ଅଭିଯୁକ୍ତ ଜେଲ ଗଲା ପରେ ବି ସୋସିଆଲ ମିଡିଆ ରେ ବୁଲୁଛି ପ୍ରେମିକାର ଅଶ୍ଳୀଳ ଫଟୋ
28/11/2018 at 6:55 PM

ଭଦ୍ରକ;୨୮/୧୧- ପ୍ରଥମେ ପ୍ରେମ । ତା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ । ତା ପରେ ଧୋକା । ଏ ଘଟଣା ସିନେମାର କାହାଣୀ ପରି ନିତିଦିନିଆ ଘଟଣା ହେଇଗଲାଣି । ଗଣମାଧ୍ୟମରେ ମଧ୍ୟ ଏଭଳି ଅନେକ ଘଟଣାକୁ ନେଇ ଅନେକ ଥର ଚର୍ଚ୍ଚା ହେଲାପରେ ନା ଚେତି ପାରୁଛନ୍ତି ପ୍ରେମୀଯୁଗଳ ନା ସୁଧୁରିପାରୁଛି ପ୍ରେମ । ଏ ଭଳି ପ୍ରେମ –ପ୍ରତାରଣାର କରୁଣ କାହାଣୀ ଘଟିଛି ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳରେ । ଘଟଣାର ମୁଖ୍ୟ ନାୟକ ହେଉଛନ୍ତି ଆଗରପଡା ଥାନା ଆପତିରା ଷଡଙ୍ଗୀ ଗାଁ ର ସ୍ନେହାଦିତ୍ୟ ମଲ୍ଲିକ ।ସେ ଜଣେ ନୁହେଁ କି ଦୁଇଜଣ ନୁହେଁ ,ଏମିତି ଅନେକ ଝିଅଂକ ସହ ବିବାହର ପ୍ରଲୋଭନ ଦେଖାଇ ରଖିଥାନ୍ତି ଶାରୀରିକ ସଂପର୍କ । କେବଳ ଶାରୀରିକ ସଂପର୍କ ନୁହେଁ ,ଅନ୍ତରଂଗ ମୁହୁର୍ତ୍ତର ଫଟୋ ବି ଉତ୍ତୋଳନ କରି ରଖିଥାନ୍ତି ମୋବାଇଲରେ । ବାରମ୍ବାର ବ୍ଲାକମେଲ କରି ବିଭିନ୍ନ ସମୟରେ ରଖିଥାନ୍ତି ଶାରୀରିକ ସଂପର୍କ । ଯଦି କିଏ ସଂପର୍କରୁ ଦୂରେଇଯାଏ, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ କରିବାର ଧମକ ବି ଦେଇଥାନ୍ତି । ଏଇ ନିକଟରେ ଜଣେ ଯୁବତୀଂକ ସହ ଏଭଳି ପ୍ରେମ ,ପ୍ରତାରଣା ଘଟଣା ଘଟିସାରିବା ପରେ ଫଟୋ ବି ଭାଇରାଲ କରିଛନ୍ତି ସୋସିଆଲ ମିଡ଼ିଆରେ । ଏ ଘଟଣାକୁ ନେଇ ଯୁବତୀ ଜଣକ ଥାନାରେ ଏତାଲା ଦେଇଛନ୍ତି । ପୋଲିସ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ ଜେଲ ଗଲା ପରେ କିନ୍ତୁ ଆଉ କିଛି ଫୋଟୋ ଫେକ ଆଇଡି ରେ ଛଡ଼ାଯାଇଛି । ଏସବୁ କାମ ତାଙ୍କ ସାଙ୍ଗ ମାନେ କରୁଥିବା ଯୁବତୀ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତଦନ୍ତ କରୁଥିବା ପୋଲିସ ଅଫିସର କହିଛନ୍ତି ସାଇବର କ୍ରାଇମ କୁ କେସ ଦିଆ ଯାଇଛି, ରିପୋର୍ଟ ଆସିଲେ ଏଥିରେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଧରାଯିବ । ତେବେ ଆଳୁ ଖୋଲୁ ଖୋଲୁ ମହାଦେବ ବାହାରିବା ପରି ଏବେ ଅଭିଯୁକ୍ତ ଯୁବକ ଙ୍କ ଅନ୍ୟ ଯୁବତୀ ମାନଙ୍କ ସହ ଥିବା ଅନ୍ତରଙ୍ଗ ମୂହୁର୍ତ୍ତ ର ଫୋଟୋ ଏବେ ବି ଭାଇରାଲ ହେଉଛି ।