ଥାଇଲାଣ୍ଡରେ ବାତ୍ୟା ‘ପାବୁକ’ର କରାଳ ତାଣ୍ଡବ ; ଓଡିଶାର ୭ଟି ଜିଲ୍ଲାରେ ଆଲର୍ଟ ଜାରି

Published By : Prameya-News7 Bureau | January 05, 2019 IST

ବ୍ୟାଙ୍କକ ୫|୧: ଘୂର୍ଣ୍ଣିଝଡ ପାବୁକ ୭ ଜାନୁଆରୀ ପର୍ଯ୍ୟନ୍ତ ଓଡିଶା ଉପକୂଳକୁ ପ୍ରଭାବିତ କରିବ । ଏହା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଏହି ୭ଟି ଜିଲ୍ଲା ହେଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ ଏବଂ ଖୋର୍ଦ୍ଧା । ମତ୍ସ୍ୟଜୀବୀମାନଙ୍କୁ ସଦୁଗ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ତ୍ତମାନ ଥାଇଲାଣ୍ଡର ନଖୋନ ସି ଥମ୍ମାରାତ ଅଞ୍ଚଳରେ ଘୂର୍ଣ୍ଣିଝଡ ପାବୁକର କରାଳ ତାଣ୍ଡବ ଦେଖିବାକୁ ମିଳିଛି ।

ପାବୁକ ଘୂର୍ଣ୍ଣିଝଡକୁ ନଜରରେ ରଖି ପୂର୍ବରୁ ପ୍ରାୟ ୭ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଏବେବି ୮୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର  ପାଇଁ ଅଭିଯାନ ଜାରି ରହିଛି । ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରଶମନ ବିଭାଗ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘୂର୍ଣ୍ଣିଝଡ ପ୍ରଭାବରେ ଦେଶର ପର୍ଯ୍ୟଟନସ୍ଥଳୀ ସହ କିଛି ଲୋକପ୍ରିୟ ଦ୍ବୀପ ପ୍ରଭାବିତ ହୋଇଛି । ସେଠାରେ ବିମାନ ଏବଂ ନୌକା ସେବା ରଦ୍ଦ କରାଯାଇଛି ।

{"id":70543}

ଏହା ମଧ୍ୟରେ ବ୍ୟାଙ୍କକ ଏୟାରପୋର୍ଟ ଅଥରିଟି ସାମୁଇ ବିମାନବନ୍ଦର ପାଇଁ ସମସ୍ତ ବିମାନ ଉଡାଣ ରଦ୍ଦ କରିବାକୁ ଘୋଷଣା କରିଛି । ଏୟାର ଏସିଆ ଏବଂ ନୋକା ଏୟାର ଭଳି ଏୟାରଲାଇନ୍ସ ମଧ୍ୟ ବିମାନ ସେବା ରଦ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ବିଶେଷଜ୍ଞଙ୍କ ମତରେ ପ୍ରବଳ ବେଗରେ ପବନ ସହ ସମୁଦ୍ର ତଟ ନିକଟବର୍ତ୍ତୀ ଅଞ୍ଚଳରେ ୫ମିଟର ଉଚ୍ଚତାର ସମୁଦ୍ର ଜୁଆର ଉଠୁଛି ।

ଥାଇଲାଣ୍ଡ ପାଣିପାଗ ବିଭାଗ ଅନୁସାରେ ଘୂର୍ଣ୍ଣିଝଡ ପାବୁକ ଆକଳନଠାରୁ ଅଧିକ ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି । ଏହା ଅପରାହ୍ନରେ ୭୫କିମି ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ସହ ନଖୋନ ସି ଥମ୍ମାରାତ ନିକଟରେ ସ୍ଥଳଭାଗ ଛୁଇଁବ । ଘୂର୍ଣ୍ଣିଝଡ ପ୍ରଭାବରେ ଥାଇଲାଣ୍ଡର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏହି ସମୟରେ ବନ୍ୟା ଏବଂ ଭୁସ୍ଖଳନ ହେବାର ଭୟ ମଧ୍ୟ ବଢିଯାଇଛି । ଫଳରେ ସାମୁଇ, ତାଓୋ ଏବଂ ଫାଗ୍ନନ ପର୍ଯ୍ୟଟନ ଦ୍ବୀପ ପର୍ଯ୍ୟନ୍ତ ଚାଲୁଥିବା ଡଙ୍ଗା ସେବା ବନ୍ଦ କରିଦିଆଯାଇଛି । ସ୍ଥାନୀୟ ପ୍ରଶାସନ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

{"id":70548}

ଗତବର୍ଷ ଅକ୍ଟୋବର ମାସରେ ଓଡିଶାରେ ଆସିଥିବା ବାତ୍ୟା ତିତଲି ମଧ୍ୟ ବହୁ କ୍ଷୟକ୍ଷତି କରିଥିଲା । ଏହି ବାତ୍ୟାରେ ୫୭ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରବଳ ବର୍ଷା କାରଣରୁ ଆସିଥିବା ବନ୍ୟା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିଲା । ଏହି ବାତ୍ୟା ଫଳରେ ୫୭,୧୩୧ ଘର ଭାଙ୍ଗିରୁଜି ଯାଇଥିବାବେଳେ ପ୍ରାୟ ୨୨୦୦ କୋଟିର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.