ଲିଭିଗଲା ୫ ଜୀବନ ଦୀପ : କରୋନା ପରେ ବ୍ଲାକ୍‌ ଫଙ୍ଗସ୍‌ରେ ପତ୍ନୀଙ୍କ ହେଲା ଦେହାନ୍ତ, ମାନସିକ ଚାପରେ ପଡି ୪ ଝିଅଙ୍କ ସହ ସ୍ବାମୀଙ୍କ ଆତ୍ମହତ୍ୟା

Published By : Prameya-News7 Bureau | October 23, 2021 IST

ବେଙ୍ଗାଲୁରୁ ୨୩/୧୦ : କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ପ୍ରଚାରିତ ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜଣେ ଅବସରପ୍ରାପ୍ତ କର୍ମଚାରୀ ଏବଂ ତାଙ୍କର ୪ ଜଣ ଝିଅ ଆତ୍ମହତ୍ୟା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କ ପତ୍ନୀଙ୍କର ବ୍ଲାକ୍‌ ଫଙ୍ଗସରେ ମୃତ୍ୟୁ ହେବାପରେ ପରିବାରର ସମସ୍ତେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଥିଲେ । ଚାପର ବଶବର୍ତ୍ତୀ ହୋଇ ଶେଷରେ ସମେସ୍ତ ଜୀବନ ହାରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶନିବାର ବେଲଗାମ ଜିଲ୍ଲା ହୁକେରୀରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି । ବ୍ଲାକ୍‌ ଫଙ୍ଗସରେ ମା’ ଙ୍କର ମୃତ୍ୟୁ ପରେ ଏଥିରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିାଲ ପୁରା ପରିବାର । ୪୬ ବର୍ଷୀୟ ଗୋପାଳ ହାଦୀମଣୀ ଏବଂ ତାଙ୍କର ୪ ଜଣ ଝିଅ ସୌମ୍ୟା (୧୯ ବର୍ଷ), ସ୍ବେତା (୧୬), ସାକ୍ଷୀ (୧୧) ଏବଂ ଶ୍ରୀଜନ (୮) ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ପୋଲିସ କହିବା ମୁତାବକ, ଗୋପାଳ ହାଦୀମଣୀଙ୍କ ପଡୋଶୀ ପ୍ରଥମେ ସନ୍ଦେହ କରିଥିଲେ । ଶନିବାର ସକାଳେ ତାଙ୍କ ପରିବାରର କେହି ଜଣେ ବି ଘରୁ ବାହାରକୁ ବାହାରିନଥିଲେ । ଅନେକ ସମୟ ଧରି ଅପେକ୍ଷା ପରେ ମଧ୍ୟ ଘରୁ କେହି ମଧ୍ୟ ବାହାରକୁ ବାହାରିନଥିଲେ । ଦୀର୍ଘ ସମୟ ଧରି କାହାରି ଦେଖା ନମିଳିବାରୁ ବାଧ୍ୟ ହୋଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶି ଦେଖିଥିଲା ଯେ ସମସ୍ତେ ଆତ୍ମହତ୍ୟା କରିଛନ୍ତି ।

ଶବଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ମୃତକଙ୍କ ପଡୋଶୀଙ୍କ କହିବା କଥା ଯେ, ଗୋପାଳ ହାଦୀମଣୀଙ୍କ ପତ୍ନୀଙ୍କର କିଛି ଦିନ ପୂର୍ବରୁ ବ୍ଲାକ୍‌ ଫଙ୍ଗସ୍‌ରେ ମୃତ୍ୟୁ ହୋଇଥିଲା । ଏହା ପରଠାରୁ ସେମାନେ କାହା ସହିତ ମିଶୁନଥିଲେ କିମ୍ବା କଥା ହେଉନଥିଲେ । ଅନେକ ସମୟରେ ସେମାନେ ଘରେ ରହୁଥିଲେ । ମାନସିକ ଭାବେ ଦୁର୍ବଳ ହୋଇ ଶେଷରେ ସେମାନେ ଆତ୍ମହତ୍ୟା ରାସ୍ତା ବାଛିନେଇ ଥାଇପାରନ୍ତି ବୋଲି ପଡୋଶୀ କହିଛନ୍ତି । ସେପଟେ ତାଙ୍କର ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଜବତ କରାଯାଇ ପୋଷ୍ଟ ମର୍ଟମ ପାଇଁ ପଠାଯିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.