ଶାହାଜାହାଁପୁର, ୦୬/୦୩: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି । ୧୨ ବର୍ଷ ବୟସରେ କଥିତ ରୂପେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତା ଦୀର୍ଘ ୨୭ ବର୍ଷ ପରେ ଅଦାଲତର ନିର୍ଦ୍ଦେଶ ମୁତାବକ ଅଭିଯୁକ୍ତ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାପରେ କିଶୋରୀ ଜଣକ ଗର୍ଭବତୀ ହୋଇଥିଲେ । ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁଅଟି ବଡ଼ ହେଲା ପରେ ନିଜ ପିତାଙ୍କ ନାମ ଜାଣିବାକୁ ଚେଷ୍ଟା କରିଥିଲା । ଯାହାପରେ ପୋଲିସ୍ରେ ଏନେଇ ମାମଲା ଦାଏର୍ ହୋଇଥିଲା ।
ପୋଲିସ୍ ଅଧିକ୍ଷକ ସଞ୍ଜୟ କୁମାର ଶନିବାର ଏହି ଘଟଣାକୁ ନେଇ କହିଛନ୍ତି ଯେ, ପାଖାପାଖି ୨୭ ବର୍ଷ ତଳେ କିଶୋରୀ ଜଣକ ତାଙ୍କ ଭଉଣୀ ଘର ଶାହାଜାହାଁପୁରରେ ରହୁଥିଲେ । ଏହି ସମୟରେ ସେଇ ପାଖରେ ରହୁଥିବା ନାକି ହସନ ନାମକ ଜଣେ ଯୁବକ ଘରେ ପଶି ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ଏଫ୍ଆଇଆର୍ ଅନୁସାରେ ହସନ୍ର ସାନ ଭାଇ ଗୁଡୁ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତମାନେ ବାରମ୍ୱାର ତାଙ୍କ ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି ।
କୁମାର ପୁଣି କହିଛନ୍ତି ଯେ, ସେହି ସମୟରେ ପୀଡ଼ିତାଙ୍କୁ ୧୨ ବର୍ଷ ହୋଇଥିଲା । ମହିଳା ଏଫ୍ଆଇଆର୍ରେ ତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ଗର୍ଭବତୀ ହୋଇଥିଲେ ଏବଂ ୧୯୯୪ରେ ଏକ ପୁତ୍ରକୁ ସେ ଜନ୍ମ ଦେଇଥିଲେ । ଏହାପରେ ସେ ପୁଅଟିକୁ ଶାହାବାଦ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଇ ଦେଇଥିଲେ । ପରେ ମହିଳାଙ୍କ ଭଉଣୀ ଅନ୍ୟ ଏକ ଜିଲ୍ଲାକୁ ଚାଲି ଯିବାରୁ ସେ ମଧ୍ୟ ତାଙ୍କ ସହିତ ଚାଲିଯାଇଥିଲେ । କିଛି ବର୍ଷ ପରେ ମିହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ୧୦ ବର୍ଷ ପରେ ଏହି ଦୁଷ୍କର୍ମ ଘଟଣା ଜାଣିପାରି ତାଙ୍କ ସ୍ୱାମୀ ତାଙ୍କୁ ତଲାକ୍ ଦେଇଥିଲେ ।
ଏହାପରେ ମହିଳା ଜଣକ ସେଠାରୁ ଆସି ନିଜ ଗ୍ରାମରେ ରହିବାକୁ ଲାଗିଲେ । ଅନ୍ୟପଟେ ପୁଅଟି ମଧ୍ୟ ବଡ଼ ହୋଇଯାଇଥିଲା । ପରେ ତାକୁ ତା ମାଆର ପରିଚୟ ଜଣାଇ ଦିଆଯାଇଥିଲା । ତେଣୁ ସେ ତା ମାଆ ସହିତ ଭେଟ ହୋଇଥିଲା ଏବଂ ଘଟଣା ବାବଦରେ ସମସ୍ତ କଥା ଶୁଣିଥିଲା । ଏହାପରେ ପୀଡ଼ିତା ପୋଲିସ୍ର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପୋଲିସ୍ ନଶୁଣିବାରୁ ସେ ଅଦାଲତକୁ ଯାଇଥିଲେ । ଅଦାଲତ ଏହାର ବିଚାର କରି ମାମଲା ଦାଏର୍ କରିବାକୁ ପୋଲିସ୍କୁ ନିର୍ଦ୍ଦେଶ ଦେଇଥିଲେ ।