୨୭ ଦିନ ଲକଡାଉନ୍ ପରେ କୋହଳ ହୋଇଛି କଟକଣା: ଆରମ୍ଭ ହୋଇଛି ସରକାରୀ କାମ ଏବଂ ଖୋଲିଛି ଅତ୍ୟାବଶ୍ୟକ ଦୋକାନ
20/04/2020 at 9:00 PM

ଭୁବନେଶ୍ବର୨୦/୪: ୨୭ ଦିନର ଲକ୍ ଡାଉନ୍ ପରେ ଆଜି କଟକଣା କିଛିଟା କୋହଳ ହୋଇଛି । ଲୋକସେବା ଭବନକୁ କର୍ମଚାରୀ ଫେରିଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିଛି । ସେହିପରି ଗ୍ରୀନ ଜୋନ୍ରେ ଥିବା ଜିଲ୍ଲା ଗୁଡ଼ିକରେ କଟକଣା ଅଧିକ କୋହଳ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ କଟକଣା ସାମାନ୍ୟ କୋହଳ କରାଯାଇଛି।

କଟକଣା କୋହଳରେ ଲୋକେ ଆଶ୍ବସ୍ତ ହୋଇଛି। ଆରମ୍ଭ ହୋଇଛି ସରକାରୀ କାମ, ଖୋଲିଛି ଅତ୍ୟାବଶ୍ୟକ ଦୋକାନ, ଗ୍ୟାରେଜ, ବିଦ୍ୟୁତ ସାମଗ୍ରୀ ଦୋକାନ । କରୋନା ଚିହ୍ନଟ ହୋଇନଥିବା ଜିଲ୍ଲା ବା ଗ୍ରୀନ ଜୋନ୍ରେ ଏବେ କଟକଣା କୋହଳ କରାଯାଇଛି। ଜଗତସିଂହପୁର, ସୁବର୍ଣ୍ଣପୁର ଏବଂ କନ୍ଧମାଳ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ଖୋଲିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିଛନ୍ତି । ଯେଉଁଠି ଇ-ଅଫିସ ବ୍ୟବସ୍ଥା ହୋଇଛି ସେଠାରେ କର୍ମଚାରୀମାନେ ଘରେ ରହି କାମ କରିଛନ୍ତି।

ବ୍ରହ୍ମପୁରରୁ ବୌଦ୍ଧ, ଜଗତସିଂହପୁରରୁ ସୋନପୁର, କନ୍ଧମାଳଠାରୁ ମାଲକାନଗିରି । ଲକ୍ ଡାଉନ୍ କୋହଳ ହେବା ପରେ ସବୁଠି ଆଜି ଦୋକାନବଜାର କିଛି ମାତ୍ରାରେ ଖୋଲିଛି।ଲୋକେ ମଧ୍ୟ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ନିଜ ଆଡୁ ଆଶ୍ବସ୍ତି ଅନୁଭବ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ।ଗ୍ରୀନ ଜୋନ ଘୋଷଣା ହୋଇଥିବା ମାଲକାନଗିରି ଜିଲ୍ଲାରେ କଟକଣା କୋହଳ ପରେ ଲୋକେ ବି ଆଶ୍ବସ୍ତି ଅନୁଭବ କରିଛନ୍ତି।
ତେବେ କଟକ ଭୁବନେଶ୍ବର ସମେତ କଣ୍ଟେନମେଣ୍ଟ ଜୋନରେ କଟକଣା କଡ଼ାକଡ଼ି ପାଳନ କରାଯାଉଛି। ଏହା ଭିତରେ କିନ୍ତୁ ଭୁବନେଶ୍ବରରେ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ସ୍ବାଭାବିକ ହୋଇଛି ଲୋକସେବା ଭବନର କାର୍ଯ୍ୟ। ୧୧ଟି କ୍ରିଟିକାଲ ବିଭାଗର ଦପ୍ତର କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ, ସାଧାରଣ ପ୍ରଶାସନ, ଗୃହ, ପଞ୍ଚାୟତି ରାଜ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶ୍ରମ ଓ ନିୟୋଜନ ଭଳି ୧୧ଟି ବିଭାଗର ଗ୍ରୁପ-Aର ସମସ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହାସହ ଗ୍ରୁପ-C ଓ ଗ୍ରୁପ-Dର ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ରୋଷ୍ଟର ପଦ୍ଧତିରେ ଆସିବାକୁ କୁହାଯାଇଛି। ଲକ୍ ଡାଉନ କୋହଳ ହୋଇଥିଲେ ମଧ୍ୟ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ, ଗାମୁଛା କିମ୍ବା ଓଢଣୀ ଘୋଡାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।