ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ଲୁଟିୟନ୍ସରୁ ବାହାରିଯିବେ,୪୮ବର୍ଷ ପରେ ଘଟିବ ଏପରି ଘଟଣା

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ ୨୮/୭: ପ୍ରିୟଙ୍କା ଗାନ୍ଧୀ ଶେଷରେ ୪୮ବର୍ଷ ପରେ ଦିଲ୍ଲୀର ଲୁଟିୟନ୍ସରୁ ବିଦା ହେବେ। ସେ ବୁଧବାର ନିଜ ୩୫-ଲୋଧି ଏଷ୍ଟେଟ୍ ବଙ୍ଗଳା ଖାଲି କରିଦେବେ। ଏବେ ସେ ଲକ୍ଷ୍ନୌ ଶିଫ୍ଟ ହେବେ ନାହିଁ। ତାଙ୍କ ଜେଜେମା ଶିଲା କୌଲଙ୍କ ଲକ୍ଷ୍ନୌ ସ୍ଥିତ ବଙ୍ଗଳା ପ୍ରସ୍ତୁତ ରହିଛି।

କରୋନା ଅବସ୍ଥା ଦେଖି ସେ ଏବେ ଏଠାରେ ଶିଫ୍ଟ ହେବେ ନାହିଁ। ତାଙ୍କ ଝିଅ ମିରାୟା ଏବଂ ପୁଅ ରେହାନ ନିଜ ପାଠପଢ଼ାକୁ ଧ୍ୟାନରେ ରଖି କିଛି ସମୟ ପାଇଁ ସୁଖଦେବ ବିହାର ସ୍ଥିତ ନିଜ ଜେଜେମାଆଙ୍କ ଘରେ ଏକାଠି ରହିବେ। ପ୍ରିୟଙ୍କାଙ୍କ ଯିବା ପରେ ୩୫ଲୋଧି ଏଷ୍ଟେଟ୍ ବଙ୍ଗଳାରେ ମୁତୟନ ଥିବା ଦିଲ୍ଲୀ ପୋଲିସର ୬୦ରୁ ଅଧିକ ସୁରକ୍ଷା କର୍ମୀ ହଟା ଦିଆଯିବ ତଥା ସେମାନଙ୍କ ସୁରକ୍ଷା ହରିୟାଣା ପୋଲିସକୁ ପ୍ରଦାନ କରାଯିବ।

ହରିୟାଣା ପୋଲିସକୁ ଏହି ବିଷୟରେ କହି ଦିଆଯାଇଛି ଯେ ଯେଉଁଠାରେ ପ୍ରିୟଙ୍କାଙ୍କ ପରିବାର ଶିଫ୍ଟ ହେବ,ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରି ଦିଆଯିବ। ହରିୟାଣା ପୋଲିସ୍ ଗୁଡ଼ଗାଁଓରେ ଅରାଲିୟାଜ ଫ୍ଲାଟ୍,ଯେଉଁଠାରେ ପ୍ରିୟଙ୍କା ଗାନ୍ଧୀ ଶିଫ୍ଟ ହେଉଛନ୍ତି,ସେଠାକାର ସୁରକ୍ଷା ଦାୟିତ୍ବ ଗ୍ରହଣ କରିବ। ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ଗୁଡ଼ଗାଁଓ ସ୍ଥିତ ଅରାଲିୟାଜ ଆପାର୍ଟମେଣ୍ଟରେ ୧୦,୦୦୦ବର୍ଗଫୁଟର ପେଣ୍ଟହାଉସ୍ ରହିଛି।

ସେଠାରେ ପରିବାର ଶିଫ୍ଟ ହେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରି ଦିଆଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ୩୫-ଲୋଧି ଏଷ୍ଟେଟ୍ ବଙ୍ଗଳାରୁ ୯୦ପ୍ରତିଶତ ଜିନିଷ ଗୁଡ଼ଗାଁଓ,ସୋନିଆ ଗାନ୍ଧୀଙ୍କ ଆବାସ ୧୦-ଜନପଥ ତଥା ମହରୌଲିର ଫାର୍ମ ହାଉସରେ ପଠା ଯାଇସାରିଛି। ଗୁଡ଼ଗାଁଓ ସ୍ଥିତ ପେଣ୍ଟହାଉସରେ ପ୍ରିୟଙ୍କା ୩ମାସ ଯାଏଁ ରହିବେ ତଥା ଏହା ପରେ ଯଦି କରୋନା ଅବସ୍ଥାରେ ସୁଧାର ଆସେ ତେବେ ସେ ନିଷ୍ପତ୍ତି ନେବେ ଯେ ସେ କେଉଁଠି ରହିବେ। ଏହି ସମୟରେ ସେ ଗୁଡ଼ଗାଁଓ ଏବଂ ଦିଲ୍ଲୀ ଯିବା ଆସିବା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.