ନୂଆଦିଲ୍ଲୀ ୬/୬: ଯୋଗଗୁରୁ ବାବା ରାମଦେବ ଏବେ ଚର୍ଚ୍ଚାରେ। ପ୍ରଥମେ ଏଲୋପାଥି ଉପରେ ବିବାଦୀୟ ବୟାନ ଦେଇ ବିବାଦକୁ ଆସିଥିବା ବାବା ଏବେ ଜ୍ୟୋର୍ତିବିଦଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ପୁଣି ଥରେ ରାମଦେବ ଟର୍ଗେଟକୁ ଆସିଛନ୍ତି। ଜ୍ୟୋର୍ତିବିଦମାନେ କାଳ, ଘଡ଼ି, ମୁହୂର୍ତ୍ତ ନାଁରେ ଲୋକଙ୍କୁ ଠକୁଛନ୍ତି ବୋଲି ରାମଦେବ କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ବିଏଚୟୁର ଜଣେ ପ୍ରଫେସର କହିଛନ୍ତି ରାମଦେବ ପ୍ରତି ମାସ କ୍ଷମା ମାଗୁଛନ୍ତି। ତାଙ୍କର ଲାଇସେନ୍ସ ରଦ୍ଦ କରି ତାଙ୍କୁ ଜେଲ ପଠାଯିବା ଦରକାର ।
ବିଏଚୟୁର ପ୍ରଫେସର ସୁଭାଷ ପାଣ୍ଡେ ରାମଦେବଙ୍କୁ ଜେଲ ପଠାଇବାକୁ ଦାବି କରିବା ସହ କହିଛନ୍ତି, ସେ କିଛି ଜାଣିନାହାନ୍ତି। ସେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି କାର୍ଯ୍ୟ କରୁଛନ୍ତି। ବାବା ରାମଦେବଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ। ତାଙ୍କର ଯୋଗ ସମ୍ପର୍କରେ ଜ୍ଞାନ ନାହିଁ କି ସେ ବେଦ ଶିକ୍ଷା କରିନାହାନ୍ତି ବୋଲି ସୁଭାଷ ପାଣ୍ଡେ ଅଭିଯୋଗ କରିଛନ୍ତି। ବୟାନକୁ ନେଇ ବାବା କ୍ଷମା ମାଗିବା ଦରକାର। ତାଙ୍କର ବୟାନ ଅମାର୍ଜିତ ବୋଲି ମଧ୍ୟ ସେ କହିଛନ୍ତି।
ନିକଟରେ ବାବା ରାମଦେବ ହରିଦ୍ବାରର ଏକ ଯୋଗ ଶିବିରରେ କହିଥିଲେ, ସମସ୍ତ ମୁହୂର୍ତ୍ତ ଭବବାନ ତିଆରି କରିଛନ୍ତି । ଜ୍ୟୋର୍ତିବିଦ କାଳ, ଘଡ଼ି, ମୁହୂର୍ତ୍ତ ନାଁରେ ଲୋକଙ୍କୁ ଠକୁଛନ୍ତି। କେବଳ ସେତିକି ନୁହେଁ ରାମଦେବ ଜ୍ୟୋତିଷଙ୍କୁ ଏକ ଲକ୍ଷ କୋଟିର ଇଣ୍ଡଷ୍ଟ୍ରି ବୋଲି ମଧ୍ୟ କହିଥିଲେ । ସେ ଆହୁରି କହିଥିଲେ କୌଣସି ଜ୍ୟୋର୍ତିବିଦ କହିନଥିଲେ କରୋନା କି ବ୍ଲାକ ଫଙ୍ଗସ୍ ଆସୁଛି ।
ସେପଟେ କାଶୀର ବିଦ୍ବାନମାନେ ଶାସ୍ତ୍ର ଅଧ୍ୟୟନ କରିବାକୁ ରାମଦେବଙ୍କୁ ପରାମର୍ଶ ଦେଇଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ୨୦୨୦ରେ ବୀଜାଣୁ ସଂକ୍ରମଣ ସମ୍ପର୍କରେ ବର୍ଣ୍ଣନା ରହିଛି ବୋଲି ଜ୍ୟୋତିଷାଚାର୍ଯ୍ୟ ପ. ଶିବପୂଜନ ଶାସ୍ତ୍ରୀ କହିଛନ୍ତି। ଏମିତି କିଛି ବୟାନ ଦେବା ପୂର୍ବରୁ ଶାସ୍ତ୍ର ଅଧ୍ୟୟନ କରିବା ଦରକାର ବୋଲି ସେ ରାମଦେବଙ୍କୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁହୂର୍ତ୍ତ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ମୁହୂର୍ତ୍ତର ବ୍ୟାଖ୍ୟା ବେଦର ଆଲୋଚନା ସହ ସମାନ ।