୍ ଇଞ୍ଜେକ୍ସନ ଦେବାପରେ ୪୦ ପ୍ରତିଶତ ରୋଗୀଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଥିପ୍ରତି ଦୃଷ୍ଟି ଦିଆଯାଉଛି । ଦୁଇ କିମ୍ବା ତିନି ଡୋଜ ଦେବାପରେ ଏହିଭଳି ଲକ୍ଷଣ ଦେଖାଦେଉଛି । ଅନେକ ରୋଗୀଙ୍କୁ ବାନ୍ତି, ମୁଣ୍ଡ ବୁଲେଇବା, ଶରୀର ଝିମଝିମ କଲାଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି ।

ସାଗର ମେଡିକାଲ କଲେଜରେ ବର୍ତ୍ତମାନ ୨୭ ରୋଗୀ ଅଛନ୍ତି ଯେଉଁମାନଙ୍କର ବ୍ଲାକ୍ ଫଙ୍ଗସ୍ ଚିକିତ୍ସା ଚାଲିଛି । ୨୭ ରୋଗୀଙ୍କୁ ଆମ୍ଫୋଟେରାଇସିନ୍-ବି ଇଞ୍ଜେକ୍ସନ ଦିଆଯାଇଛି । ମେଡିକାଲ କଲେଜ ଡିନ୍ ଇଞ୍ଜେକ୍ସନର ପାର୍ଶ୍ୱ ପ୍ରତିକ୍ରିୟା ସମ୍ବନ୍ଧରେ ଜାଣିବା ପରେ ଏହା ଉପରେ ରୋକ ଲଗାଇଥିଲେ । ବର୍ତ୍ତମାନ ରୋଗୀଙ୍କୁ ଇଞ୍ଜେକ୍ସନ ବଦଳରେ ଅନ୍ୟ ଔଷଧ ଦିଆଯାଉଛି ।

ଜବଲପୁର ମେଡିକାଲ କଲେଜରେ ମଧ୍ୟ ଏହି ଇଞ୍ଜେକ୍ସନ ଯୋଗୁଁ ୬୦ ରୋଗୀଙ୍କ ସ୍ଥିତି ବିଗିଡି ଯାଇଥିଲା । ଇଞ୍ଜେକ୍ସନ ଦେବାର ୧୦ ମିନିଟ୍ ପରେ ଭୀଷଣ ଥଣ୍ଡା, ଜ୍ୱର, ବାନ୍ତି ଆଦି ହୋଇଥିଲା । ଏହାଦ୍ୱାରା ହସ୍ପିଟାଲରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ରୋଗୀଙ୍କୁ ଆଣ୍ଟି-ରିଏକ୍ସନ ଔଷଧ ଦିଆଯାଇଥିଲା । ଏହାପରେ ରୋଗୀଙ୍କୁ ଟିକେ ଆଶ୍ବସ୍ତି ମିଳିଥିଲା । ଏଠାରେ ପ୍ରାୟ ୧୨୬ ବ୍ଲାକ୍ ଫଙ୍ଗସ୍ ରୋଗୀ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.