ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଚିନ୍ମୟୀଙ୍କ ଏଣ୍ଟ୍ରି ପରେ ତଦନ୍ତରେ ଟ୍ଵିଷ୍ଟ, କିନ୍ତୁ ଦୁଇ ମାସ ପରେ ହଟୁନି ପରଦା

Published By : Prameya-News7 Bureau | September 04, 2020 IST

ଭୁବନେଶ୍ଵର ୦୪।୦୯: ଭୁବନେଶ୍ବରରେ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ ଆଣିଛି ତ୍ରିକୋଣୀୟ ପ୍ରେମ। ପୂର୍ବରୁ ବାଲେଶ୍ଵରର ଯୁବତୀ ଚିନ୍ମୟୀଙ୍କ ସହ ଆଦିତ୍ୟଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ପରେ ସେ ବିଦ୍ୟାଶ୍ରୀଙ୍କୁ ଭଲପାଇ ବାହା ହୋଇଥିଲେ । ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ ବୋଲି ଅନୁମାନ କରି କ୍ରାଇମବ୍ରାଞ୍ଚକୁ ଜଣାଇବା ସତ୍ଵେ କାହିଁକି ତଦନ୍ତକାରୀ ଟିମ୍ ଚିନ୍ମୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିନି ସେ ନେଇ ପ୍ରଶ୍ନ ଉଠାଇଥିଲେ ଆଦିତ୍ୟଙ୍କ ପରିବାର । ସେପଟେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା କଥା କାହାରି ପ୍ରତିକ୍ରିୟା ଆଧାରରେ ନୁହେଁ ବରଂ ପ୍ରମାଣ ଆଧାରରେ ଆଗକୁ ବଢ଼ୁଛି ତଦନ୍ତ ।

{"id":325067,"sizeSlug":"large"}

ତେବେ ପୁଅର ମୃତ୍ୟୁ ପଛରେ ଚିନ୍ମୟୀଙ୍କ ହାତ ଥାଇପାରେ ବୋଲି ଆଦିତ୍ୟଙ୍କ ପରିବାରର ସନ୍ଦେହକୁ ଖଣ୍ଡନ କରିଛନ୍ତି ଚିନ୍ମୟୀ । କହିଛନ୍ତି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାହାଘର ହେବ ବୋଲି ଜାଣିବା ପରେ ସେ ନିଜ ଆଡ଼ୁ ଚୁପ୍ ରହିଥିଲେ । ପୂର୍ବରୁ ଚିନ୍ମୟୀଙ୍କ ସହ ଆଦିତ୍ୟଙ୍କ ପ୍ରେମ ସମ୍ପର୍କ ଥିବା କଥାକୁ ଆଉ ଟିକେ ସ୍ପଷ୍ଟ କରିଛନ୍ତି ଆଦିତ୍ୟଙ୍କ ବନ୍ଧୁ ପପୁ । ଏମିତିକି ଆଦିତ୍ୟଙ୍କ ଜୀବନରେ ବିଦ୍ୟାଶ୍ରୀଙ୍କ ଏଣ୍ଟ୍ରି ପରେ ଚିନ୍ମୟୀଙ୍କ ସହ ଆଦିତ୍ୟଙ୍କ ବ୍ରେକ୍ଅପ୍ ହୋଇଥିଲା ବୋଲି ମଧ୍ୟ କହିଛନ୍ତି ।

ସେପଟେ ଭୁବନେଶ୍ବରରୁ ବାଲେଶ୍ବର ଯାଏଁ ଏସବୁ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ନାନା ପ୍ରଶ୍ନ ଉଠିଥିଲା । ଯାହାର ଜବାବ ଦେବାକୁ ଆଜି ସାମ୍ନାକୁ ଆସିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, କାହାର ପ୍ରତିକ୍ରିୟା ଆଧାରରେ ନୁହେଁ ବରଂ ପ୍ରମାଣ ଆଧାରରେ ତଦନ୍ତ ଆଗକୁ ବଢ଼ୁଛି ।

{"id":325068,"sizeSlug":"large"}

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ୨ ମାସ ପୂରିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ  ଅଡ଼ୁଆ ସୂତାରୁ ଗଣ୍ଠି ଫିଟାଇପାରିନି କ୍ରାଇମବ୍ରାଞ୍ଚ । ସେପଟେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ବାପା-ମାଆ, ସହଯୋଗୀ ପପୁ, ବିକାଶ, ଦୀପୁଙ୍କୁ ତଦନ୍ତକାରୀ ଟିମ୍‌ର ଘଣ୍ଟା ଚକଟା ଭିତରେ ଏବେ ଚିନ୍ମୟୀଙ୍କ ଏଣ୍ଟ୍ରି ଘଟଣାକୁ ଆହୁରି ଜଟିଳ କରିଛି । ଏମିତିରେ ତଦନ୍ତ କୁଆଡ଼େ ଯାଉଛି, ଆଉ ରହସ୍ୟ ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚକୁ ଆଉ କେତେ ଦିନ ଲାଗିବ ତା ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.