ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖୋଲିଲେ ମୁହଁ : କହିଲେ ବିଜେପି…
8/08/2019 at 12:29 PM

ନୂଆଦିଲ୍ଲୀ ୮/୮: ଭାରତୀୟ ଜନତା ପାର୍ଟି କାଶ୍ମୀରକୁ ନେଇ ସାହସପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଦ୍ବାରା ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଭାରତରେ ବିରୋଧୀ ଦଳର ନେତାଙ୍କ ଭଳି ପଡ଼ୋଶୀ ଦେଶର ପ୍ରତିକ୍ରିୟା ମଧ୍ୟ ଥମିବାର ନାଁ ନେଉନାହିଁ। ପାକିସ୍ତାନ ସରକାର ପୂର୍ବରୁ ଏହି ପଦକ୍ଷେପକୁ ବିରୋଧ କରି ଆସିଛି।

ଏବେ ପାକିସ୍ତାନର ଅନ୍ୟ ବଡ଼ ନେତାମାନେ ମଧ୍ୟ ବୟାନବାଜି ଆରମ୍ଭ କରିଦେଇଛନ୍ତି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ମଧ୍ୟ ଏବେ ୩୭୦ଧାରା ଉଚ୍ଛେଦ ହେବା ପରେ ମୁହଁ ଖୋଲିଛନ୍ତି। ସେ କେବଳ ନିଜ ଟ୍ବିଟରରେ ନୁହେଁ ବରଂ ପାକିସ୍ତାନ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବିଜେପି ବିରୋଧରେ ବଡ଼ ବୟାନ ରଖିଛନ୍ତି।

ମୋଦି ସରକାର ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରିବା ସହ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ୩୭୦ଧାରା ଏବଂ ୩୫ଏ କୁ ଉଚ୍ଛେଦ କରିବା ଭଳି ନିଷ୍ପତ୍ତି ନେଇଛି। ଏହି ବିଲ ରାଜ୍ୟସଭା ଓ ପରେ ଲୋକସଭା ସବୁଜ ସଙ୍କେତ ଦେଇଛି। ଏହି ନିଷ୍ପତ୍ତି ପରେ ପାକିସ୍ତାନ କ୍ଷୁବ୍ଧ ହୋଇଛି। ପାକିସ୍ତାନ ନିଜ ସଂସଦରେ ମନ୍ତ୍ରୀ ପରିଷଦ ବୈଠକ ଡକାଇ ଭାରତର ଏହି ନିଷ୍ପତ୍ତିକୁ ବିରୋଧ କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ନିଷ୍ପତ୍ତି ପାଇଁ ମିଳିତ ଜାତିସଙ୍ଘର ସହାୟତା ନେବାକୁ ଧମକ ଦେଇଛନ୍ତି।

ହିନା ରବ୍ବାନୀ ବିଜେପି ସରକାରକୁ ଏହି ନିଷ୍ପତ୍ତି ପାଇଁ ବିରୋଧ କରିଛନ୍ତି। ହିନା ନିଜ ଟ୍ବିଟରରେ ଭାରତକୁ ଔପନିବେଶିକବାଦୀ ବୋଲି ଦର୍ଶାଇ କହିଛନ୍ତି ଯେ ମୋଦି ଭାରତକୁ ପରିବର୍ତ୍ତନ କରିଛନ୍ତି। ସମଗ୍ର ବିଶ୍ବ ଭାରତର ଏକଚାଟିଆ କାରବାରକୁ ନଜରଅନ୍ଦାଜ କରିଛି। ବିଜେପି ନିଜ ଏଜେଣ୍ଡା ପାଇଁ କ୍ଷମତା ଓ ଶାସନର ଅପବ୍ୟବହାର କରୁଛି ଏବଂ ସମଗ୍ର ବିଶ୍ବରେ କେହି ଏହାକୁ ଅଟକାଉ ନାହାନ୍ତି।
