ପ୍ରେମିକାକୁ ମାରି ବିଲ ହୁଡ଼ାରେ ପୋତିଥିଲା ପ୍ରେମିକ, ୫ଦିନ ପରେ ଗଳିତ ଶବକୁ ଜବତ କଲା ପୋଲିସ

Published By : Prameya-News7 Bureau | July 26, 2020 IST

ବ୍ରହ୍ମଗିରି ୨୬।୦୭: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶ୍ରୀକରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହର ପ୍ରଲୋଭନ ଦେଖାଇ ଦୁଇ ବର୍ଷରୁ ଅଧିକ ସମୟ ସଂପର୍କ ରଖିବା ପରେ ପ୍ରେମିକାଙ୍କୁ ମାରି ବିଲ ହୁଡ଼ାରେ ପୋତିବାର ୫ ଦିନ ପରେ ପୁଲିସ ଗଳିତ ଶବକୁ ଜବତ କରିଛି । ଘଟଣାରେ ସଂପୃକ୍ତ ପ୍ରେମିକକୁ ପୁଲିସ ଗିରଫ କରିଛି। ଏ ନେଇ ବ୍ରହ୍ମଗିରି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଥିବା ଥାନା ଆଇଆଇସି ମନୋଜ ଶତପଥୀ କହିଛନ୍ତି ।

{"id":305621,"sizeSlug":"large"}

ପୁଲିସ ସୂତ୍ରରୁ ପ୍ରକାଶ, ଗ୍ରାମର ରମେଶ ମହାପାତ୍ରଙ୍କ ଝିଅ ଦୀପିକା(୧୯)ଙ୍କୁ ବିବାହର ପ୍ରଲୋଭନ ଦେଖାଇ ସେହି ଗ୍ରାମର ସ୍ୱର୍ଗତ ବାମଦେବ ସାହୁଙ୍କ ପୁଅ ସୁଜିତ(୨୪) ଦୁଇ ବର୍ଷ ହେବ ସଂପର୍କ ରଖିଥିଲା । ଦୁହିଁଙ୍କର ବିବାହ ସପକ୍ଷରେ ସୁଜିତଙ୍କ ପରିବାର ଏକମତ ହୋଇନଥିଲେ। କିଛି ଦିନ ତଳେ ସୁଜିତ ପରିବାର ଲୋକଙ୍କ ପ୍ରରୋଚନାରେ ‘୨ ଲକ୍ଷ ଟଙ୍କା ଦେଲେ ବାହା ହେବି’ ବୋଲି ଦୀପିକାଙ୍କୁ କହିଥିଲା । ପରେ ୧ ଲକ୍ଷ ଟଙ୍କା ପାଇଲେ ବାହା ହେବ ବୋଲି ରାଜି ହୋଇଥିଲା । କିଛି ମାସ ତଳେ ସୁଜିତର ବଡ଼ଭାଇ ସୁକାନ୍ତଙ୍କର ବିବାହ ଠିକ୍‌ ହୋଇଥିଲା । ସେହି ତିଥିରେ ଦୀପିକାଙ୍କ ବାହାଘର କରିବା ପାଇଁ ତାଙ୍କ ବାପା ରମେଶ ପ୍ରସ୍ତାବ ଦେଇଥିଲେ । ମାତ୍ର ସୁଜିତ ଏହାକୁ ଏଡ଼ାଇ ଯାଇଥିଲା । ଗତ ମଙ୍ଗଳବାର ହଠାତ ଦୀପିକା କୁଆଡ଼େ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶୁକ୍ରବାର ଗାଁରେ ଜଣାଇଥିଲେ । ଗାଁ ବୈଠକରେ ସୁଜିତର ବଡ଼ଭାଇ ସୁକାନ୍ତ ଦୀପିକା ଆତ୍ମହତ୍ୟା କରିଦେବାରୁ ସୁଜିତ ତା ଶବକୁ ବିଲରେ ପୋତି ଦେଇଥିବା କହିଥିଲେ । ଏକଥା ପ୍ରଘଟ ନ କରି ଗାଁରେ ସମାଧାନ କରିଦେବା ପାଇଁ ନେହୁରା ହୋଇଥିଲେ । ଏକଥା ଜାଣି ପାରି ରମେଶ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଶନିବାର ପୁରୀ ସଦର ଏସ୍‌ଡିପିଓ କିଶୋର କୁମାର ମୁଣ୍ଡ୍‌, ବ୍ରହ୍ମଗିରି ଆଇଆଇସି ଶ୍ରୀ ଶତପଥୀ ଅଭିଯୁକ୍ତ ସୁଜିତକୁ ଗିରଫ କରିଥିଲେ । ଗାଁ ଠାରୁ ପ୍ରାୟ ୪ କିମି ଦୂରରେ ଥିବା ବିଲ ହୁଡ଼ାରେ ଦୀପିକାଙ୍କ ଶବ ପୋତିଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତକୁ ସାଙ୍ଗରେ ନେଇ ଖୋଳାଖୋଳି କରିବା ପରେ ଦୀପିକାଙ୍କ ଗଳିତ ଶବ ମିଳିଥିଲା । ସୁଜିତ ପୁଲିସକୁ କହିଛି, ଦୀର୍ଘ ଦିନ ହେବ ସେ ଦୀପିକାଙ୍କୁ ଭଲ ପାଉଥିଲା । ଗତ ମଙ୍ଗଳବାର ତାଙ୍କୁ ସାଙ୍ଗରେ ନେଇ ଯାଉଥିବା ବେଳେ କିଛି ଲୋକ ଆସିଯିବାରୁ ସେ ତାଙ୍କୁ ଛାଡ଼ି ପଳାଇ ଆସିଥିଲା । ୨୦ ମିନିଟ୍‌ ପରେ ପୁଣି ସେ ସେଠାରେ ପହଞ୍ଚିବା ବେଳକୁ ଦୀପିକା ବେକରେ ରଶି ଲଗାଇ ଗଛରେ ଝୁଲି ପଡ଼ିଥିଲେ । କାଳେ କିଏ ଏହା ଦେଖିଦେବ ସେହି ଭୟରେ ସେ ଦୀପିକାଙ୍କ ଶବକୁ ଏକ କଦଳୀ ବଗିଚା ଭିତରେ ଲୁଚାଇ ରଖି ରାତି ୧୧ଟାରେ ବିଲ ହୁଡ଼ାରେ ପୋତି ଦେଇଥିଲା । ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ଅପରପକ୍ଷରେ ସୁଜିତ ପରିବାରର ଅନ୍ୟ ସଦସ୍ୟମାନେ ଗିରଫ ଭୟରେ ଫେରାର ହୋଇ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.