ବିଦା ହେବାପରେ ଦାମଙ୍କ ପ୍ରତିକ୍ରୀୟା

Published By : Prameya-News7 Bureau | September 13, 2018 IST

ଭୁବନେଶ୍ୱର ୧୨/୦୯: ଦଳରୁ ବହିଷ୍କାର ହେବାପରେ ଡାକ୍ତର ଦାମୋଦର ରାଉତ ତାଙ୍କ ପ୍ରତିକ୍ରୀୟାରେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ସେ ଦୁର୍ନୀତିର କିଏ ହିରୋ ତା’ର ଖୁଲାସା କରିବେ ବୋଲି ଚେତାବନି ଦେଇଛନ୍ତି । ଏପରିକି ବିଜୁ ଜନତା ଦଳର ସମ୍ୱିଧାନ ନାହିଁ । ଏହି ଦଳରେ ରଜନୈତିକ ଦଳର କୌଣସି ଚରିତ୍ର ନାହିଁ ବୋଲି ଦାମ ଆକ୍ଷେପ କରିଛନ୍ତି । ନବୀନ ପଟ୍ଟନାୟକ ଦଳର ସଭାପତି ବୋଲି କହିବାର ସତ୍ସାହାସ ଅଛିକି ଦାମ ପ୍ରଶ୍ନ କରିଛନ୍ତି । ତାଙ୍କୁ ଦଳରୁ ବହିଷ୍କାର କରିବା କେବଳ ଏକ ଆନୁଷ୍ଠାନିକ ଔପଚାରିକତା ମାତ୍ର । ବାସ୍ତବରେ ପୁରୀ ଅଧିବେଶନ ପରଠାରୁ ଅର୍ଥାତ ଗତ ୮ ମାସ ହେଲା ସେ ଦଳରେ ନଥିବା ଭଳି ଅନୁଭବ କରିଆସୁଛନ୍ତି । ପୁରୀ ଅଧିବେଶନ ପରେପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଗଲା । ଦଳର ଉପ ସଭାପତି ପଦରୁ ବହିଷ୍କାର କରାଗଲା । ଦଳର ପର୍ଯ୍ୟବେକ୍ଷକ ପଦରୁ ବହିଷ୍କାର କରାଗଲା । ଦଳର ସଭାପତି କିମ୍ୱା ଅନ୍ୟ କୌଣସି ନେତା କୌଣସି ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା ବା କଥାବାର୍ତ୍ତା କରିନାହାନ୍ତି । ତେଣୁ ଏବେ ଦଳରୁ ତାଙ୍କୁ ବହିଷ୍କାର କରିବା ଦ୍ୱାରା ତାଙ୍କର କୌଣସି ବିଶେଷ କ୍ଷତି ହେବନାହିଁ । ତେବେ ସେ ସାଧାରଣ ଜୀବନରେ ରହିଥିଲେ ଓ ଆଗାମୀ ଦିନରେ ମଧ୍ୟ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିନା ଦଳିୟ ଟିକଟରେ ସେ ନିର୍ବାଚନ ଲଢିବେ । ଅନ୍ୟକୌଣସି ରାଜନୈତିକ ଦଳକୁ ଯିବାର ସମ୍ଭାବନାକୁ ଦାମ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ନୀତିକୁ ସେ କେବେ ବରଦାସ୍ତ କରିନାହାନ୍ତି ଏବଂ ଦୁର୍ନୀତି ବିରୋଧରେ ତାଙ୍କ ସଂଗ୍ରାମ ଜାରି ରହିବ । ୪୦ ବର୍ଷର ରାଜନୈତିକ ଜୀବନ ଭିତରେ କେବେ ସ୍ୱାଭିମାନ ହରାଇନାହିଁ । ତେଣୁ ଏ ବହିଷ୍କାର ସମ୍ପର୍କରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୌଣସି ସଫେଇ ଦବାର ନାହିଁ ବୋଲି ଦାମ କହିଛନ୍ତି । ବହିଷ୍କାର ସମ୍ପର୍କିତ ପ୍ରତିକ୍ରୀୟା ପ୍ରକାଶ ବେଳେ ଡାକ୍ତର ରାଉତ ଅତିତର ବହୁ ଘଟଣା ସ୍ମରଣ କରଛନ୍ତି । ୨୦୦୬ ମସିହାରେ ପ୍ୟାରି ମହାପାତ୍ର ମୁଖ୍ୟମନ୍ତ୍ରୀ ହେବାପାଇଁ ଯୋଜନା କରିଥିଲେ । ତାହା ଯାଣିବା ପରେ ସେ ଗୁପ୍ତ ଭାବେ ନବୀନଙ୍କୁ ଜଣାଇଥିଲେ । କିନ୍ତୁ ନବୀନ ପଟ୍ଟନାୟକ ଗୋପନୀୟତା ରକ୍ଷା ନକରି ତାହା ପ୍ୟାରି ମହାପାତ୍ରଙ୍କ ଆଗରେ ପ୍ରକାଶ କରିଦେଇଥିଲେ ଫଳରେ ପ୍ୟାରି ମହାପାତ୍ରଙ୍କ କାରଣରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବାକୁ ପଡ଼ିଥିଲା । ସେହିଭଳି ବିଜୁ ଜନତା ଦଳ ଗଠନର ଆଦ୍ୟ ସମୟରେ ସେ କିଭଳି ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିଥିଲେ ତାହା ମଧ୍ୟ ବଖାଣିଛନ୍ତି । ନବୀନ ପଟ୍ଟନାୟକଙ୍କ ଭଳି ସ୍ଥିତି ରକ୍ଷା ପାଇଁ ନୀତି ବଦଳାଇବା ଲୋକ ସେ ନୁହନ୍ତି ବୋଲି କହିଛନ୍ତି । ନବୀନ ପଟ୍ଟନାୟକ କିଭଳି ଭାବରେ ଅସାଧୁ ଲୋକଙ୍କ ମେଳରେ ରହିଛନ୍ତି ତାହା ଜଣାଇବା ପାଇଁ ସେ ଖବର କାଗଜରେ ଲେଖା ପ୍ରକାଶ କରିଥିଲେ । ଯେଉଁଥିରେ ଷୋଡ଼ଶ ଲୁଇଙ୍କ ଠାରୁ ଆରମ୍ଭ କରି ରେଭେନ୍ସାଙ୍କ ପର୍ଯ୍ୟନ୍ତ ବିଭିନ୍ନ ଉଦାହରଣ ଦିଆଯାଇଥିଲା । ତାହା ଯଦି ନବୀନ ବୁଝିପାରିଲେ ନାହିଁ ତାହେଲେ କ’ଣ କରାଯିବ ବୋଲି ଦାମ ପ୍ରଶ୍ନ କରିଛନ୍ତି । ଯେଉଁମାନଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଛି ସେମାନେ ନବୀନଙ୍କ ପରାମର୍ଶଦାତା ବୋଲି ଦାମ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.