ସଇତାନ ପ୍ରେମିକ : ଗର୍ଭପାତ କରାଇ ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଉଥିଲା, ଶେଷରେ ପରିବାର ଲୋକେ ବି ଛାଡିଦେଲେ ପୀଡିତାର ହାତ

Published By : Prameya-News7 Bureau | March 03, 2021 IST

କୁଚିଣ୍ଡା,୦୩/ ୦୩: ଦିନକୁ ଦିନ ରାଜ୍ୟରେ ନାବାଳିକାଙ୍କ ସହ ପ୍ରଥମେ ପ୍ରେମ ପରେ ତାଙ୍କୁ ଭୁଲାଇ ପ୍ରେମିକ ଶାରୀରିକ ସମ୍ପର୍କ ରଖୁଥିବା ଖବର ବଢ଼ିବାରେ ଲାଗିଛି । ସେହିଭଳି ଏକ ଘଟଣା ଏବେ କୁଚିଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତା ସହ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକା ଗର୍ଭବତୀ ହୋଇଥିଲା । ପ୍ରେମିକାର ଦୁଇ ଦୁଇ ଥର ଗର୍ଭପାତ କରାଇଥିଲା । ଏହା ପରେ ମଧ୍ୟ ଶାରୀରିକ ସମ୍ପର୍କ ରଖିଥିଲା ପ୍ରେମିକ । ଏତିକିରେ ବି ମନ ଶାନ୍ତି ନହେବାରୁ ଦଲାଲ୍‌ ସାଜି କୋମଳମତି ନାବାଳିକା ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଇ ଅର୍ଥ ଉପାର୍ଜନ ପାଇଁ ଯୋଜନା କରିଥିଲା ସଇତାନ୍‌ ପ୍ରେମିକ । କୁଚିଣ୍ଡା ଗଣବଳାତ୍କାର ଘଟଣା ପର୍ଦ୍ଦାଫାସ ହେବାର ୩ ଦିନ ପରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଯୁଯୁମୁରା ଥାନାଞ୍ଚଳର ସେଲବିରିସ୍‌ ହେରୋ (୨୪) ଗିରଫ ହେବା ପରେ ସାମ୍ନାକୁ ଆସିଛି ଏଭଳି କିଛି ସଙ୍ଗିନ୍‌ ତଥ୍ୟ।

ଘଟଣା ପରେ ପରିବାର ଲୋକେ ମଧ୍ୟ ବଳାତ୍କାର ପୀଡ଼ିତା ନାବାଳିକାଙ୍କ ହାତ ଛାଡ଼ିଦେଲେ । ଘରେ ରଖିବାକୁ ସୁରକ୍ଷିତ ମଣିଲେନି । ଶେଷରେ ପୁଲିସ୍‌ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରାଇଲା । ସିଡବ୍ଲ୍ୟୁସି ଏହି ମାମଲାର ବିଚାର କରି ନାବାଳିକାଙ୍କୁ ଏକ ଆଶ୍ରମକୁ ପଠାଇଛି । ଅଭିଯୁକ୍ତ ସେଲବିରିସ ଓ ନାବାଳିକାଙ୍କ ମଧ୍ୟରେ ବର୍ଷେ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । କିଛିଦିନ ପରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କର ଗର୍ଭପାତ କରାଇ ପୁଣି ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ ସେଲବିରିସ୍‌୍‌ । ନାବାଳିକା ଦ୍ୱିତୀୟ ଥର ଗର୍ଭବତୀ ହେବା ପରେ ସେଲବିରିସ ବାହା ହେବାର ପ୍ରତିଶ୍ରୁତି ଦେଇ ୪ ମାସ ତଳେ ଘରୁ ତାଙ୍କୁ ନେଇଯାଇ ଜାତିପଡ଼ାର ସୁଜାତା ସିଂ ପାଖରେ ଛାଡ଼ିଥିଲା । ସେଠାରେ ପୁଣିଥରେ ନାବାଳିକାଙ୍କ ଗର୍ଭପାତ କରାଯାଇଥିଲା ।

ମାତ୍ର ଗର୍ଭପାତ ପରେ ପ୍ରେମିକ ଫେରାର୍‌ ହୋଇଯାଇଥିଲା । ଘରୁ ଚାଲି ଆସିଥିବାରୁ ଅସହାୟ ଅବସ୍ଥାରେ ନାବାଳିକା ସୁଜାତାର କଥାରେ ପଡ଼ିଯାଇଥିଲେ । ପରେ ଏକ ବନ୍ଦ ଘରେ ନାବାଳିକାଙ୍କୁ ରଖି ଦେହ ବ୍ୟବସାୟ ଆରମ୍ଭ ହୋଇଥିଲା । ଜଣେ ହୋମ୍‌ଗାର୍ଡ ଦଲାଲ୍‌ ସାଜି ଗ୍ରାହକ ସ୍ଥିର କରିବା ପରେ ନାବାଳିକାଙ୍କୁ ବଳାତ୍କାର କରାଯାଉଥିଲା । ୫ ଦିନ ତଳେ କୌଣସି ମତେ ନାବାଳିକା ଜଣକ ଖସିବାରେ ସମର୍ଥ ହୋଇ ବସଷ୍ଟାଣ୍ଡକୁ ଚାଲିଆସିଥିଲେ । ସେଠାରେ ଲୋକେ ତାଙ୍କୁ ଦେଖିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ । ଘଟଣାରେ ପୁଲିସ୍‌ ସୁଜାତା, ହୋମ୍‌ଗାର୍ଡ ଓ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀକୁ ଗିରଫ କରିବା ପରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.