ସଭାପତି ପଦ ପାଇଲେ, ପୁଣି ଏବେ ଛାଡି ଦେଲେ, ବାସ୍ତବରେ କ'ଣ ଚାହାନ୍ତି ସିଦ୍ଧୁ ? ଏହି ୪ କାରଣରୁ ଦେଇ ନାହାନ୍ତି ତ ଇସ୍ତଫା

Published By : Prameya-News7 Bureau | September 28, 2021 IST

ଚଣ୍ଡିଗଡ ୨୮।୦୯: ପଞ୍ଜାବ କଂଗ୍ରେସରେ ଜାରି  ଦଳୀୟ କନ୍ଦଳ ମଧ୍ୟରେ ମଙ୍ଗଳବାର ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ନବଜୋତ ସିଂହ ସିଦ୍ଧୁ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଏବେ ନୂତନ ବିବାଦକୁ ଜନ୍ମ ଦେଇଛି। ଏପରିକି ଆଉ ଏକ ବିତର୍କ ମଧ୍ୟ ଆରମ୍ଭ ହୋଇ ଯାଇଛି ଯେ, ବାସ୍ତବରେ ସିଦ୍ଧୁ ଚାହାନ୍ତି କଣ ? କିଛି ଦିନ ପୂର୍ବେ ପଞ୍ଜାବ କଂଗ୍ରେସରେ ବିଦ୍ରୋହର  ବିଗୁଲ ଫୁଙ୍କିଥିବା ସିଦ୍ଧୁଙ୍କୁ ଯେବେ ପାର୍ଟିର ସଭାପତି ପଦ ମିଳିଲା, ଲାଗୁଥିଲା ପାର୍ଟିରେ ସବୁ ବିବାଦ ଉପରେ ପୂର୍ଣ୍ଣଛେଦ ପଡିବ। ମାତ୍ର ଜଣେ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବିରୋଧୀ ହେବାରେ ଲାଗିଲେ। ଶେଷରେ କ୍ୟାପଟେନ୍‌ଙ୍କୁ ଇସ୍ତଫା ଦେବାକୁ ମଧ୍ୟ ପଡିଲା। ଏହା ପରେ ପାର୍ଟି ହାଇକମାଣ୍ଡ ଚରଣ ସିଂହ ଚନ୍ନୀଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କଲେ।

ସୂତ୍ର ଅନୁଯାୟୀ, ସିଦ୍ଧୁଙ୍କ ଅସନ୍ତୋଷର ବହ୍ନି ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାଠୁ ହିଁ ଆରମ୍ଭ ହୋଇଥିଲା। କାରଣ ସେ ନିଜେ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଚାହୁଁଥିଲେ। ମାତ୍ର ହାଇକମାଣ୍ଡ ଚନ୍ନୀଙ୍କ ଉପରେ ଅଧିକ ଭରସା ପ୍ରକଟ କଲେ। ଏହା ପରେ ଚନ୍ନୀଙ୍କ ଶପଥଗ୍ରହଣ, ପ୍ରଶାସନିକ ନିଯୁକ୍ତି ଏବଂ ମଙ୍ଗଳବାର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ଦେଖିବା ପରେ ସିଦ୍ଧୁଙ୍କୁ ଅସନ୍ତୋଷର କୁମ୍ଭ ବୋଧହୁଏ ଭର୍ତ୍ତି ହୋଇ ଯାଇଥିଲା। ଆଉ ୭୨ ଦିନ ପରେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ସିଦ୍ଧୁ।

ସିଦ୍ଧୁଙ୍କ ଇସ୍ତଫା ପଛରେ ଥିବା ପ୍ରମୁଖ କାରଣ

୧ - ସିଦ୍ଧୁଙ୍କ ଇସ୍ତଫାର ପ୍ରଥମ କାରଣ ଇକବାଲ ପ୍ରୀତ ସହୋତାଙ୍କୁ ଡିଜିପି ପଦରେ ନିଯୁକ୍ତ କରାଇବା। ସିଦ୍ଧୁ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଏହି ପଦରେ ବସାଇବାକୁ ଚାହୁଁଥିଲେ।

୨ - ନବଜୋତ ସିଦ୍ଧୁ ଓ ରାଣା ଗୁରଜିତଙ୍କ ମଧ୍ୟରେ ପୁରୁଣା ବିବାଦ ରହିଛି। ତେଣୁ ସିଦ୍ଧୁ ରାଣା ଗୁରଜିତଙ୍କୁ ମନ୍ତ୍ରୀ ପଦ ଦେବା ବିରୋଧରେ ଥିଲେ।

୩ - ପରଗଟ ସିଂହ ସିଦ୍ଧୁଙ୍କ ଘନିଷ୍ଠ ଲୋକଙ୍କ ମଧ୍ୟରୁ ଜଣେ। କ୍ୟାପଟେନ୍‌ଙ୍କ ବିରୋଧରେ ସିଦ୍ଧୁଙ୍କ ସହି ପରଗଟ ହିଁ ପ୍ରଥମେ ଛିଡା ହୋଇଥିଲେ। ସେ ପରଗଟଙ୍କୁ ଗୃହ ବିଭାଗ ଦେବାକୁ ଚାହୁଁଥିଲେ। କିନ୍ତୁ ଏମିତି ହୋଇନଥିଲା।

୪ - ସିଦ୍ଧୁ ସୁଖଜିନ୍ଦର ରନ୍ଧଓ୍ଵାଙ୍କୁ ଗୃହ ବିଭାଗ ଦାୟିତ୍ଵ ଦେବା ନେଇ ଅସନ୍ତୁଷ୍ଟ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.