୪୨ବର୍ଷ ପରେ ଭାରତକୁ ଫେରିଲେ ରାମ,ଲକ୍ଷ୍ମଣ ଏବଂ ସୀତା : ଚୋରି ହୋଇଥିବା ମୂର୍ତ୍ତି ଫେରାଇଲା ଲଣ୍ଡନ
16/09/2020 at 10:51 AM

ଚେନ୍ନାଇ ୧୬/୯: ତାମିଲନାଡ଼ୁର ଏକ ମନ୍ଦିରରୁ ବହୁବର୍ଷ ପୂର୍ବେ ଚୋରି ହୋଇଥିବା ଭଗବାନ ରାମ,ଲକ୍ଷ୍ମଣ ଏବଂ ସୀତାଙ୍କ ମୂର୍ତ୍ତିକୁ ମଙ୍ଗଳବାର ଭାରତ ସରକାରଙ୍କୁ ଫେରାଇ ଦିଆଯାଇଛି। ମୂର୍ତ୍ତିଗୁଡ଼ିକର ବାସ୍ତବିକ୍ ଇତିହାସ ଏବଂ ମହତ୍ତ୍ବକୁ ଜାଣିବା ପରେ ସଂଗ୍ରହକାରୀ ନିଜେ ଏହି ମୂର୍ତ୍ତିଗୁଡ଼ିକୁ ଫେରାଇବାକୁ ଆଗେଇ ଆସିଥିଲେ। ୧୯୭୮ମସିହାରେ ଏହି ମୂର୍ତ୍ତିଗୁଡ଼ିକ ଚୋରି ହୋଇଥିଲା,ଯାହା ପରେ ତାମିଲନାଡ଼ୁ ପୋଲିସ୍ ଲଣ୍ଡନର ମେଟ୍ରୋପଲିଟାନ୍ ପୋଲିସ୍ ସହ ମିଶି ତଦନ୍ତ ଆରମ୍ଭ କରିଥିଲା।
ଜଣେ ଅଜଣା ସଂଗ୍ରହକାରୀ ମୂର୍ତ୍ତିଗୁଡ଼ିକ କିଣିଥିଲେ,ଏହା ବିଷୟରେ ମେଟ୍ରୋପୋଲିଟାନ୍ ପୋଲିସ୍ ସୂଚନା ଦେଇଥିଲା। ୧୯୫୦ମସିହାରେ ଉଠାଯାଇଥିବା ମୂର୍ତ୍ତିର ଚିତ୍ରଗୁଡ଼ିକ ମିଶାଇବା ପରେ ଜଣା ପଡ଼ିଥିଲା ଯେ ଏହା ବିଜୟନଗର କାଳର ସେହି ମୂର୍ତ୍ତି ଯାହାକୁ ତାମିଲନାଡ଼ୁର ନାଗପଟ୍ଟିନମ୍ ଜିଲ୍ଲାର ଅନନ୍ତମଙ୍ଗଳମରେ ଥିବା ଶ୍ରୀ ରାଜଗୋପାଳସ୍ବାମୀ ମନ୍ଦିରରୁ ଚୋରି କରାଯାଇଥିଲା।
ଲଣ୍ଡନରେ ଇଣ୍ଡିଆ ହାଉସରେ ଆୟୋଜିତ ଏକ ସମାରୋହରେ କୋଭିଡ-୧୯ ଯୋଗୁଁ ସୀମିତ ସଂଖ୍ୟାରେ ଅତିଥିଙ୍କୁ ଡକାଯାଇଥିଲା। ସମାରୋହରେ ଲଣ୍ଡନ ସ୍ଥିତ ଶ୍ରୀ ମୁରୁଗାନ ମନ୍ଦିରର ପୂଜାରୀମାନେ ମୂର୍ତ୍ତିଗୁଡ଼ିକର ପୂଜା କରିଥିଲେ ଏବଂ ଏହା ପରେ ଏହି ମୂର୍ତ୍ତିଗୁଡ଼ିକ ଭାରତକୁ ହସ୍ତାନ୍ତର କରାଯାଇଥିଲା। ବ୍ରିଟେନରେ ଭାରତର ଉଚ୍ଚାୟୁକ୍ତ ଗାୟତ୍ରୀ ଇସ୍ସର କୁମାର କହିଥିଲେ ଯେ ଆଜି ଏହି ସୁନ୍ଦର ମୂର୍ତ୍ତିଗୁଡ଼ିକର ଅନୁସନ୍ଧାନ ପୂରା ହେଲା। ସେମାନେ ଏହା ସୁନିଶ୍ଚିତ କରିବାକୁ ଚାହୁଁଥିଲେ ଯେ ଏହି ମୂର୍ତ୍ତିଗୁଡ଼ିକ ଭାରତ ପଠାଇବା ପୂର୍ବରୁ ଏମାନଙ୍କ ସହ ସାଦର ସହକାରେ ବ୍ୟବହାର କରାଯାଉ।