Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IIT-JEE ଭଳି ନିଜ ଜିଲ୍ଲାରେ ଦଶମ ଓ ଯୁକ୍ତ ୨ ବୋର୍ଡ ପରୀକ୍ଷା ଦେବାକୁ ଛାତ୍ର-ଛାତ୍ରୀଙ୍କୁ ଅନୁମତି ଦେଲା ସିବିଏସଇ

27/05/2020 at 9:07 PM

ନୂଆଦିଲ୍ଲୀ ୨୭।୦୫: କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସବୁ ପ୍ରକାରର ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏବେ ଲକ୍‌ଡାଉନ୍‌ରେ କୋହଳ ଦିଆଯିବା ପରେ ସମସ୍ତ ପ୍ରକାରର ଗତିବିଧି ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ବୁଧବାର କୋଭିଡ୍‌-୧୯ ସଙ୍କଟ ସମୟରେ ପ୍ରବାସୀଙ୍କ ସ୍ଥାନାନ୍ତରକୁ ଦୃଷ୍ଟିରେ ରଖି ହଜାର ହଜାର ଛାତ୍ରଙ୍କୁ ନିଜର ଗୃହ ଜିଲ୍ଲାରେ ବୋର୍ଡ ପରୀକ୍ଷାର ବାକି ପେପର ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ବୁଧବାର କହିଛନ୍ତି, ଏହି ପଦକ୍ଷେପରେ ସେହି ପରିବାରକୁ ଏଥିରେ ସାହାଯ୍ୟ ମିଳିବ, ଯେଉଁମାନେ ସହର ଛାଡି ନିଜ ଗାଁକୁ ଚାଲି ଯାଇଛନ୍ତି। ଏବେ ଛାତ୍ରମାନେ ମଧ୍ୟ ହଷ୍ଟେଲ ବନ୍ଦ ଥିବାରୁ ନିଜ ଘରକୁ ମଧ୍ୟ ଚାଲି ଯାଇଛନ୍ତି।

ପୋଖରିୟାଲ କହିଛନ୍ତି  ଛାତ୍ରଙ୍କୁ ନିଜର ସ୍କୁଲ ଓ ସିବିଏସଇକୁ  ନିଜର ପସନ୍ଦର ଜିଲ୍ଲା ବିଷୟରେ ସୂଚିତ କରାଇବାକୁ ପଡିବ। ଏହା ପରେ ସିବିଏସଇ ଛାତ୍ରଙ୍କ ଲାଗି ପରୀକ୍ଷା ଲାଗି ଯଥାସମ୍ଭବ ସମୟୋଜିତ ପଦକ୍ଷେପ ନେବାକୁ ଚେଷ୍ଟା କରିବ।

ସିବିଏସଇ ପୂର୍ବରୁ ଲକ୍‌ଡାଉନ୍‌ କାରଣରୁ ଦଶମ ଓ ଯୁକ୍ତ ୨ର ବୋର୍ଡ ପରୀକ୍ଷାର ବାକି ରହିଥିବା କିଛି ପେପରର ପରୀକ୍ଷା ଲାଗି ତାରିଖ ଘୋଷଣା କରିଛି। ଏହି ସବୁ ବଳକା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। ଛାତ୍ରମାନେ ନିଜ ସ୍କୁଲରେ କିମ୍ବା ଅନ୍ୟ କେନ୍ଦ୍ରରେ ପରୀକ୍ଷା ଦେବାକୁ କୁହାଯାଇଥିଲା।

କିନ୍ତୁ ପରେ ବୋର୍ଡ ଅନୁଭବ କରିଛି ଯେ, ବର୍ତ୍ତମାନ ପ୍ରବାସୀଙ୍କ ଜାରି ଗମନାଗମନ ସହିତ ଅନେକ ପ୍ରତିକୂଳ ପରିସ୍ଥିତିରେ ସମସ୍ତ ଛାତ୍ର ନିଜ ନିଜର ସ୍କୁଲକୁ ଆସି ପାରିବେ ନାହିଁ। ତେଣୁ ଏହି କ୍ଷେତ୍ରରେ ଛାତ୍ରମାନେ ନିଜର ଗୃହ ଜିଲ୍ଲାରେ ପରୀକ୍ଷା ଦେବେ।

ମନ୍ତ୍ରୀ କହିଛନ୍ତି,  ଲକ୍‌ଡାଉନ୍‌ ପରେ ନୈନିତାଲର ଛାତ୍ରମାନେ ନିଜର ଘର ତାମିଲନାଡୁ ଓ କେରଳ ଚାଲି ଯାଇଛନ୍ତି। ଏପରି ଅନେକ ସଂଖ୍ୟାରେ ଛାତ୍ର ସ୍କୁଲଠୁ ଦୂର ନିଜ ଘରକୁ ଚାଲି ଯାଇଛନ୍ତି। ଆମେ ଛାତ୍ରଙ୍କୁ ଯଥା ସମ୍ଭବ ସହାୟତା କରିବାକୁ ଚେଷ୍ଟା କରୁଛୁ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କୋଭିଡ୍-୧୯ ଲକ୍‌ଡାଉନ୍‌କୁ ଦୃଷ୍ଟିରେ  ରଖି ଜେଇଇ ମେନ୍‌ ପରୀକ୍ଷା ଲାଗି ଏକ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ପରୀକ୍ଷା କେନ୍ଦ୍ର କିମ୍ବା ସହର ବଳାଇବାକୁ ଅନୁମତି ଦେଇଥିଲେ।                                                                                    

   Related Posts