ରାମଦେବଙ୍କୁ ଝଟକା, ଭୁଟ୍ଟାନ ପରେ ନେପାଳରେ ନିଷିଦ୍ଧ ହେଲା କରୋନିଲ କିଟ୍

Published By : Prameya-News7 Bureau | June 09, 2021 IST

କାଠମାଣ୍ଡୁ ୯।୬: କରୋନାଭାଇରସ ମହାମାରୀ କେବଳ ଭାରତ ନୁହେଁ ପଡୋଶୀ ଦେଶମାନଙ୍କରେ ମଧ୍ୟ ପ୍ରକୋପ କରୁଛି। ଏଥିରେ ନେପାଳ ଓ ଭୁଟ୍ଟାନ ଭଳି ଦେଶମାନଙ୍କରେ ଲୋକେ ସଂକ୍ରମଣରୁ ରକ୍ଷା ପାଇବା ଲାଗି ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିକଶିତ କରୋନିଲ କିଟ୍‌ ଉପରେ ଭରସା କରୁଛନ୍ତି। ହେଲେ କରୋନାରେ ଔଷଧ କାମ କରୁ ନଥିବାରୁ ଭୁଟ୍ଟାନ ଦେଶରେ ଏହାର ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରିଥିଲା। ଏବେ ନେପାଳ ଆୟୁର୍ବେଦ ଓ ଅଲଟରନେଟିଭ ମେଡିସିନ ବିଭାଗ ମଧ୍ୟ ଏହାକୁ ଦେଶରେ ନିଷିଦ୍ଧ କରିଛନ୍ତି।

ନେପାଳ ସରକାର ଏକ ଆଦେଶରେ କରୋନିଲ କିଟ୍‌ରେ ଉପଲବ୍ଧ ଟାବଲେଟ୍ ଓ ନାଜାଲ ଅଏଲ କରୋନା ରୋକିବାରେ ବିଫଳ ହେଉଥିବା କହିଛନ୍ତି। ରାମଦେବ ନେପାଳକୁ ଉପହାରରେ କରୋନିଲ କିଟ୍‌ ପ୍ରଦାନ କରିଥିଲେ। ତେବେ ନେପାଳ ସରକାରଙ୍କ ଏହି ଆଦେଶ ଏବେ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି ମଧ୍ୟ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀ ଓଲିଙ୍କ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଏବଂ ମହିଳା ଓ ଶିଶୁ ବିକାଶ ପ୍ରଭାରୀ ଜୁଲି ମହତୋଙ୍କ କାର୍ଯ୍ୟକାଳରେ ଦେଶରେ କରୋନିଲର ପ୍ରଚଳନ ହୋଇଥିଲା।

ନେପାଳରେ ପତଞ୍ଜଳି ସାମଗ୍ରୀର ବଡ ବଜାର ରହିଛି। ଏଥିରେ କରୋନା ମୁକାବିଲାରେ କରୋନିଲକୁ ସରକାର ନିଷିଦ୍ଧ କରିବା ଏବେ ଘଟଣାକୁ ରଜନୈତିକ ରୂପ ଦେଇଛି। ଅନ୍ୟପକ୍ଷରେ କରୋନିଲ କରୋନାକୁ ହରାଉଛି ତାହା ପତଞ୍ଜଳି ପ୍ରମାଣିତ କରନ୍ତୁ ବୋଲି ସରକାର ଏହି ନିର୍ଦ୍ଦେଶରେ କହିଛନ୍ତି। କିଛି ସମୟ ପୂର୍ବରୁ ଭୁଟ୍ଟାନ ସରକାର କରୋନିଲ କିଟ୍‌ ଉପରେ ଦେଶରେ ନିଷିଦ୍ଧାଦେଶ ଜାରି କରିଛନ୍ତି। ଭୁଟ୍ଟାନ ଡ୍ରଗ ରେଗୁଲେଟରୀ ଅଥରିଟି ଦେଶରେ ଏପରି କୌଣସି ଔଷଧର ବିକ୍ରି ଓ ବିତରଣ ଉପରେ କଟକଣା ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.