ଝିଅ ୮ବର୍ଷ ସଂଘର୍ଷ କରିବା ପରେ ଧରାପଡିଲା ମାଆର ହତ୍ୟାକାରୀ, ସଂପର୍କୀୟ ଜ୍ବାଇଁ କରିଥିଲା ହତ୍ୟା

Published By : Prameya-News7 Bureau | July 23, 2019 IST

ସମ୍ବଲପୁର ୨୩|୭: ପୋଲିସ ତ ଫାଇଲ୍‌ ବନ୍ଦ କରି ଚୁପ୍‌ ବସିପଡ଼ିଥିଲା । ହେଲେ ନ୍ୟାୟ ପାଇଁ ଝିଅର ୮ବର୍ଷର ସଂଘର୍ଷ ପରେ ଧରାପଡ଼ିଲା ମାଆର ହତ୍ୟାକାରୀ । ୨୦୧୧ରେ ସମ୍ବଲପୁରରେ ଜଣେ ୫୦ବର୍ଷୀୟା ମହିଳାଙ୍କ ନିଖୋଜ୍ ଅଭିଯୋଗର ତଦନ୍ତ କରୁଥିବା ପୋଲିସ ସେତେବେଳେ କାହାରିକୁ ଗିରଫ କରିବାରେ ବିଫଳ ହୋଇଥିଲେ । ହେଲେ ଏବେ ସମ୍ବଲପୁର ଏସଡିପିଓ ତିନି ଦିନ ଭିତରେ ଏହି ମାମଲାର ତଦନ୍ତ କରି ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ଯୁଯୁମରାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

{"id":136552}

୮ବର୍ଷ ତଳର ଏକ ନିଖୋଜ ମାମଲାର ପର୍ଦ୍ଦାଫାସ୍‌ କରିଛନ୍ତି ସମ୍ବଲପୁର ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା । ଏଥି ସହ ନିଖୋଜ ମହିଳାଙ୍କୁ ହତ୍ୟା କରି ମାଟିରେ ପୋତିଦେଇଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛନ୍ତି । ଅବଶ୍ୟ ଏଥି ପାଇଁ ଏହି ପୋଲିସ ଅଫିସରଙ୍କୁ କିଛି କମ୍‌ ଝାଳ ବୁହାଇବାକୁ ପଡ଼ିନି । ଲକ୍ଷାଧିକ ଟଙ୍କା ଓ ସୁନାହାର ପାଇଁ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି ।

{"id":136553}

୮ବର୍ଷ ତଳେ ଅର୍ଥାତ ୨୦୧୧ରେ ସମ୍ବଲପୁର ନନ୍ଦପଡ଼ାର  ଜଣେ ୫୦ବର୍ଷୀୟା ମହିଳା ଜୟଶ୍ରୀ ମିଶ୍ର ନିଖୋଜ୍ ନେଇ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ସେତେବେଳେ ପୋଲିସ ଏହି ଘଟଣାରେ କାହାକୁ ଗିରଫ କରିବା ତ ଦୂର କଥା ନିଖୋଜ ମହିଳାଙ୍କୁ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲା । ଆଉ ଶେଷରେ ଫାଇଲ୍‌ ବନ୍ଦ କରି ଚୁପ୍‌ ବସିପଡ଼ିଥିଲା ।

{"id":136554}

ହେଲେ ସଂପୃକ୍ତ ମହିଳାଙ୍କ ଝିଅ, ଯିଏ ମାଆଙ୍କୁ ହତ୍ୟା କରାଯାଇଥିବା ବାରମ୍ବାର କହୁଥିଲେ ମଧ୍ୟ ସେତେବେଳେ ପୋଲିସ ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲା । ଏବେ ଉପରୁ ପ୍ରେସର ପଡ଼ିବା ଦେଖି ପୁଣି ବନ୍ଦ ଫାଇଲକୁ ଖୋଲିଥିଲା ପୋଲିସ । ଆଉ ଘଟଣାର ତଦନ୍ତ କରି ୩ଦିନ ଭିତରେ ହତ୍ୟାକାରୀକୁ ଧରିଛନ୍ତି ସମ୍ବଲପୁର ଏସଡିପିଓ । ଲକ୍ଷାଧିକ ଟଙ୍କା ଓ ସୁନା ହାର ପାଇଁ ଜୟଶ୍ରୀଙ୍କ ସମ୍ପର୍କୀୟ ଜ୍ବାଇଁ ବସନ୍ତ ପଣ୍ଡା ହିଁ  ଜୟଶ୍ରୀଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଜଣାପଡ଼ିଛି ।

{"id":136555}

୨୦୦୭ ମସିହାରେ ଜୟଶ୍ରୀ ମିଶ୍ରଙ୍କ ଠାରୁ ଲକ୍ଷେ ୭୦ହଜାର ଟଙ୍କା ଏବଂ ଏକ ସୁନାହାର ନେଇଥିଲା ଅଭିଯୁକ୍ତ ବସନ୍ତ ପଣ୍ଡା । ୨୦୧୧ରେ ଜୟଶ୍ରୀ ତାଙ୍କ ଝିଅ ବାହାଘର ପାଇଁ ଟଙ୍କା ଓ ସୁନାହାର ମାଗିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା । ପୋଲିସ ଚାହିଁଥିଲେ ୮ବର୍ଷ ତଳୁ ମଧ୍ୟ ଏହି ମାମଲାର ପର୍ଦ୍ଦାଫାସ୍‌ କରିପାରିଥାନ୍ତା । ହେଲେ ତଦନ୍ତରେ ହେଳା ପାଇଁ ଆଜିଯାଏଁ ହତ୍ୟା କରି ମଧ୍ୟ ଖୋଲା ଆକାଶ ତଳେ ବେଧଡ଼କ ବୁଲୁଥିଲା ଅଭିଯୁକ୍ତ । ଏଭଳି କ୍ଷେତ୍ରରେ ପୂର୍ବରୁ ତଦନ୍ତରେ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.