Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖାଦ୍ୟ ତୈଳ ବଜାରରେ ପ୍ରବେଶ କଲେ ଅମୂଲ ବିକ୍ରେତା GCMMF

11/07/2020 at 9:43 PM

ଅହମ୍ମଦାବାଦ:  ଡୈରୀ ଓ ଖାଦ୍ୟ ଉତ୍ପାଦ ପ୍ରମୁଖ ଗୁଜୁରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ( ଜିସିଏମଏମଏଫ୍) ବ୍ରାଣ୍ଡେଡ ଖାଦ୍ୟ ତୈଳ ବଜାରରେ ପ୍ରବେଶ କରିଛନ୍ତି। ‘ଜନମାଇ’ ବ୍ରାଣ୍ଡର ତୈଳ ଲଞ୍ଚିଂ ସହ ଫେଡେରସନ ଏହି ବଜାରରେ ପ୍ରତିଯୋଗୀତା ଲାଗି ବିଗୁଲ ଫୁଙ୍କିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସତେଜ କପା ମଞ୍ଜି ତୈଳ ସମେତ ସୋୟାବିନ୍, ବାଦାମ, ସୂର୍ଯ୍ୟମୁଖୀ ଓ ସୋରିଷ ତେଲର ମାର୍କେଟିଂ ଆରମ୍ଭ କରିଥିବା ବେଳେ ୧ ଲିଟର, ୫ ଲିଟର ପ୍ୟାକ୍ ସମେତ ୧୫ ଲିଟର ଟିନ୍‌ ପ୍ୟାକ୍‌ରେ ମଧ୍ୟ ଉପଲବ୍ଧ କରିଛନ୍ତି।

ଗୁଜୁରାଟ ଓ ରାଜସ୍ଥାନ ବଜାରରେ ଏବେ ଉପଲବ୍ଧ ହେଉଥିବା ଜନମାଇ ବ୍ରାଣ୍ଡ ଏବେ ଉଭୟ ରାଜ୍ୟର ଅମୂଲ ପାର୍ଲରମାନଙ୍କରେ ଉପଲବ୍ଧ ହେବ। ତେବେ ପର୍ଯ୍ୟାୟକ୍ରମେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ମିଳିବ ବୋଲି ଜଣାପଡିଛି। ଜିସିଏମଏମଏଫଙ୍କ ପ୍ରବନ୍ଧକ ଆର.ସି.ସୋଢି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଉତ୍ତର ଓ ଦକ୍ଷିଣ ଗୁଜୁରାଟର ବନସକାଣ୍ଠାରେ ତୈଳବିଜ ଉତ୍ପାଦନକାରୀ ଚାଷୀଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ ଲାଗି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସେ କହିଛନ୍ତି ଯେ ଆମ ଦେଶ ଆମଦାନୀ ତୈଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଦେଶର ମୋଟ ୬୫ ପ୍ରତିଶତ ତୈଳ ଆବଶ୍ୟକତା ବିଦେଶୀ ଆମଦାନୀରୁ ପୂରଣ ହେଉଥିବା ବେଳେ ଦେଶରେ ଉତ୍ପାଦିତ ହେଉଥିବା ବାଦାମ ଓ ଶୋରିଷ ତେଲ ମାତ୍ର ୨୫ ପ୍ରତିଶତ ପର୍ଯ୍ୟନ୍ତ ସହାୟକ ହୋଇପାରୁଛି। ଏଥିରେ ଜିସିଏମଏମଏଫଙ୍କ ପଦକ୍ଷେପ ନିଶ୍ଚିତ ଗ୍ରହଣୀୟ ହେବା ସହ ଦେଶର ନିର୍ଭଶୀଳତା ହ୍ରାସ କରିବ ବୋଲି ସୋଢି କହିଛନ୍ତି।

ଦେଶ ଏବେ କରୋନା ମହାମାରୀରେ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଆମଦାନୀ ବନ୍ଦ ଯୋଗୁ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରୁନଥିବା ବେଳେ ବ୍ରାଣ୍ଡ କଥା ସମସ୍ତେ ଭୁଲିଯାଇଛନ୍ତି। ଏଣୁ ଦେଶର ନିଜ ବ୍ରାଣ୍ଡ ଏବେ କାରବାର କରିବାରେ କୌଣସି ଅସୁବିଧା ନଥିବା ସୋଢି କହିଛନ୍ତି। ଜନମଇ ତେଲର ପ୍ରସ୍ତୁତି ଓ ପ୍ୟାକିଂ ଏବେ ଉତ୍ତର ଗୁଜୁରାଟର ପାଲନପୁର ପ୍ଲାଣ୍ଟରେ ହେଉଛି। ଏଠାରୁ ସାରା ଦେଶକୁ ତେଲ ଯୋଗାଇ ଦିଆଯିବ ବୋଲି ପ୍ରବନ୍ଧ ନିର୍ଦ୍ଦେଶକ କହିଛନ୍ତି। ଜିସିଏମଏମଏଫର ସାରା ରାଜ୍ୟରେ ୩.୬ ନିୟୁତ ଦୁଗ୍ଧ ଚାଷୀ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ତୈଳ ବିଜ ଚାଷ କରୁଛନ୍ତି। ତେବେ ଖାଦ୍ୟ ତୈଳ ଖେତ୍ରରେ ଫେଡେରେସନର ପ୍ରବେଶ ରାଜ୍ୟରେ ଏପରି ସାମଗ୍ରୀର ମୂଲ୍ୟ ସ୍ଥିର ରଖିବାରେ ସହାୟକ ହେବ ବୋଲି ଏବେ ଆଶା କରାଯାଉଛି।

   Related Posts