୧୪୯ ବର୍ଷ ପରେ ବିରଳ ଆଂଶିକ ଚନ୍ଦ୍ରଗ୍ରହଣ : ପ୍ରାୟ ୩ ଘଣ୍ଟା ଧରି ଦୃଶ୍ୟମାନ ହେଲା ଏହି ମହାଜାଗତିକ ଦୃଶ୍ୟ

Published By : Prameya-News7 Bureau | July 17, 2019 IST

ଭୁବନେଶ୍ବର ୧୭|୭: ଆକାଶରେ ଛାଇ ଆଲୁଅର ଖେଳ । ଗୁରୁପୂର୍ଣ୍ଣିମାରେ ଆଂଶିକ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଛି ।  ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ପୃଥିବୀ ଅବସ୍ଥାନ କରିବାରୁ ମଙ୍ଗଳବାର ରାତିରେ ଦୁର୍ଲଭ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା । ୧୪୯ ବର୍ଷ ପୂର୍ବେ ୧୨ ଜୁଲାଇ ୧୮୭୦ର ଗୁରୁପୂର୍ଣ୍ଣିମାରେ ହୋଇଥିଲା ।

ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ସହ ୟୁରୋପର ଅନେକ ଅଂଶରେ ଦୃଶ୍ୟମାନ ହୋଇଛି । ଏସିଆ ମହାଦେଶରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଚୀନ, ସିଙ୍ଗାପୁର, ଫିଲିପାଇନସ୍, ମାଲେସିଆ, ଇଣ୍ଡୋନେସିଆ ସହ  ଇରାନ, ଇରାକ, ତୁର୍କୀ ଏବଂ ସାଉଦି ଆରବରେ ଏହି ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି ।

ଚନ୍ଦ୍ରଗ୍ରହଣ ରାତି ଗୋଟାଏ ୩୧ ମିନିଟ୍ ରୁ ଆରମ୍ଭ ହୋଇ ୪ ଟା ୨୯ ମିନିଟ୍ ରେ​ ସର୍ବମୋକ୍ଷ ହୋଇଥିଲା । ଏହା ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୋଇନଥିବାରୁ ଚନ୍ଦ୍ରର ପ୍ରାୟ ୬୫ ପ୍ରତିଶତ ଅଂଶ ଛାଇ ଦେଖିବାକୁ ମିଳିଥିଲା । ଏହା ଖାଲି ଆଖିରେ ଦେଖାଯାଉଥିବା ବେଳେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ଲୋକେ ରାତି ଉଜାଗର ରହି ଆକାଶରେ ଏହି ବିରଳ ସଂଯୋଗକୁ ଉପଭୋଗ କରିଥିଲେ ।

ତେବେ ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣର ବିଧେୟ ରହିଛି । ଗ୍ରହଣର ସାତ ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ ଓ ନୂତନ କାର୍ଯ୍ୟ ନ କରିବା ପାଇଁ ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.