CBSE-ICSE ଦ୍ୱାଦଶ ପରୀକ୍ଷା ବାତିଲ୍‌ ପରେ ଆଉ କେଉଁ ରାଜ୍ୟମାନେ ନେଇଛନ୍ତି ବାତିଲ୍‌ ନିଷ୍ପତ୍ତି, ଜାଣନ୍ତୁ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ, ୦୩/୦୬: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଚିନ୍ତାରେ ଅଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଛନ୍ତି । ଏହି ଘୋଷଣା ପରେ ପରେ ହରିୟାଣା ସରକାରଙ୍କ ଠାରୁ ଆରମ୍ଭ କରି ଆଉ କିଛି ରାଜ୍ୟ ମଧ୍ୟ ପରୀକ୍ଷା ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ହରିୟାଣା- କେନ୍ଦ୍ର ସରକାରଙ୍କ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍‌   ଘୋଷଣା ପରେ ହରିୟାଣାରେ ମଧ୍ୟ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ୍‌ କରାଯାଇଛି । ଶିକ୍ଷାମନ୍ତ୍ରୀ କଂବର୍‌ ପାଲ୍‌ ଏନେଇ ମଙ୍ଗଳବାର ସୂଚନା ଦେଇଥିଲେ ।

ରାଜସ୍ଥାନ- ସିବିଏସ୍‌ଇ ପରୀକ୍ଷା ବାତିଲ୍‌ ପରେ ରାଜସ୍ଥାନ ସରକାର ମଧ୍ୟ ବୋର୍ଡ ପରୀକ୍ଷା ଆୟୋଜନକୁ ନେଇ ନିଷ୍ପତ୍ତି ନେଇଛନ୍ତି । ଆଜି ଡକାଯାଇଥିବା କ୍ୟାବିନେଟ୍‌ ବୈଠକରେ ଆର୍‌ବିଏସ୍‌ଇ ବା ରାଜସ୍ଥାନ ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପରୀକ୍ଷା ଫଳକୁ ନେଇ ଫର୍ମୁଲା ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ଶିକ୍ଷା ବିଭାଗ ମିଳିତ ଭାବେ ପ୍ରସ୍ତୁତ କରିବେ ବୋଲି କୁହାଯାଇଛି ।

ଉତ୍ତରପ୍ରଦେଶ- ହରିୟାଣା ଏବଂ ରାଜସ୍ଥାନ ପରେ ୟୁପି ସରକାର ମଧ୍ୟ ବୋର୍ଡ ପରୀକ୍ଷାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ହୋଇଥିବା ବୈଠକରେ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ନିଷ୍ପତ୍ତି ନେଇଛି ।

ଗୁଜୁରାଟ- ଗୁଜୁରାଟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କରୋନାକୁ ଦୃଷ୍ଟିରେ ରଖି ବାତିଲ୍‌ କରିଛି । ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ରସିଂହ ଚୁଡାସମା ଏ ନେଇ ସୂଚନା ଦେଇଛନ୍ତି ।

ଉତ୍ତରାଖଣ୍ଡ- ଅନ୍ୟ ରାଜ୍ୟ ମାନଙ୍କ ଭଳି ଉତ୍ତରାଖଣ୍ଡ ସରକାର ମଧ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ କରିଛନ୍ତି । ରାଜ୍ୟ ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ଅନୁସାରେ ସିବିଏସ୍‌ସି ପରୀକ୍ଷାକୁ ନେଇ ହୋଇଥିବା ନିଷ୍ପତ୍ତିରେ ସେ ସନ୍ତଷ୍ଟ ଅଛନ୍ତି । ରାଜ୍ୟରେ ଦ୍ୱାଦଶ ପରୀକ୍ଷାକୁ ବାତିଲ୍‌ କରାଯାଇଛି ।

ମଧ୍ୟପ୍ରଦେଶ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନେଇ ଆଧିକାରୀକ ସ୍ତରରେ ହୋଇଥିବା ବୈଠକ ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଟ୍ୱିଟ୍‌ କରି ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ନାହିଁ ବୋଲି ସୂଚନା ଦିଆଯାଇଛି ।

ମହାରାଷ୍ଟ୍ର- ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.