ଶେଷରେ ତାଲିବାନ ସହ ଆଲୋଚନା କରିବାକୁ କାହିଁକି ପ୍ରସ୍ତୁତ ହେଲା ଭାରତ ? ଏ ହେଉଛି କାରଣ

Published By : Prameya-News7 Bureau | September 15, 2020 IST

ଦୋହା ୧୫।୦୯: ଦୋହାରେ ଆୟୋଜିତ ଇଣ୍ଟ୍ରା-ଆଫଗାନ ଡାଏଲଗରେ ଯୋଗ ଦେଇ ଭାରତ ଆଫଗାନିସ୍ତାନର ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛି, ଯେଉଁଥିରେ ତାଲିବାନ ମଧ୍ୟ ସାମିଲ। ଏହି ନିଷ୍ପତ୍ତି ଜରିଆରେ ଭାରତ ଗୋଟିଏପଟେ ଶାନ୍ତି ସ୍ଥାପନାରେ ନିଜର ଯୋଗଦାନ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ ଭାରତ ବିରୋଧୀ ଗତିବିଧି ପାଇଁ ଆଫଗାନିସ୍ତାନ ମାଟିର ବ୍ୟବହାର ନହେଉ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଫଗାନ ପକ୍ଷଙ୍କ ସହିତ ମୁହାଁମୁହିଁ ବସି ଆଲୋଚନା କରିବାରେ ଭାରତ ପ୍ରସ୍ତୁତ କାରଣ ଭାରତୀୟ ପ୍ରତିନିଧିମଣ୍ଡଳ ଆଫଗାନ ସରକାର ଓ ତାଲିବାନ ସହିତ ଗୋଟିଏ ଟେବୁଲରେ ବସିଛନ୍ତି। ଗତ ଦଶନ୍ଧିରେ ଭାରତ ତାଲିବାନ ସହ ଆଲୋଚନା ନେଇ ଅନିଚ୍ଛୁକ ଥିଲା, ମାତ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଏହି ଅସ୍ପଷ୍ଟତାକୁ ସମାପ୍ତ କରିଛନ୍ତି ଏବଂ ଭାରତ ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ।

ଆଫଗାନ ସମାଧାନରେ ଆମେରିକା ପ୍ରତିନିଧି ଜାଲମେ ଖାଲିଜାଦ ଆଜି  ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କୁ ସାକ୍ଷାତ କରିବେ ଓ ମୋଦୀ ସରକାରଙ୍କଠୁ ଆଫଗାନ ଶାନ୍ତି, ନିର୍ବାଚନ ଓ  ଭାରତଠୁ ରହିଥିବା ଆଶା ଉପରେ ଆଲୋଚନା କରିବେ। ଉଦ୍‌ଘାଟନୀ ଭାଷଣରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନରେ ଯୁଦ୍ଧରତ ଦୁଇ ପକ୍ଷଙ୍କ ମଧ୍ୟରେ ଅସ୍ତ୍ରବିରତି ଉପରେ ଆଲୋଚନା କରିଥିଲେ। ଆଫଗାନିସ୍ତାନ ସରକାର ଓ ତାଲିବାନ ଜନପ୍ରତିନିଧିଙ୍କଠୁ ଏହି ପ୍ରତିବଦ୍ଧତା ଚାହୁଁଛନ୍ତି ଯେ ଆଫଗାନିସ୍ତାନ ମାଟିର ବ୍ୟବହାର ଭାରତ ବିରୋଧରେ କରାନଯାଉ। ଉଲ୍ଲେଖଯୋଗ୍ୟ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦ ଓ ଲସ୍କର ଏ ତୋଇବା ଖୈବର ଓ ବୋଲାନ ପାସରେ ଆତଙ୍କୀ ପ୍ରଶିକ୍ଷଣ ଶିବିର ସ୍ଥାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.