କରୋନାରେ ସ୍ୱାମୀଙ୍କର ହେଲା ମୃତ୍ୟୁ: ଚିନ୍ତାରେ ବ୍ୟଥିତ ସ୍ତ୍ରୀ ଦୁଇ ପିଲାଙ୍କୁ ବିଷ ପିଆଇ ନିଜେ ପିଇଲେ, ତାପରେ..

Published By : Prameya-News7 Bureau | June 26, 2021 IST

ଇରୋଡ ୨୬/୬ : ମହାମାରୀ କରୋନା ସମଗ୍ର ବିଶ୍ୱକୁ ବିପଦ, ଭୟ ଓ ଆତଙ୍କରେ କବଳିତ କରିଛି । ଅନେକ ଜୀବନ ନେଲାଣି କୋଭିଡ-୧୯ ଭାଇରସ୍ । ତେବେ କରୋନା ପ୍ରଭାବର ଏକ ହୃଦୟ ବିଦାରକ ଚିତ୍ର ତାମିଲନାଡୁର ଇରୋଡ ଜିଲ୍ଲାରେ ଦେଖିବାକୁ ମିଳିଛି । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ୩୭ ବର୍ଷିୟ ମହିଳା ଜଣଙ୍କ ଯାହା କଲେ ତାହା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ସ୍ୱାମୀ ଥିଲେ ପରିବାରର ଏକ ମାତ୍ର ରୋକଗାରିଆ ସଦସ୍ୟ । ତାଙ୍କର ମୃତ୍ୟୁ ପରେ ଦୁଇ ପିଲାଙ୍କ ସହ କେମିତି ବଞ୍ଚିବେ ଏହି ଚିନ୍ତାରେ ଥିଲେ ୩୭ ବର୍ଷିୟା ନିତ୍ୟା । ସେ ସଲଫାସ୍ ଟାବଲେଟ ନିଜେ ଖାଇବା ପୂର୍ବରୁ ତାଙ୍କ ୬ ବର୍ଷର ପୁଅ ଯାଦବ ଓ ୧୧ ବର୍ଷର ଝିଅ ମହାତିକୁ ମଧ୍ୟ ତାହା ଖୁଆଇ ଦେଲେ । ଯେଉଁ ଟାବଲେଟ୍ କି ସାଧାରଣତଃ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ । ନିତ୍ୟା ଚେନ୍ନାଇରେ ରହୁଥିବା ଭାସ୍କରଙ୍କୁ ବିବାହ କରିଥିଲେ ।

ଭାସ୍କର ଷ୍ଟୋର ମ୍ୟାନେଜର ଭାବେ କାମ କରୁଥିଲେ । ଗତ ମେ ୨ରେ ସେ କରୋନାରେ ସଂକ୍ରମିତ ହୋଇଥିବା ଭାସ୍କର ଜାଣିବାକୁ ପାଇଲେ । ସଂକ୍ରମିତ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସ୍ୱାମୀ ଭାସ୍କରଙ୍କ ମୃତ୍ୟୁ ପରେ ନିତ୍ୟା ତାଙ୍କ ପିଲାମାନଙ୍କୁ ନେଇ ଇରୋଡ ଜିଲ୍ଲାର ଥିଣ୍ଡାଲ ଅଞ୍ଚଳରେ ଥିବା ପିତାଙ୍କ ଘରକୁ ଯାଇଥିଲେ ।

କିନ୍ତୁ ପୋଲିସଙ୍କ କହିବା ଅନୁଯାୟୀ ନିତ୍ୟା ସ୍ୱାମୀଙ୍କ ମୃତ୍ୟୁ ପରେ ଚିନ୍ତାଗ୍ରସ୍ତରେ ରହୁଥିଲେ । ଗତ ଗୁରୁବାର ଦିନ ସେ ପିଲାମାନଙ୍କ ସହ ନିଜେ ମଧ୍ୟ ସଲଫାସ୍ ଟାବଲେଟ ଖାଇବାରେ ମିଶାଇ ଖାଇଥିଲେ ।ଏହା ପରେ ପିଲାମାନଙ୍କୁ ଏକ କୋଠରୀକୁ ନେଇ ଯାଇ ନିଜକୁ ବନ୍ଦ କରିଦେଇଥିଲେ । କିଛି ସମୟ ପରେ ନିତ୍ୟାଙ୍କ ପିତା କବାଟ ବାଡେଇଥିଲେ, କିନ୍ତୁ କୌଣସି ଉତ୍ତର ପାଇନଥିବାରୁ ସେ ଘରର ପଡୋଶୀଙ୍କୁ ଡାକିଥିଲେ ।

ଏହା ପରେ କବାଟ ଭାଙ୍ଗିବାରୁ ନିତ୍ୟା ଓ ତାଙ୍କର ଦୁଇ ପିଲା ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନ ନିଆଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ମୃତକଙ୍କ ଶବକୁ ସରକାରୀ ଡାକ୍ତରଖାନରେ ଶବ ବିବେଚ୍ଛଦ ପାଇଁ ପଠାଯାଇ ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.