ସମ୍ପୂର୍ଣ୍ଣ କରୋନା ମୁକ୍ତ ଘୋଷଣା ପରେ ଆଣ୍ଡାମାନରେ ପୁଣି ବାହାରିଲେ ପଜେଟିଭ୍
18/04/2020 at 3:55 PM

ପୋର୍ଟବ୍ଲେୟାର ୧୮।୪: ଦେଶରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ନିଜକୁ ସର୍ବ ପ୍ରଥମ କରୋନାମୁକ୍ତ ଘୋଷଣା କରିଛି। ତେବେ ଏହି ଘୋଷଣାର ମାତ୍ର କିଛି ଘଣ୍ଟା ପରେ ପୁଣି ସଂକ୍ରମିତ ଚିହ୍ନଟ ହେବା ଏବେ କେନ୍ଦ୍ରଶାସିତ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଶେଷ କୋଭିଡ-୧୯ ଟିହ୍ନଟ ବ୍ୟକ୍ତି ଜଣେ ସରକାରୀ କର୍ମଚାରୀ ଓ ସେ ରାଜ୍ୟରେ ଅତ୍ୟାବସକୀୟ ସେବା ସହ ସମ୍ପୃକ୍ତ ଥିଲେ। ତାଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ସରକାର ତାଙ୍କୁ ଏବେ ଆଇସୋଲେସନରେ ରଖିଛନ୍ତି।

ଆଣ୍ଡାମାନ ଓ ନିକୋବର ଦ୍ୱୀପ ପୁଞ୍ଜରେ ମୋଟ ୧୨ ଜଣ କରୋନା ଚିହ୍ନଟ ହୋଇଥିଲେ। ପୋର୍ଟ ବ୍ଲେୟାର ଅଞ୍ଚଳରେ ଏଥିଲାଗି ୪ଟି ହଟସ୍ପଟ୍ ଚିହ୍ନଟ କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ କରାଯାଇଥିଲା। ତେବେ ସାରା ରାଜ୍ୟରେ ଏହି ସମୟରେ ୧୬ଶହଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମାତ୍ର ୧୨ ଜଣ ପଜେଟିଭ ଚିହ୍ନଟ ହୋଇଥିଲେ।

ତେବେ ଶେଷ କରୋନା ପଜେଟିଭ ଚିହ୍ନଟ ପରେ ଆଣ୍ଡାମାନ ଓ ନିକୋବରର ପ୍ରାଚୀନ ସମ୍ପ୍ରଦାୟ ଏବେ ଚିନ୍ତାର କାରଣ ପାଲଟିଛନ୍ତି। ଏହି ସମ୍ପ୍ରଦାୟଙ୍କମଧ୍ୟରେ ଜରୱା, ଓଙ୍ଗ, ଗ୍ରେଟ୍ ଆଣ୍ଡାମାନିଜ୍ ଏବଂ ସେଣ୍ଟିନଲମାନେ ଅଛନ୍ତି। ଏଥିରୁ ଜରୱାଙ୍କ ଜନସଂଖ୍ୟା ପ୍ରାୟ ୫୦୦ । ତେବେ ବାହ୍ୟ ଜଗତ ସହ ସେମାନଙ୍କର ସମ୍ପର୍କ ଥିବା ଯୋଗୁ ଅତୀତରେ ୨ ଥର ମିଳିମିଳା ସଂକ୍ରମଣରେ ନିଜକୁ ରକ୍ଷା କରିପାରିଛନ୍ତି। ହେଲେ ଅନ୍ୟମାନେ ଏପର୍ଯ୍ୟନ୍ତ ବାହ୍ୟ ସମ୍ପର୍କରୁ ଦୂରରେ। ତେବେ ଏପରି ପ୍ରାଚୀନ ଜନଜାତିଙ୍କ ରୋଗ ପ୍ରତିରୋଧକ କ୍ଷମତା ହିଁ ଏବେ ଚିନ୍ତାର କାରଣ ପାଲଟିଛି।

ଏହି ପ୍ରାଚୀନ ଜନଜାତି ଲୋକଙ୍କ ସହ ସମ୍ପର୍କ ଲାଗି ଆଣ୍ଡାମାନ ଟ୍ରଙ୍କରୋଡ ଏକମାତ୍ର ଯୋଗାଯୋଗର ରାସ୍ତା। ହେଲେ ଏହା ସମ୍ପୂର୍ଣ୍ଣ ଦ୍ୱୀପାଞ୍ଚଳକୁ ଯୋଗାଯୋଗ କରିପାରୁନି। ତେବେ ମଝିରେ ଥିବା ଜଳଭଣ୍ଡାର ପରେ ରହୁଥିବା ଜରୱାଙ୍କସହ ସମ୍ପର୍କ ଏବେବି ସମ୍ଭବ ନୁହେଁ। ଏପରି ସମ୍ବେଦନଶୀଳ ଅଞ୍ଚଳକୁ ବାହର ଦୁନିଆର ଲୋକଙ୍କ ପ୍ରବେଶ ସେମାନଙ୍କ ଲାଗି ନିଶ୍ଚିତ ବିପଦର କାରଣ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ସେମାନଙ୍କ ସମ୍ପର୍କ ଲାଗି ଆଦିମ ଜନଜାତି ବିକାଶ ସମିତି ସହ ସମ୍ପର୍କ କରାଯାଉଥିବା ଦ୍ୱିପାଞ୍ଚଳ କୋଭିଡ-୧୯ ନାଡାଲ ଅଫିସର ଡା. ଅଭିଜିତ ରାୟ ସୂଚିତ କରିଛନ୍ତି।