ଜଣେ ନାୟିକାର ଅପମୃତ୍ୟୁ: ଏବେ ବି ବାଘାଯତୀନ ଲୋକନାଟ୍ୟର ଗ୍ରୀନ ରୁମ୍ ଝୁରୁଛି ମାନୀକୁ

Published By : Prameya-News7 Bureau | December 04, 2018 IST

ଭଦ୍ରକ ୪|୧୨: ବିଦ୍ୟୁତ ଆଘାତରେ ମରିଗଲେ ନାୟିକା ମାନୀ । ବାଘା ଯତୀନ ଲୋକନାଟ୍ୟର ହିରୋଇନ ମାନୀଙ୍କ ଅକାଳ ମୃତ୍ୟୁ , ଯାତ୍ରା ଜଗତକୁ ଅନେକ କିଛି ଶିକ୍ଷା ଦେଇଛି । ବିଦ୍ୟୁତ ଆଘାତରେ ଯେପରି କୌଣସି କଳାକାର କିମ୍ବା ଦର୍ଶକଙ୍କ ମୃତ୍ୟୁ ନ ହେବ, ସେ କଥା ମାନୀର ଆତ୍ମା ଏବେ କହୁଛି । ନାୟିକା ମାନୀ ସିନା ମରିଗଲେ, ହେଲେ ବଂଚିଗଲେ ଖଳନାୟକ ଲକ୍ଷ୍ମୀଧର । ମାନୀକୁ ବଂଚାଇବାକୁ ଯାଇ ସେଦିନ ଲକ୍ଷ୍ମୀଧର ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡିଥିଲେ ।  ଚିକିତ୍ସା ପରେ ଭଲ ହୋଇ ଗଲେ । ଆଉ ଏବେ ସେ ଇନ୍ଦ୍ର ମହଲରେ ଅଭିନୟ ଜାରି ରଖିଛନ୍ତି । ସେଦିନ ଥିଲା ରବିବାର (୨୦୧୭ ମସିହା ଅଗଷ୍ଟ ମାସ ୧୩ତାରିଖ ) । ଯାଜପୁର ଜିଲ୍ଲା କଳିଙ୍ଗ ନଗରର ଡୁବୁରୀଠାରେ ପାର୍ଟି ପଡିଥାଏ । ସେଦିନର ନାଟକ ଥିଲା – କାହାଣୀ କାନ୍ଦୁଛି ଆଖି ଲୁଚେଇ । ଆଉ କିଛି ଘଂଟା ପରେ ଆରମ୍ଭ ହୋଇଥାନ୍ତା ନାଟକ । ତେବେ ସଂଧ୍ୟା ସାତଟା ବେଳେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନୀକୁ ମୃତ ଘୋଷଣା କଲେ । ମାନୀଙ୍କ ପୁରା ନାଁ ହେଉଛି ସସ୍ମିତା ଖଟୁଆ , ଘର ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଂଚଳରେ । ବିଶ୍ୱଜିତ ଖଟୁଆ ହେଉଛନ୍ତି ତାଙ୍କ ସ୍ୱାମୀ । ସ୍ୱାମୀ ସ୍ତ୍ରୀ ଉଭୟ ଥିଲେ ବାଘାଯତୀନ ଲୋକନାଟ୍ୟରେ ।  ରଙ୍ଗମଂଚରୁ ଖୁବ୍ ନିକଟରେ ମାନୀ ତାଙ୍କ ସ୍ୱାମୀଙ୍କ ସହ ଜଣଙ୍କ ଘରେ ରହୁଥିଲ । ପାଖରେ ବି ଅନ୍ୟ କଳାକାରମାନେ ଥିଲେ । ସଂଧ୍ୟା ସମୟରେ ପ୍ରତିଦିନ ଭଳି  ମାନୀ ସେଦିନ ଗଲେ ଟଏଲେଟକୁ । ସତେ ଯେମିତି ସେହିଠାରେ ମୃତ୍ୟୁ ତାକୁ ଅପେକ୍ଷା କରିଥିଲା । ସେହି ଟଏଲେଟର ଟିଣ କବାଟକୁ ଛୁଇଁ ଦେଲା କ୍ଷଣି , ମାନୀଙ୍କ ଦେହରେ କରେଣ୍ଟ ଚାର୍ଜ ହୋଇଗଲା । ସେ ଚିତ୍କାର କରିବା ଆରମ୍ଭ କରିଦେଲେ । ସେହି ସ୍ଥାନରେ ତାଙ୍କ ସ୍ୱାମୀ ନଥିଲେ । ଆଉ ମାନୀଙ୍କ ଚିତ୍କାର ଶୁଣି ପାଖ ଘରେ ଥିବା ଲକ୍ଷ୍ମୀଧର ଦୌଡିଗଲେ । ଆଉ ମାନୀକୁ ଛୁଇଁବା ମାତ୍ରକେ ସେ ବି ଛିଟିକି ପଡିଲେ । ବିଦ୍ୟୁତ କାଟ କରାଯାଇ , ମାନୀ ଓ ଲକ୍ଷ୍ମୀଧରକୁ ତତକ୍ଷଣାତ ନିଆଗଲା ଦାନଗଦୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ । ଆଉ ସେଠାରେ ଡାକ୍ତର ମାନୀକୁ ମୃତ ଘୋଷଣା କଲେ । ଖଳନାୟ ଲକ୍ଷ୍ମୀଧର ସିନା ବଂଚିଗଲେ, ହେଲେ ଏବେ ବି ତାଙ୍କ ହାତରେ ସେହି ଚିହ୍ନ ରହିଛି । ସେଦିନ ନାଟକ ହୋଇ ପାରିଲା ନାହିଁ । ଅଭିନେତା, ଅଭିନେତ୍ରୀ, ପରିଚାଳକ , ପ୍ରଯୋଜକ ସମସ୍ତେ ଭାଙ୍ଗି ପଡିଲେ । କେବଳ ବାଘାଯତୀନ ଲୋକନାଟ୍ୟରେ ନୁହେଁ, ସାରା ଯାତ୍ରା ଜଗତରେ ମାନୀଙ୍କ ମୃତ୍ୟୁ ପାଇଁ ଖେଳିଗଲା ଶୋକର ଛାୟା । ବିଦ୍ୟୁତ ଆଘାତ ପ୍ରତି ସମସ୍ତେ ସଚେତନ ହୋଇ ପଡିଲେ ।  ତେବେ ମାନୀଙ୍କ ଶୂନ୍ୟସ୍ଥାନ ପୂରଣ କଲେ ନବାଗତ ନାୟିକା ବିନି । ବିନି ବି ଭଲ ଅଭିନୟ କରୁଛନ୍ତି । ହେଲେ ଏବେ ବି ବାଘାଯତୀନ ଲୋକନାଟ୍ୟର ଗ୍ରୀନ ରୁମ୍ ଝୁରୁଛି ମାନୀକୁ । ରିପୋର୍ଟ: ସର୍ବେଶ୍ବର ନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.