ତାତିଲେ ସଞ୍ଜୟ ରାଉତ, କହିଲେ- ମୋ ସହ ପଙ୍ଗା ନିଅନି, ମୋ ପାଖରେ ବିଜେପିର ଫାଇଲ୍ ଓ ୧୨୧ ନାଁ ଅଛି
28/12/2020 at 5:57 PM

ମୁମ୍ବାଇ ୨୮/୧୨: ପତ୍ନୀଙ୍କୁ ଇଡିର ନୋଟିସ୍ ପରେ ଶିବସେନା ନେତା ସଞ୍ଜୟ ରାଉତ ବାଉଳି ହେଉଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ ରାଉତ। ସୋମାବାର ସାମ୍ବାଦିକ ସମ୍ମଳନୀରେ ସଞ୍ଜୟ କହିଛନ୍ତି, ‘ମୋ ସହ ପଙ୍ଗା ନିଅନାହିଁ, ମୁଁ ଲଙ୍ଗଳା ମଣିଷ ଏବଂ ମୁଁ ଶିବସୈନିକ।’ ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ‘ ମୋ ପାଖରେ ବିଜେପିର ଫାଇଲ୍ ଅଛି। ଯଦି ମୁଁ ଏହାକୁ ଖୋଲିବି ତେବେ ଆପଣମାନଙ୍କୁ ଦେଶ ଛାଡ଼ି ପଳାଇବାକୁ ପଡ଼ିବ। ମୋ ପାଖରେ ୧୨୧ ଲୋକଙ୍କ ନାଁ ଅଛି। ଖୁବଶୀଘ୍ର ଇଡିକୁ ଦେବି। ଏତେ ନାଁ ଅଛି ଯେ ଇଡିକୁ ୫ ବର୍ଷ କାମ କରିବାକୁ ପଡ଼ିବ। ସେତେବେଳେ ଇଡିକୁ ଜଣାପଡ଼ିବ କାହା ସହ ପଙ୍ଗା ନେଇଛି।’
ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ରାଉତ କହିଛନ୍ତି, ଆମ ପରିବାରରେ କାହାର ସମ୍ପତ୍ତି ୧୬୦୦ ଗୁଣ ବୃଦ୍ଧି ପାଇନାହିଁ। ବିଜେପି ନେତାଙ୍କ ପରିବାର ଲୋକଙ୍କ ଆମଦାନୀ ୧୬ ଶହ ଗୁଣା ବଢ଼ିଛି। ପ୍ରଥମେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉ। ଆମେ ନିୟମରୁ ଉର୍ଦ୍ଧ୍ବରେ ନୁହେଁ ଆମେ ଏହାର ପାଳନ କରିବୁ ବୋଲି ସଞ୍ଜୟ ରାଉତ କହିଛନ୍ତି। ଏହା ସହ ସେ କହିଛନ୍ତି, ଆମକୁ ବାଲାସାହେବ ଶିଖାଇଛନ୍ତି ସିଧା ଲଢ଼େଇ କରିବାକୁ। ଲଢ଼େଇରେ ପରିବାରକୁ ଟାଣିବା ଉଚିତ ନୁହେଁ। ଏକଥା ଉଦ୍ଧବ ଠାକରେ ତାଙ୍କୁ ମଧ୍ୟ କହିଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ରବିବାର ସମନ ଜାରି କରିଛି। ୨୯ ଡିସେମ୍ବରରେ ବର୍ଷାଙ୍କୁ ଇଡି ଏହି ମାମଲାରେ ପଚରା ଉଚରା ମଧ୍ୟ କରିବ। ତେବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ନିକଟରେ ହାଜର ହେବାକୁ ବର୍ଷାଙ୍କୁ ତୃତୀୟ ଥର ସମନ ଜାରି କରାଯାଇଛି। ଏହା ପୂର୍ବରୁ ଦୁଇ ଥର ସ୍ବାସ୍ଥ୍ୟଗତ ସମସ୍ୟା କହି ଯାଞ୍ଚରୁ ବର୍ତ୍ତିଥିଲେ ବର୍ଷା ରାଉତ। ତେବେ ପତ୍ନୀଙ୍କୁ ଇଡିର ସମନ ପରେ ସଞ୍ଜୟ ରାଉତ ବିଜେପି ତଥା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।